କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ଯୋଗୁ ରାଜ୍ୟରେ ବସ୍‌ ଭଡ଼ା ବଢ଼ିଲା

ଭୁବନେଶ୍ୱର : କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ଯୋଗୁ ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ସ୍ବୟଂକ୍ରିୟ ପଦ୍ଧତ୍ତିରେ ଏହି ଭଡ଼ା ବୃଦ୍ଧି କରାଯାଇଛି। ଅର୍ଡିନାରି ବସ୍ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଁ ୭୨ ପଇସାରୁ ୭୩ ପଇସା ହୋଇଥିବା ବେଳେ ଏକ୍ସପ୍ରେସ ଭଡ଼ା ୧ ପଇସା ବଢ଼ି ୭୫ ପଇସାରୁ ୭୬ ପଇସା ହୋଇଛି। ସେହିପରି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ରୁ ବଢ଼ି ୧ ଟଙ୍କା ୦୭ ହୋଇଥିବା ବେଳେ ଏସି ଡିଲକ୍ସ କିମି ପିଛା ୧ଟଙ୍କା ୨୭ରୁ ବଢ଼ି ୧ଟଙ୍କା ୨୯ ପଇସା ହୋଇଛି।

ବସ୍‌ ଭଡ଼ା ବୃଦ୍ଧିକୁ ନେଇ ବସ୍‌ ମାଲିମାନେ ସନ୍ତୁଷ୍ଟ ନାହାନ୍ତି। ଏ ସମ୍ପର୍କରେ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ଭିନ୍ନ ମତ ରଖିଛି। ସଂଘ ପକ୍ଷରୁ ଯୁକ୍ତି କରାଯାଇଛି ଯେ ଡିଜେଲ୍‌ରୁ ଲିଟର ପିଛା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଖାପାଖି ୪୯ ଟଙ୍କା ଟିକସ ଆକାରରେ ନିଅନ୍ତି। ପୁଣି କରୋନା ପାଇଁ ଏବେ ଅତିରିକ୍ତ ୧୪ ଟଙ୍କା ଟିକସ ନିଆଯାଉଛି। ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ୍‌ ଉପରୁ ଟିକସ ବାବଦରେ ଲିଟର ପ୍ରତି ୧୫ ଟଙ୍କା ଛାଡ଼ କରନ୍ତେ, ତେବେ ତୈଳ ଦର ବୃଦ୍ଧି ପାଆନ୍ତା ନାହିଁ। ଏହା ଦ୍ବାରା ଯାତ୍ରୀ ଭଡ଼ା ଓ ଅନ୍ୟାନ୍ୟ ମାଲ୍‌ ପରିବହନ ଖର୍ଚ୍ଚ ବି କମ୍ ରୁହନ୍ତା। ଏହି ଦିଗ ପ୍ରତି ଉଭୟ ସରକାର ପ୍ରାଥମିକତା ନ ଦେଉଥିବାରୁ ଡିଜେଲ୍‌ ଦର ବୃଦ୍ଧି ହେଉଛି ଓ ବସ୍‌ ଭଡ଼ା ବଢ଼ୁଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ କମ୍ ସଂଖ୍ୟକ ଯାତ୍ରୀ ନେଇ ବସ୍‌ଗୁଡ଼ିକ ଯାତାୟତ କରୁଥିଲା ବେଳେ ଭଡ଼ା ବଢ଼ିବା ଦ୍ବାରା ସମସ୍ୟା ଆହୁରି ଜଟିଳ ହେବ ବୋଲି ସଂଘ ଆଶଙ୍କା କରିଛି।

ସମ୍ବନ୍ଧିତ ଖବର