ବ୍ୟବସାୟୀଙ୍କୁ ଅପହରଣ ଘଟଣା : ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ବ୍ୟବସାୟୀ ତଥା ରାଜନେତା ସୁନିଲ ସାହୁଙ୍କୁ ଅପହରଣ ଘଟଣାକୁ ଇତି ମଧ୍ୟରେ ୪୮ଘଣ୍ଟା ବିତିଗଲାଣି। କିନ୍ତୁ ଏହି ସମ୍ଭେଦନଶୀଳ ଘଟଣାରେ ପୁଲିସକୁ କୌଣସି ସୁରାକ ମିଳୁ ନଥିବାରୁ ଖାଲି ହାତରେ ରହିଛି ପୁଲିସ। ଅନ୍ୟପଟେ ସୁନିଲ ସୁରକ୍ଷିତ ଭାବେ ଘରକୁ ଫେରି ଆସିବା ବାଟକୁ ଅନେଇ ବସିଛନ୍ତି ପରିବାର ଲୋକ। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା କହୁଥିଲେ ବି ଘଟଣା ପଛର କ’ଣ ରହସ୍ୟ ରହିଛି ସେନେଇ କିଛି ଖୁଲାସା କରୁନାହିଁ। ଯାହାଫଳରେ ପୁଲିସର ତତ୍ପରତାକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏହି ଅପହରଣ ଘଟଣା ଜିଲ୍ଲାରେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ରହିଛି ତାହାକୁ ପଦାରେ ପକାଇ ଦେଇଛି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଯଦି ଏହି ଘଟଣାର ଅତିଶୀଘ୍ର ପର୍ଦାଫାସ ନକଲେ ପୁଲିସ ଉପରୁ ଲୋକଙ୍କ ବିଶ୍ବାସ ତୁଟିବ ବୋଲି କୁହାଗଲାଣି। ସୁନିଲ ଶାସକ ଦଳର ଜଣେ ଆଗଧାଡ଼ିର ନେତା। ତେଣୁ ବିଜେଡି ବି ତାଙ୍କ ଅପହରଣ ଘଟଣା ପାଇଁ ଚିନ୍ତିତ ରହିଥିବା ଜଣାପଡ଼ିଛି। ଏରପିକି ନିଜେ ନବରଙ୍ଗପୁର ବିଧାୟକ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି। ପ୍ରଶାସନ ଜରିଆରେ ତାଙ୍କୁ ଠାବ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର