କରୋନା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ : ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା

କଟକ : ରାଜ୍ୟରେ କରୋନା ମୁକାବିଲା ଲାଗି ଉଦ୍ଦିଷ୍ଟ ସାମଗ୍ରୀ ପିପିଇ କିଟ୍, ମାସ୍କ, ସାନିଟାଇଜର ଇତ୍ୟାଦି କିଣାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଆବାହକ ସବ୍ୟସାଚୀ ମହାପାତ୍ର ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ‌କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଅର୍ଥ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ବହୁ ଟଙ୍କା ରାଜ୍ୟକୁ ଅନୁଦାନ ଦେଇଛନ୍ତି। କରୋନା ମୁକାବିଲା ପାଇଁ ମାସ୍କ, ପିପିଇ କିଟ୍, ସାନିଟାଇଜର, ଇନଫ୍ରାରେଡ୍ ଥର୍ମୋମିଟର, ବେଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ରାଜ୍ୟ ସରକାର ଖରିଦ କରିଥିବା ବେଳେ ଏଥିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି। ମହାମାରୀ କରୋନା ବିରୋଧରେ ଓଡ଼ିଶା ନିଜ ଲଢେଇ ଜାରି ରଖିଥିବାବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ମହାମାରୀରୁ ରକ୍ଷା କରିବା ଲାଗି ଆବଶ୍ୟକ ସୁରକ୍ଷା ସରଞ୍ଜାମ ଓ ସାମଗ୍ରୀ ସଂଗ୍ରହ ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲାଗିଥିଲା। ନିଗମ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଦୁଇଟି ଭିନ୍ନ ଭିନ୍ନ ଦରରେ ତ୍ରିସ୍ତରୀୟ ମାସ୍କ କିଣାକୁ ନେଇ ବିବାଦ ଦେଖା ଦେଇଥିଲା। ହରିୟାନାର ଏକ କମ୍ପାନିରୁ ୯ଟଙ୍କା ୯୦ ପଇସା ମୂଲ୍ୟରେ ମାସ୍କ କିଣା ଯାଇଥିବାବେଳେ ତାମିଲନାଡୁର ଏକ କମ୍ପାନିଠାରୁ ୧୬ ଟଙ୍କା ୯୦ ପଇସା ମୂଲ୍ୟରେ ୩୦ ଲକ୍ଷ ମାସ୍କ କିଣାଯିବା ଘଟଣା ସମଗ୍ର ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି।

ବାହାର ରାଜ୍ୟରୁ ଟ୍ରକ ଭର୍ତ୍ତି ପିପିଇ କିଟ୍, ମାସ୍କ, ସାନିଟାଇଜର, ନିଗମ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଟ୍ରକ୍‌ରେ ଏଭଳି ସାମଗ୍ରୀ‌ ଲୋଡ୍ ହୋଇ ନିଗମ ବାହାରେ ଠିଆ ହୋଇ ରହିଥିଲା। ଏ ସମସ୍ତ ଘଟଣା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ସେହିଭଳି ଭାବେ କିଣା ଯାଇଥିବା ପିପିଇ କିଟ୍ ମାନକୁ ‌ନେଇ ମଧ୍ୟ ପ୍ରଶ୍ନ ଉଠିଛି। କରୋନା ମୁକାବିଲା ବେଳେ ବିଭିନ୍ନ ସ୍ଥାନରେ କିଣାଯାଇଥିବା ଖଟ, ବେଡସିଟ ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ମଧ୍ୟ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯଦି କରୋନା ମୁକାବିଲା ପାଇଁ କିଣାଯାଉଥିବା ସାମଗ୍ରୀର ମାନ ଠିକ୍ ନ ରୁହେ ତେବେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପାରାମେଡିକାଲ ଷ୍ଟାଫଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଯାଉ। ଏ ସଂପର୍କିତ ସମସ୍ତ ରେକର୍ଡ ତଲବ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସେହିଭଳି ଭାବେ କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅକ୍ଷୟ କୁମାର ପତିଙ୍କ ପକ୍ଷରୁ ଏହି ପ୍ରସଂଗ ନେଇ ଅନଲାଇନରେ ଏକ ଜନସ୍ବାର୍ଥ ମାମଲା ଆଜି ଦାୟର କରାଯାଇଛି। ଏଭଳି ଅନିୟମିତତା ଯୋଗୁଁ ସାରା ରାଜ୍ୟବାସୀଙ୍କ ସହିତ କରୋନା ସଂକ୍ରମିତଙ୍କ ପରିବାର ଏବେ ବିପଦରେ ରହିଛନ୍ତି। ଘଟଣାର ବିଚାରବିଭାଗୀୟ ତଦନ୍ତ କରାଯାଉ। ନଚେତ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଆଇନଜୀବୀ ଘାସିରାମ ବର୍ମା, ତାପସ କୁମାର ଦ୍ବିବେଦୀ ଓ ସୁନୀଲ ବର୍ମା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର