ସ୍ୱାଭିମାନ ଅଞ୍ଚଳରେ ବସ୍ ସେବା ଆରମ୍ଭ

ପ୍ରଥମ ଦିନ ହନ୍ତାଳଗୁଡ଼ାରୁ ଫେରିଲା ବସ୍, ଅପେକ୍ଷା କରି ରହିଗଲେ ଯୋଡ଼ାମ୍ବବାସୀ

ମାଲକାନଗିରି : ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ସଡ଼କ ପଥରେ ଯୋଡ଼ି ହୋଇଥିଲା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ। ଏହାପରେ ଗତକାଲି ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ବସ୍ ସେବା ଆରମ୍ଭ ହୋଇଥିଲେ ହେଁ ଯୋଡ଼ମ୍ବରେ ପହଞ୍ଚି ପାରି ନଥିଲା। ୭ କିଲୋମିଟର ପୂର୍ବରୁ ହନ୍ତାଳଗୁଡ଼ାରେ ପହଞ୍ଚିବା ପରେ ସେଠାରୁ ପୁଣି ଫେରି ଆସିଛି। ଯାହାକୁ ନେଇ ଯଡ଼ମ୍ବାବାସୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତ ଦିନରେ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ପର୍ଯ୍ୟନ୍ତ ବସ୍ ସେବା ଯୋଗାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ବିଏସ୍‌ଏଫ ଏବଂ ପୁଲିସର ସହାୟତାକ୍ରମେ ଗତକାଲି ଏହି ସେବା ଆରମ୍ଭ ହୋଇଥିଲା। କାଲିମେଳାରୁ ମାଲକାନଗିରି-ଚିତ୍ରକୋଣ୍ଡା ହୋଇ ଯୋଡ଼ାମ୍ବ ପର୍ଯ୍ୟନ୍ତ ବସ୍ ଚଳାଚଳ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ପରେ ଗନ୍ତବ୍ୟ ଅଭିମୁଖେ ବାହାରିଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ହନ୍ତାଳଗୁଡ଼ା ପହଞ୍ଚିବା ପରେ ଆଉ ଆଗକୁ ଯାଇପାରି ନଥିଲା। ହନ୍ତାଳଗୁଡ଼ାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ବର୍ତ୍ତମାନ ପିଚୁ ରାସ୍ତା କାମ ଚାଲିଥିବା ବେଳେ ବହୁ ସ୍ଥାନରେ ପାହାଡ଼ କାଟି ରାସ୍ତା ନିର୍ମାଣ କରାଯାଉଛି। ତେଣୁ ରାସ୍ତାର ବିଭିନ୍ନ ସ୍ଥାନରେ ପଥର ଖଣ୍ଡ ସବୁ ପଡ଼ିଛି। ସେହିପରି ବର୍ଷା ଯୋଗୁଁ ମାଟି ରାସ୍ତା ମଧ୍ୟ କାଦୁଅରେ ଭର୍ତ୍ତି ହୋଇଯାଇଛି। ଜନ୍ତୁରାଇଠାରେ ବଡ଼ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ଏଭଳି ବିପଦପୂର୍ଣ୍ଣ ରାସ୍ତାରେ ଚଳାଚଳ କରିବା ସମ୍ଭବ ହୋଇ ନଥିବାରୁ ହନ୍ତାଳଗୁଡ଼ାରେ ଯାତ୍ରୀଙ୍କୁ ଓହ୍ଲାଇ ବସ୍ ପୁଣି କାଲିମେଳା ଫେରି ଆସିଥିଲା।

ସୂଚନାଯୋଗ୍ୟ, ସ୍ବାଧୀନତା ପରେ ସ୍ବାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ବର୍ଷେ ହେଲା ତ୍ବରାନ୍ବିତ ହୋଇଛି। ପୂର୍ବରୁ ଏହି ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ହେଲେ ଜଳପଥରେ ପ୍ରାୟ ଦୁଇ ଦିନ ସମୟ ଲାଗି ଯାଉଥିଲା। ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଦୂରତା କମିଛି ଏବଂ କିଛି ଘଣ୍ଟା ମଧ୍ୟରେ ହିଁ ପହଞ୍ଚିବା ସମ୍ଭବ ହୋଇଛି। ତଥାପି ସ୍ବାଭିମାନ ଅଞ୍ଚଳରେ କିଛି ଦୁର୍ଗମ ଅଞ୍ଚଳକୁ ସଡ଼କ ପଥରେ ଏ ପର୍ଯ୍ୟନ୍ତ ଯୋଡ଼ିଯାଇ ପାରିନି। ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ବତ୍ତର୍ମାନ ଦ୍ରୁତଗତିରେ ଚାଲିଥିବାରୁ ଆଉ କିଛି ମାସ ମଧ୍ୟରେ ସ୍ବାଭିମାନ ଅଞ୍ଚଳର ସମସ୍ତ ଗାଁକୁ ପକ୍କା ରାସ୍ତା ହୋଇଯିବ ବୋଲି ସୂଚନା ମିଳିଛି। ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ନକ୍ସଲଙ୍କ ଗତିବିଧି ପ୍ରାୟ କମି ଯାଇଛି। ଯାହା ଫଳରେ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହେଉନଥିବା ଜଣାପଡ଼ିଛି। ତେଣୁ ଗତକାଲି ହନ୍ତାଳଗୁଡ଼ା ପର୍ଯ୍ୟନ୍ତ ଗଡ଼ିଥିବା ବସ୍ ଆଉ କିଛି ମାସ ମଧ୍ୟରେ ଯୋଡ଼ାମ୍ବ ପର୍ଯ୍ୟନ୍ତ ସେବା ଯୋଗାଇ ଦେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର