ଅଜଣା ଗାଡ଼ି ଧକ୍କାରେ ବାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତରୋକ

ଖାରି : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଧୀନ ଏନ୍‌ଏଚ୍‌ ୫୭ର ଖମ୍ବେଶ୍ବରୀପାଲି ଛକରେ ବୁଧବାର ଅପରାହ୍‌ଣ ପ୍ରାୟ ୩ଟାରେ ଏକ ଅଜଣା ଗାଡ଼ି ଧକ୍କାରେ କୁଞ୍ଜମହୁଲର ଅରୁଣ ବେହେରାଙ୍କ ୭ ବର୍ଷର ପୁଅ ମିଲନର ମୃତ୍ୟୁ ଘଟିଛି।

ସୁବଳୟା ଥାନା କୁଞ୍ଜମହୁଲର ଅରୁଣ ନିଜ ପରିବାର ସହ ଖମ୍ବେଶ୍ବରୀପାଲିକୁ ତାଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ କିଛି ଦିନ ହେଲା ଆସିଥିଲେ। ବୁଧବାର ଦିନ ୩ଟାରେ ଅରୁଣଙ୍କ ପୁଅ ମିଲନ ରାସ୍ତା ପାରି ହେଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଘଟଣାସ୍ଥଳରେ ମିଲନର ମୃତ୍ୟୁ ହୋଇଥିଲା। ମୃତଦେହକୁ ସୋନପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ଗ୍ରାମବାସୀ ମୃତଦେହକୁ ନେଇ ଖମ୍ବେଶ୍ବରୀପାଲି ଛକଠାରେ ରାସ୍ତାରୋକ କରିଥିଲେ। ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ, ସୋନପୁର ଥାନା ଅଧିକାରୀ ପୁଷ୍ପେନ୍ଦୁ ସାଗର, ଏସ୍‌ଆଇ ଅବିନାଶ ପଧାନ, ହରଡ଼ଖୋଲ ଫାଣ୍ଡି ଅଧିକାରୀ ଧନେଶ୍ବର ସାହୁ, ଏଏସ୍‌ଆଇ ଶଙ୍କର କୁମ୍ଭାର ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଅଜଣ ଗାଡ଼ି ହିଟ୍ ଆଣ୍ଡ ରନ୍ ମାମଲାରେ ୨ ଲକ୍ଷ ଟଙ୍କା କରାଇ ଦେବାର ପ୍ରତିଶ୍ରୁତି ପରେ ୫ଟାରୁ ଆରମ୍ଭ ହୋଇଥିବା ରାସ୍ତାରୋକ ୭ରେ ପ୍ରତ୍ୟାହୃତ ହୋଇଥିଲା। ଏ ଅବସରରେ ସ୍ଥାନୀୟ ସରପଞ୍ଚ ମଧୁସୂଦନ ଓତା ବି ଉପସ୍ଥିତ ଥିଲେ। ଏହି ସ୍ଥାନରେ ପୂର୍ବରୁ ବି ଦୁର୍ଘଟଣା ଘଟିଥିବାରୁ ହମ୍ପସ୍‌, ସ୍ପିଡ୍‌ ବ୍ରେକର ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର