ଭାଇଚାରା ଫେରାଇ ଆଣିଲା ନୂଆଁଖାଇ, ବିବାଦକୁ ଭୁଲି ୨୬ ବର୍ଷ ପରେ ଏକାଠି ହେଲେ ଗ୍ରାମବାସୀ

ହରଭଙ୍ଗା : ଚଳିତବର୍ଷର ନୂଆଁଖାଇ ବୌଦ୍ଧ ଜିଲ୍ଲା ଖଜୁରିଆ ଗ୍ରାମବାସୀଙ୍କ ସ୍ମରଣୀୟ ହୋଇ ରହିବ। ୨୬ ବର୍ଷ ହେଲା ରାଜନୈତିକ ବିଭେଦ ଯୋଗୁଁ ୨ଭାଗ ହୋଇ ରହିଥିବା ଗାଁର ଆବାଳ ବୃଦ୍ଧ ବନିତା ଗତକାଲି ସବୁ ପୁରୁଣା ରାଗକୁ ଭୁଲି ଏକାଠି ହୋଇ ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପାଳନ କରିଛନ୍ତି।

ପ୍ରକାଶ ଥାଉ କି, ଶାନ୍ତ ସରଳ ଗ୍ରାମ ଭାବେ ପରିଚିତ ଖଜୁରିଆ ଗ୍ରାମ ଆଜକୁ ଦୀର୍ଘ ୨୬ ବର୍ଷ ତଳେ ରାଜନୈତିକ ଚକ୍ରବ୍ୟୂହର ଶିକାର ହୋଇ ୨ଭାଗ ହୋଇ ଯାଇଥିଲା। ସେହିଦିନଠାରୁ ଉଭୟ ଗୋଷ୍ଠୀ ବିଭିନ୍ନ ପର୍ବପର୍ବାଣି ଭଲ ମନ୍ଦ ଅଲଗା ଅଲଗା ଭାବେ ପାଳନ କରି ଆସୁଥିଲେ। ଗ୍ରାମରେ ରହୁଥିବା ପ୍ରାୟ ୮୦ଟି ପରିବାରର ୪ ଶହରୁ ଅଧିକ ସଦସ୍ୟ ବିନା କାରଣରେ ପରସ୍ପର ଅଚିହ୍ନା ଅଜଣା ଲୋକ ଭଳି କେହି କାହା ସହିତ କଥାବାର୍ତ୍ତା ମଧ୍ୟ କରୁ ନଥିଲେ। ତେବେ ଏ ବର୍ଷ ନୂଆଁଖାଇ ଯେତିକି ପାଖେଇ ଆସୁଥିଲା ସେମାନଙ୍କ ଭିତରେ ଭାଇଚାରା ଓ ସ୍ନେହର ଭାବାବେଗ ସେତିକି ପରିଲକ୍ଷିତ ହୋଇଥିଲା। ଶେଷରେ ଉଭୟ ପକ୍ଷର ମୁରବି ଆଗକୁ ଆସି ସବୁ ବାଦ ବିବାଦକୁ ପଛରେ ପକାଇ ସମସ୍ତେ ଏକାଠି ମିଳି ମିଶି ନୂଆଁ ଖାଇବାକୁ  ନିଷ୍ପତ୍ତି ନେଇଥିଲେ।

ପୂର୍ବାବସ୍ଥା ଫେରି ଆସିଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଥିଲେ ଗ୍ରାମର ସଭାପତି ଧନେଶ୍ୱର ସାହୁ। ସେହିପରି ୨୬ ବର୍ଷର ବିବାଦ ତୁଟିଯାଇ ଥିବାରୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ଗ୍ରାମର ସମ୍ପାଦକ ବିଭୀଷଣ ଭୋକ୍ତା। ଗ୍ରାମ ଦେହୁରୀ ବିଶ୍ୱାମିତ୍ର ଭୋକ୍ତା ଓ ଅନାଦି ପ୍ରଧାନ ଗ୍ରାମଦେବୀଙ୍କ ନିକଟରେ ନବାନ୍ନ ଲଗାଇବା ପରେ ଗ୍ରାମବାସୀ ଢୋଲ ନିଶାନ ତାଳେ ତାଳେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ହରଭଙ୍ଗା ବ୍ଲକରେ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର