ବିଶୋଧନ ହେବ ବାଣୀବିହାର, ବିଭିନ୍ନ ବିଭାଗରେ ଲାଗିଲା ପ୍ୟାଡେଲ୍‌ ସାନିଟାଇଜର

ପଶ୍ଚିମବଙ୍ଗ ଶ୍ରମିକଙ୍କ ନମୁନା‌ ପରୀକ୍ଷା ହେଲା

ଭୁବନେଶ୍ବର: ବିଶୋଧନ ହେବ ଉତ୍କଳ ବିଶ୍ବବିଦ୍ୟାଳୟ। ବିନା ବିଶୋଧନରେ କ୍ୟାମ୍ପସରେ ଥିବା ବିଭିନ୍ନ ବିଭାଗ ଓ ବିଲଡିଂ ଖୋଲିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଜି ଟେଣ୍ଡର୍‌ ଡକାଯାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌-୧୯ ତଥା କରୋନା ଭୂତାଣୁ ମୁକାବିଲା ଲାଗି କ୍ୟାମ୍ପସରେ ଥିବା ବିଭିନ୍ନ ଅଫିସ୍‌ ବିଲଡିଂ, ପିଜି ବିଭାଗ ଓ ଅନ୍ୟାନ୍ୟ ବିଲଡିଂଗୁଡ଼ିକୁ ବିଶୋଧନ କରାଯିବ। ଆଗ୍ରହୀ ସଂସ୍ଥା/ଫାର୍ମଗୁଡ଼ିକ ଆସନ୍ତା ୨୬ ତାରିଖ ଅପରାହ୍‌ଣ ୩ଟା ସୁଦ୍ଧା ଆବେଦନ କରିପାରିବେ। ସେହିଦିନ ଅପରାହ୍‌ଣ ୪ଟାରେ କୋଟେସନ୍‌ଗୁଡ଼ିକ ଖୋଲାଯିବ। ଏହାପରେ ଯେଉଁ ସଂସ୍ଥା ଯୋଗ୍ୟ ହେବେ ତାଙ୍କୁ କାର୍ଯ୍ୟ ଦିଆଯିବ। ଏ ସମ୍ପର୍କିତ ସବିଶେଷ ତଥ୍ୟ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ‘www.utkaluniversity.nic.in’ ରେ ଉପଲବ୍ଧ ରହିଛି।

ଅନ୍ୟପକ୍ଷରେ ବିଭାଗ ଭିତରେ ପ୍ରବେଶ ପୂର୍ବରୁ ହାତରେ ସାନିଟାଇଜର୍‌ ମାରିବା ଲାଗି ଆଜି ପର୍ଯ୍ୟନ୍ତ କ୍ୟାମ୍ପସରେ ବ୍ୟବସ୍ଥା ହୋଇପାରି ନାହିଁ। ତେ‌ଣୁ ବାଧ୍ୟ ହୋଇ ବିଶ୍ବବିଦ୍ୟାଳୟର କିଛି ସ୍ନାତକତ୍ତୋର ବିଭାଗ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ପ୍ୟାଡେଲ୍‌ ସାନିଟାଇଜର ଲଗାଇଛନ୍ତି। ପ୍ରଫେସର, ଅଧ୍ୟାପକ, କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିବିଶେଷ ଯଦି ବିଭାଗ ଭିତରକୁ ପ୍ରବେଶ କରନ୍ତି, ତେବେ ଧାଇ ଧୋଇବା ଓ ସାନିଟାଇଜର୍‌ ଲଗାଇବା ବାଧ୍ୟତାମୂଳକ। ଗତକାଲି ସୁଦ୍ଧା ୫ଟି ବିଭାଗ ପ୍ୟାଡେଲ ସାନିଟାଇଜର ଲଗାଇଥିବା ବେଳେ ଆଜି ଆଉ ୩ଟି ବିଭାଗ ଏହି ସାନିଟାଇଜର ଲଗାଇଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବିଭାଗ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଯୋଜନା କରିଥିବା ଜଣାପଡ଼ିଛି।

କ୍ୟାମ୍ପସ‌ରେ ରହିଥିବା ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ସ‌ପ୍ତାହେ ହେଲା ଏହି ଶ୍ରମିକଙ୍କୁ ନେଇ କ୍ୟାମ୍ପସରେ ବିରୋଧର ସ୍ବର ଉଠିବା ପରେ ଆଜି ଶ୍ରଦ୍ଧା ମଣ୍ଡପରେ ପଶ୍ଚିମବଙ୍ଗ ଶ୍ରମିକଙ୍କ କରୋନା ନମୁନା ପରୀକ୍ଷା ହୋଇଛି। ବିଏମ୍‌ସିର ଏକ ଟିମ୍‌ ସେଠାରେ ପହଞ୍ଚି ଶ୍ରମିକଙ୍କ କରୋନା ଟେଷ୍ଟ କରିଥିଲା। ସାମାଜିକ ଦୂରତା ରକ୍ଷା‌ କରି ଏହି ପରୀକ୍ଷା କରାଯାଇଥିଲେ ମଧ୍ୟ ଅନ୍ତେବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା। ଏମିତିକି ଶ୍ରମିକଙ୍କ ନମୁନା ଟେଷ୍ଟ ହେଉଥିବା‌ ସ୍ଥାନକୁ ଅନ୍ତେବାସୀ ଯାଇ ନ ଥିଲେ। କେବଳ ସେତିକି ନୁହେଁ, ଏବେ କ୍ୟାମ୍ପସ ପାଇଁ ଚିନ୍ତା ବଢ଼ାଇଛନ୍ତି ବିଶେଶ୍ବର ବସ୍ତିବାସିନ୍ଦା। କ୍ୟାମ୍ପସକୁ ଲାଗି ରହିଥିବା ଏହି ବସ୍ତିରୁ ଜଣେ କରୋନା ଆକ୍ରାନ୍ତ ବାହାରିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଏକପ୍ରକାର ସଟ୍‌ ଡାଉନ୍‌ କରାଯାଇଛି। ଲୋକଙ୍କୁ ପଦାକୁ ବାହାରିବାକୁ ଦିଆଯାଉନାହିଁ। ଏଭଳି ସମୟରେ ଗତକାଲି ବାଣୀବିହାର କ୍ୟାମ୍ପସରେ ଥିବା ଶ୍ରଦ୍ଧା ମଣ୍ଡପରେ ଏହି ବସ୍ତିବାସିନ୍ଦାଙ୍କ ନମୁନା ପରୀକ୍ଷା ହୋଇଥିଲା। ବସ୍ତିବାସିନ୍ଦା‌ ବିଭିନ୍ନ ସମୟରେ କ୍ୟାମ୍ପସକୁ ଅବାଧ ପ୍ରବେଶ କରୁଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବି ସୃଷ୍ଟି ହୋଇଛି। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ବସ୍ତିବାସିନ୍ଦା ଓ ପଶ୍ଚିମବଙ୍ଗ ଶ୍ରମିକଙ୍କ ନମୁନାର ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର