ପ୍ରତିଶୋଧ ନେଲା ଷଣ୍ଢ, ଘର ଛାଡ଼ିଲେ ୩ ପରିବାର

ବଣାଇଗଡ଼ : ମଣିଷ ଭଳି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇପାରେ ତାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍‌ କଲେଇପୋଷ ପଞ୍ଚାୟତ ଥେଣ୍ଟେଇପୋଷ ଗ୍ରାମରେ। ଗ୍ରାମର ତିନିଟି ପରିବାର ଡମ୍ବରୁ ମାହାନ୍ତ, ସୁବାସ ମାହାନ୍ତ ଓ ଦେବରାଜ ମାହାନ୍ତ ଗ୍ରାମର ବାଦାମବାଡ଼ି ବସ୍ତିରେ ରହି ଆସୁଛନ୍ତି। ତେବେ ୮ ଦିନ ତଳେ ଡମ୍ବରୁ ନିଜର ଗାଈବାଛୁରୀଙ୍କୁ ଘର ଅଗଣାରେ ବାନ୍ଧୁଥିବା ସମୟରେ ସେଠାକୁ ଏକ ବୁଲା ଷଣ୍ଢ ହଠାତ ଚାଲିଆସିଥିଲା। ଏହାଦେଖି ଡମ୍ବରୁ ଢେଲାପଥର ମାଡ଼କରି ଷଣ୍ଢକୁ ସେଠାରୁ ଘଉଡ଼ାଇ ଦେଇଥିଲେ।

ତା ପରଦିନ ସକାଳେ ଷଣ୍ଢଟି ଘର ଅଗଣାକୁ ଆସି ସେଠାରେ ଶୋଇ ରହିଥିଲା। ତେବେ ପ୍ରଥମ ଚାରିଦିନ ସେ କାହାରିକୁ କିଛି ଆକ୍ରମଣ ନକରି କେବଳ ନିରବ ହୋଇ ଶୋଇରହିଥିଲା। ତେବେ ଚାରିଦିନ ହେଲା ଷଣ୍ଢଟି ହଠାତ ପ୍ରତିଶୋଧ ପରାୟଣ ହୋଇ ଉପରୋକ୍ତ ତିନିଟି ପରିବାର ଉପରେ ଆକ୍ରମଣ ଆରମ୍ଭ କରିଛି। ଏପରିକି ଏହି ତିନି ପରିବାରର ଲୋକେ ଘର ଭିତରୁ ବାହାରକୁ ବାହାରିଲେ ତାଙ୍କୁ ମାରିବାକୁ ଗୋଡ଼ାଉଛି। ଷଣ୍ଢଟି ଘର ସମ୍ମୁଖରେ ଥିବା ଏବ ନଳକୂପ ସମ୍ମୁଖରେ ଶୋଇ ରହୁଥିବାରୁ ସେମାନେ ସେଠାରୁ ପାଣି ମଧ୍ୟ ନେଇପାରୁ ନାହାନ୍ତି। ଏହା ପରେ ଏହି ତିନି ପରିବାର ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲେ। ଗ୍ରାମବାସୀ ଷଣ୍ଢଟିକୁ ବାଜା ବଜାଇ ନିକଟସ୍ଥ କଲେଇପୋଷ ଛକକୁ ନେଇ ଛାଡ଼ି ଆସିବା ପରେ ପୁଣି କେଇ ଘଣ୍ଟା ପରେ ଷଣ୍ଢଟି ସେହି ଯାଗାକୁ ପୁନର୍ବାର ଫେରିଆସିଥିଲା। ଗତ ଗୁରୁବାର ଦିନ ଷଣ୍ଢଟିକୁ ପୁନର୍ବାର ଗ୍ରାମବାସୀ ଲହୁଣିପଡ଼ା ଥାନା ପରିସରକୁ ନେଇ ଛାଡ଼ି ଆସିଥିଲେ ମଧ୍ୟ ସେଠାରୁ ଷଣ୍ଢଟି ପୁଣି ଏହି ତିନିଜଣଙ୍କ ଘର ସମ୍ମୁଖକୁ ଫେରି ଆସିଥିଲା। ଫଳରେ ଗତ ୪ ଦିନ ହେଲା ଏହି ତିନି ପରିବାର ଘର ଛାଡ଼ି ନିଜ ସମ୍ପର୍କୀୟଙ୍କ ଘରେ ମୁଣ୍ତ ଗୁଞ୍ଜିଛନ୍ତି। କେବଳ ସେତିକି ନୁହେଁ କାଳେ ପରିବାର ପ୍ରତି କୋପ ପଡ଼ିଥାଇପାରେ ବୋଲି ସେମାନେ ଶିବମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ହେଁ ଏହାର କିଛି ସୁଫଳ ମିଳିନାହିଁ। ଏହା ଜାଣିବା ପରେ ‘ସମ୍ବାଦ’ ପ୍ରତିନିଧି ଘଟଣା ସ୍ଥଳକୁ ଯାଇଥିବା ବେଳେ ଷଣ୍ଢଟି ଘର ସମ୍ମୁଖରେ ଜଗି ରହିଥିବା ଦେଖିବାକୁ ପାଇଥିଲେ। ଏବେ ତିନି ପରିବାର ପ୍ରଶାସନର ଦ୍ବାରସ୍ଥ ହେବାକୁ ମନସ୍ଥ କରିଛନ୍ତି।

ସମ୍ବନ୍ଧିତ ଖବର