ମଠ, ଦୋକାନ ଉଚ୍ଛେଦ ପ୍ରଶାସନିକ ସନ୍ତ୍ରାସବାଦ: ବ୍ରଜ ତ୍ରିପାଠୀ

ଆନ୍ଦୋଳନ ଚେତାବନୀ, ଆମିକସ୍‌ କ୍ୟୁରି ଓ ସଲିସିଟର ଜେନେରାଲଙ୍କୁ ଦେବେ ସ୍ମାରକପତ୍ର

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ନାମରେ ଚାଲିଥିବା ମଠ, ଦୋକାନ, ଘର ଆଦି ଉଚ୍ଛେଦ ପ୍ରଶାସନିକ ସନ୍ତ୍ରାସବାଦ। ଏହା ବିଗତ ଦିନର ଜରୁରୀ ପରିସ୍ଥିତିଠାରୁ ବଳିଯାଇଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ। ଜିଲ୍ଲା ପ୍ରଶାସନର ଉଚ୍ଛେଦ କାର୍ଯ୍ୟକୁ ସେ ଅସାମ୍ବିଧାନିକ ଓ ବେଆଇନ୍ ଦର୍ଶାଇ ଏ ସଂପର୍କରେ ଆମିକସ୍‌ କ୍ୟୁରି ଓ ସଲିସିଟର ଜେନେରାଲଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

ଆଜି ବଡ଼ଦାଣ୍ଡସ୍ଥିତ ସାଲବେଗ ପୀଠଠାରେ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଥିଲେ, ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚାରିପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ କରି କଳାପାହାଡ଼ ଭଳି ଓଡ଼ିଶାର ସାଂସ୍କୃତିକ ଇତିହାସର ସୁବର୍ଣ୍ଣ ଯୁଗର ଐତିହ୍ୟ ସ୍ମାରକୀଗୁଡ଼ିକୁ ଧ୍ବଂସ କରି ଚାଲିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଶହ ଶହ ବର୍ଷର ମଠ, ମନ୍ଦିର ଐତିହ୍ୟ ସ୍ମାରକୀଗୁଡ଼ିକୁ ଧ୍ବଂସ କରି ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରର ସ୍ବପ୍ନ ଦେଖିବା ହାସ୍ୟାସ୍ପଦ ମନେ ହେଉଛି। ଏହା ପ୍ରତାରଣା ଛଡ଼ା ଅନ୍ୟ କିଛି ନୁହେଁ।

ସେ ଆହୁରି କହିଲେ, ଶ୍ରୀକ୍ଷେତ୍ରର ବ୍ୟାବସାୟିକ ପେଣ୍ଠସ୍ଥଳୀ କହିଲେ ବେଳାଭୂମି ଓ ବଡ଼ଦାଣ୍ଡ। ବେଳାଭୂମିରେ ତ’ ବ୍ୟବସାୟ ଏକପ୍ରକାର ଠପ୍ ହୋଇଗଲାଣି। ବାତ୍ୟା ‘ଫନି’ ଉଠା ଦୋକାନୀଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କ ବ୍ୟବସାୟ ଛଡ଼ାଇ ନେଇଛି। ଏପରି ପରିସ୍ଥିତିରେ ବଡ଼ଦାଣ୍ଡ ବ୍ୟବସାୟକୁ ପ୍ରଶାସନ ଲୋପ କରି ଦେବାକୁ ବସିଛି। ଜିଲ୍ଲା ପ୍ରଶାସନ ପୌର ଆଇନ୍‌ ୨୭୫ ଓ ସିଆରପିସିର ୧୩୩ ଧାରା ଆଧାରରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଥିବା କହୁଥିବା ବେଳେ ରାଜ୍ୟ ସରକାର ଭୂମି ଅଧିଗ୍ରହଣ ଆଇନ ଅନୁସାରେ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ କ୍ଷତିଗ୍ରସ୍ତଙ୍କ ଲାଗି ଉପହାସ ଓ ପ୍ରତାରଣା। ସେହିପରି କଲେକ୍ଟୋରେଟକୁ ସିପସରୁବାଲିକୁ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତିକୁ ଅନ୍ୟତ୍ର ସ୍ଥାନାନ୍ତରକୁ ବି ଶ୍ରୀ ତ୍ରିପାଠୀ ବିରୋଧ କରିଥିଲେ। ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଆଦିତ୍ୟ ହୃଦୟ ମିଶ୍ର, ଆଇନଜୀବୀ ରୁଦ୍ର ନନ୍ଦନ ମିଶ୍ର, ଆଇନଜୀବୀ ଜ୍ୟୋତିପ୍ରକାଶ ମିଶ୍ର, ଆଇନଜୀବୀ କାଳୀପ୍ରସାଦ ଦାଶ, ଯୁବନେତା ଇଂ. ସାରଦା ପ୍ରସନ୍ନ ସ୍ବାଇଁ, ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନର ଉଚ୍ଛେଦ କାର୍ଯ୍ୟକୁ ଦୃଢ଼ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର