ରାଜ୍ୟ ଇତିହାସରେ ସବୁଠୁ ଅଧିକ : ୫ କୋଟିର ବ୍ରାଉନସୁଗାର ଜବତ

ରସୁଲଗଡ଼ରୁ ସାଢେ ୪ କୋଟିର ଧରିଲା ଏସଟିଏଫ୍‌
ବୋଲେରୋ ସହ ବାଲେଶ୍ବରର ୩ ବେପାରୀ ଗିରଫ
ଜଟଣୀ ଇନଫୋଭ୍ୟାଲିରୁ ୭୦ ଲକ୍ଷ ଟଙ୍କାର ଜବତ
୬ ମାସରେ ଜବତ ହେଲାଣି ୧୨ କେଜି ଧଳାଜହର

ଭୁବନେଶ୍ବର : ଗୋଟିଏ ଦିନରେ ସାଢ଼େ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓଡ଼ିଶା ପୁଲିସ ଇତିହାସରେ ଏକ ସର୍ବକାଳୀନ ରେକର୍ଡ ତିଆରି କରିଛି। ଏସ୍‌ଟିଏଫ୍‌ ଆଜି ଅପରାହ୍ଣରେ ରସୁଲଗଡ଼ ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ କେଜି ୪୮୬ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ଅଭିଯୁକ୍ତମାନେ ହେଲେ, ବାଲେଶ୍ବର ନୀଳଗିରି ଥାନା ନରସିଂହପୁର ଅଞ୍ଚଳର ଦେବାଶିଷ ବେହେରା ଓରଫ୍ ରିଙ୍କୁ, ବାଲେଶ୍ବର ଗୋପାଳ ଗାଁ ଅଞ୍ଚଳର ଶେଖ୍ କୌଶର ଅଲ୍ଲୀ ଓ ପ୍ରବୀର କୁମାର ସିଂ ଓରଫ୍ ସିତୁ। ଏମାନେ ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆଣିଲେ? କାହାକୁ ଦେବା ଲାଗି ରସୁଲଗଡ଼ ଆସିଥିଲେ? ସେମାନଙ୍କ ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି? ସେ ସମ୍ପର୍କରେ ଏସ୍‌ଟିଏଫ୍ ଖୋଳତାଡ଼ ଚଳାଇଛି। ପୁଲିସ ଡିଜି ଅଭୟ ଆଜି ସନ୍ଧ୍ୟାରେ ଏସଟିଏଫ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଅଭୟଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବୋଲେରୋରେ ବ୍ରାଉନସୁଗାର ଧରି ବାଲେଶ୍ବରରୁ ଡିଲ୍ କରିବା ଲାଗି ରସୁଲଗଡ଼ ଶିଳ୍ପାଞ୍ଚଳ ନିକଟରେ ଖୁଚୁରା ବେପାରୀଙ୍କୁ ଅପେକ୍ଷା କରିଥିବା ବେଳେ ଏସଟିଏଫ୍ ସେମାନଙ୍କୁ ଉଠାଇ ନେଇଥିଲା।

ଅନ୍ୟ ଏକ ଘଟଣାକ୍ରମରେ କମିସନରେଟ୍‌ ପୁଲିସର କୁଇକ୍ ଆକ୍ସନ ଟିମ୍(କ୍ୟୁଏଟି) ବି ଆଜି ଜଟଣୀ ଥାନା ବଡ଼ରଘୁନାଥପୁର ଇନଫୋଭ୍ୟାଲି ରାସ୍ତାରୁ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ କ୍ୟୁଏଟି ୭୦୬ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ, ଖୋର୍ଦ୍ଧା ଜଙ୍କିଆ ଥାନା ନରଣଗଡ଼ ଅଞ୍ଚଳର ସୌମ୍ୟରଞ୍ଜନ ବଳିଆରସିଂ ଓରଫ୍ କାଳୁ ଏବଂ ରଞ୍ଜିତ କୁମାର ନାୟକ ଓରଫ୍ ରଞ୍ଜୁ। ସେମାନଙ୍କ ନିକଟରୁ ଫର୍ଡ ଫିଗୋ କାର୍, ହୋଣ୍ଡା ଆକ୍ଟିଭା, ୧୮୨୦ ଟଙ୍କା, ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏନେଇ ଜଟଣୀ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଦ୍ବୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତଦ୍ବୟ ଗାଡ଼ିରେ ଆର୍ମି, ପୁଲିସ୍‌ ଷ୍ଟିକର୍‌ ଲଗାଇ ଦୀର୍ଘ ଦିନ ହେଲା ବ୍ରାଉନସୁଗାର କାରବାର ଚଳାଇ ଆସୁଥିଲେ। କିନ୍ତୁ ପୁଲିସ୍‌ ଏମାନଙ୍କ ଟେର୍‌ ପାଉନଥିଲା।

ଅପରପକ୍ଷେ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରୁ ବର୍ଷକ ମଧ୍ୟରେ ୮ କେଜିରୁ ଅଧିକ ପରିମାଣର ବ୍ରାଉନସୁଗାର ଜବତ ହୋଇ ସାରିଲାଣି। ବାଲେଶ୍ବରରୁ ବ୍ରାଉନସୁଗାର ଭୁବନେଶ୍ବରରେ ପହଞ୍ଚିବା ପରେ ଡିଲ୍ କରୁଛନ୍ତି ବେପାରୀ। ବଡ଼ ବେପାରୀ ବ୍ରାଉନସୁଗାର ଧରି ଭୁବନେଶ୍ବରରେ ପହଞ୍ଚିବା ପରେ ଖୁଚୁରା ବେପାରୀଙ୍କୁ ବିକ୍ରି କରୁଛନ୍ତି। ଖାଲି ସେତିକି ନୁହେଁ ନିଶା କାରବାର ପାଇଁ ଦୁଇ ଦିନରେ ଦୁଇଟି ଆକ୍ରମଣ ଘଟଣା ପୁଲିସ ପାଇଁ ଚାଲେଞ୍ଜ ପାଲଟିଛି। ରସୁଲଗଡ଼ ଓଭରବ୍ରିଜ୍ ତଳେ ପୁଲିସର କ୍ୟାମ୍ପ ପଡ଼ିଥିବା ବେଳେ ବାଣୀବିହାରରେ ବି ପୁଲିସ ଜଗିଛି। ଗୋଟିଏ ପଟେ ମଞ୍ଚେଶ୍ବର ଥାନା ଓ ଅନ୍ୟ ପଟେ ସହିଦନଗର ଥାନା ରହିଛି। ବ୍ରାଉନସୁଗାର ବେପାରୀ ରାଜଧାନୀରେ ଡିଲ୍ କରିବା ଲାଗି ଆସୁଥିବା ଖବର ପାଇ ଏସଟିଏଫ୍ ୩ ବେପାରୀଙ୍କୁ ଉଠାଇ ନେଇଥିଲା। କିନ୍ତୁ ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ଖବର ନ ପାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ ୨୦୧୬ରୁ ୨୦୧୯ ଗତ ୪ ବର୍ଷ ଭିତରେ ରାଜ୍ୟ ପୁଲିସର ସବୁ ସଂସ୍ଥା ମିଶି କେବଳ ସାଢେ ୫ କେଜି ବ୍ରାଉନସୁଗାର ଜବତ କରିଥିବା ବେଳେ ୨୦୨୦ ଜାନୁଆରୀରୁ ଏବେ ସୁଦ୍ଧା ଏସଟିଏଫ୍ ୧୨ କେଜିରୁ ଅଧିକ ପରିମାଣର ବ୍ରାଉନସୁଗାର ଜବତ କରିସାରିଛି। ଗତ ୬ ମାସ ଭିତରେ ଏସଟିଏଫ୍ ୧୯ଟି ମାମଲା ରୁଜୁ ହୋଇଥିବା ବେଳେ ଏସଟିଏଫ୍ ୩୯ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ସାରିଛି।

ସମ୍ବନ୍ଧିତ ଖବର