ମନରେଗା କାମ ଭେଳିକି! ମେସିନ୍‌‌ରେ ଚାଲଛି କାମ, ପ୍ରବାସୀ ପାଉନାହାନ୍ତି

ବାଲିଅନ୍ତା: କରୋନା କଟକଣା ସମ୍ପୂର୍ଣ୍ଣ କୋହଳ ହୋଇନାହିଁ। ଏବେ ବି ଲକ୍‌ଡାଉନ୍‌ ଓ ସଟ୍‌ ଡାଉନ୍‌ ପର୍ଯ୍ୟାୟକ୍ରମେ ଜାରି ରହିଛି। ତେଣୁ ଗରିବ ଶ୍ରମଜୀବୀମାନଙ୍କ ଅବସ୍ଥାରେ ସୁଧାର ଆସିପାରିନାହିଁ। ତେବେ ଏହାଦ୍ବାରା ଅଧିକ ସମସ୍ୟାରେ ପଡ଼ି ଯାଇଛନ୍ତି ଘରକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନେ। ମନରେଗା ଯୋଜନାରେ କାମ ପାଇବା ଆଶା ସେମାନଙ୍କ ପୂରଣ ହୋଇପାରିନାହିଁ। ପଞ୍ଚାୟତ ପ୍ରଶାସନ ଏହି ଯୋଜନାରେ କେତେ କେତେ କାମ କରୁଛି। କିନ୍ତୁ ଜବ୍‌କାର୍ଡ ନଥିବାରୁ ରାଜ୍ୟ ବାହାରୁ ଘରକୁ ଫେରିଥିବା ଶ୍ରମିକମାନଙ୍କୁ ଏହି କାମରେ ନିୟୋଜିତ କରାଯାଉନାହିଁ। ଅନେକ ସ୍ଥାନରେ ମେସିନ୍‌ କାମ ପାଉଥିବା ବେଳେ ବିଚରା ଶ୍ରମିକମାନଙ୍କୁ କାମ ମିଳୁନାହିଁ। ତେଣୁ ରୋଜଗାର ଆଶାରେ ଚାତକ ଭଳି ଚାହିଁ ବସିଥିବା ପାଖାପାଖି ୧୬୦ ଶ୍ରମିକ ହତାଶ ହୋଇପଡ଼ିଛନ୍ତି।

ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ସଂଗରୋଧ କେନ୍ଦ୍ରରେ ୪ଶହରୁ ଅଧିକ ଲୋକ ଅଛନ୍ତି। ‌ସେମାନଙ୍କ ମଧ୍ୟରେ ୧୬୦ ଜଣ ପ୍ରବାସୀ ଓଡ଼ିଆ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ପଞ୍ଚାୟତ ଏବଂ ଗୃହ ସଂଗରୋଧ ଅବଧି ଶେଷ କରି ସାରିଛନ୍ତି। ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ ବୋଲି ଜଣାପଡ଼ିବା ପରେ ସେମାନେ କରୋନା ମୁକ୍ତ ବୋଲି କୁହାଯାଉଛି। ତେଣୁ ଏବେ ସେମାନେ କାମଧନ୍ଦା କରି ରୋଜଗାର କରିବା କଥା। ମାତ୍ର କାମ ନାହିଁ। ଦୀର୍ଘ ଅଢ଼େଇ ମାସ ହେଲା ସେମାନେ ହାତବାନ୍ଧି ବସିଛନ୍ତି। ପାଖରେ ପଇସାଟିଏ ନାହିଁ। ତେଣୁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ରୋଜଗାର ଅନ୍ବେଷଣରେ ଅଛନ୍ତି। କରୋନା ଭୟ ଓ ତାଲାବନ୍ଦ ଲାଗି ରହିଥିବାରୁ ସେମାନେ ପୁଣି ରାଜ୍ୟ ବାହାରକୁ ଯିବାର ରାସ୍ତା ନାହିଁ। ଏ ଅବସ୍ଥାରେ ମନରେଗା ହିଁ ସାହା ଭରସା। କିନ୍ତୁ ଜବ୍‌କାର୍ଡ ନଥିବାରୁ ସେମାନଙ୍କୁ କାମ ମିଳୁ ନାହିଁ। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ବର୍ତ୍ତମାନ ବିଭିନ୍ନ ପଞ୍ଚାୟତ‌ରେ ନୂତନ ପୋଖରୀ ଖନନ, ପୋଖରୀ ପୁନରୁଦ୍ଧାର, କର୍ଚ୍ଚା ରାସ୍ତା ଓ ଶ୍ମଶାନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଶହ ଶହ ଶ୍ରମିକ କାମ ପାଉଛନ୍ତି। ହେଲେ ପ୍ରବାସୀ ଓଡ଼ିଆଙ୍କୁ କାମ ଯୋଗାଇ ଦେବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଜବ୍‌କାର୍ଡ ନଥିବାରୁ ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସଂଗରୋଧ ଅବଧି ସରି ଯାଇଥିବା କିଛି ପ୍ରବାସୀ ଶ୍ରମିକଙ୍କ କହିବାନୁଯାୟୀ, ସେମାନେ ମନରେଗା ଯୋଜନାରେ କାର୍ଯ୍ୟ କରିବାକୁ ଇଚ୍ଛା କରୁଛନ୍ତି। କିନ୍ତୁ ସରପଞ୍ଚମାନେ ସେମାନଙ୍କ ନାମ ପଞ୍ଜୀକରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅଥଚ କେତେକ ପଞ୍ଚାୟତରେ ମେସିନ୍‌ କାମ କରୁଛି। ଏ ସଂପର୍କରେ ବିଡିଓ ଆଦିକନ୍ଦ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ପ୍ରବାସୀ ଓଡ଼ିଆ ଅଥବା ଶ୍ରମିକମାନେ ମନରେଗା ଯୋଜନାରେ ଜବ୍‌କାର୍ଡ ପାଇଁ ଆବେଦନ କଲେ ସେମାନଙ୍କୁ କାର୍ଡ ଯୋଗାଇ ଦିଆଯିବ ଓ ସେମାନଙ୍କୁ କାମ ମଧ୍ୟ ମିଳିବ।

ସମ୍ବନ୍ଧିତ ଖବର