ବୁର୍ଲା ବନ୍ଦ : ଦୋକାନ, ଶିକ୍ଷାନୁଷ୍ଠାନ, ସବୁ ଅଫିସ୍ ବନ୍ଦ

ବିଧାୟିକା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର : ଭିମ୍‌ସାର୍‌ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କୁ ଛୁଟିରେ ପଠାଯିବା ପ୍ରତିବାଦରେ ସୋମବାର ଡକା ଯାଇଥିବା ବୁର୍ଲା ବନ୍ଦ ସ୍ବତଃପ୍ରବୃତ୍ତ ଓ ଶାନ୍ତିପୂର୍ଣ୍ଣ ହୋଇଛି। ସୋମବାର ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ୍‌, ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଥିଲା। ସହର ଭିତରେ ଯାନବାହନ ଚଳାଚଳ ବି ବନ୍ଦ ରହିଥିଲା। କେବଳ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିଲା। ଆନ୍ଦୋଳନକାରୀମାନେ ବାଇକ୍‌ରେ ସହର ସାରା ବୁଲି ପିକେଟିଂ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇଥିଲେ। ସେମାନେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏବଂ ସ୍ଥାନୀୟ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ କୁଶ ପୁତ୍ତଳିକା ଦାହ କରିି‌ଥିଲେ। ଅପରପକ୍ଷରେ ବିଜେପି ପକ୍ଷରୁ ଅଇଁଠାପାଲି ବିର୍ସା ମୁଣ୍ଡା ଛକରେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରା ଯାଇଥିଲା। ଫଳରେ ୫୩ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ତଥା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ୍‌‌ ‌େୱ’)ରେ ଶହଶହ ଗାଡ଼ି ଅଟକି ରହିଥିଲା। ଡା. ପୂଜାହାରୀଙ୍କ ସମର୍ଥନରେ ସମ୍ବଲପୁର ଓ ବୁର୍ଲାରେ ବେଶ କିଛି ଦିନ ହେଲା ଆନ୍ଦୋଳନ ଚାଲିଥିବାବେଳେ ଏହି ଆନ୍ଦୋଳନ କ୍ରମଶଃ ଅନ୍ୟ ଅଞ୍ଚଳକୁ ବ୍ୟାପିବାର ସୂଚନା ମିଳିଛି। ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଅତାବିରାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖିଣ୍ଡା ଗାଁରେ ମଧ୍ୟ ମଙ୍ଗଳବାର ପ୍ରତିବାଦ ସଭା ଓ ଦସ୍ତଖତ ସଂଗ୍ରହ ଅଭିଯାନ କରାଯିବ ବୋଲି ମାତୃଭୂମି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର