ବାଇ-ଲ’ ବିବାଦ : ସନ୍ଦେହରେ ଏନ୍‌ଏମ୍ଏ, ଏଏସ୍‌ଆଇ

ସବୁ ଚୁପ୍ ବସିଥିଲେ, ଏବେ କାହିଁକି ଚେଇଁଉଠିଲେ?
ପୁରୀରେ ବାଇ-ଲ’ ମନା, ଭୁବନେଶ୍ବରରେ କ’ଣ ଅଲଗା?
କୀର୍ତ୍ତିରାଜି, ବିକାଶ ସମସ୍ତଙ୍କର; କାହା ସ୍ବାର୍ଥରେ ବିବାଦ?

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ମାତ୍ର କେଇ ଶହ ମିଟର ଦୂରରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ତତ୍‌ ସଂଲଗ୍ନ ଅଞ୍ଚଳ ଜବରଦଖଲ ହେଲା। ଏଏସ୍‌ଆଇ କର୍ତ୍ତୃପକ୍ଷ ଜାଣିପାରିଲେନି କେମିତି?

ଏଏସ୍‌ଆଇ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ ତିିନି କିଲୋମିଟର ଦୂରତା ମଧ୍ୟରେ ବିଏମ୍‌ସି, ବିଡ଼ିଏ ଓ ରାଜ୍ୟ ସଚିବାଳୟ ରହିଛି। ବର୍ତ୍ତମାନ ଏକାମ୍ର କ୍ଷେତ୍ରର ବିକାଶ ଦାୟିତ୍ବ ନେଇଥିବା ଓବିସିସି କାର୍ଯ୍ୟାଳୟ ମଧ୍ୟ ଏହି ଅଞ୍ଚଳରେ। କେନ୍ଦ୍ର ସରକାରଙ୍କ ସଂସ୍ଥା ଏଏସ୍‌ଆଇ- ରାଜ୍ୟ ସରକାରଙ୍କ ଏସବୁ ସଂସ୍ଥା କେତେଥର ଏକାଠି ବସିଲେଣି?

ଏବେ ଏକାମ୍ର କ୍ଷେତ୍ରରେ ବିକାଶ କାର୍ଯ୍ୟକ୍ରମ ପରେ ଏତେ ସବୁ ବିବାଦ କାହିଁକି? ହଠାତ୍ କାହିଁକି କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ) ମୁଣ୍ଡରେ ଏ ବାଇ-ଲ’ କଥା ପଶିଲା? ଏ ନେଇ ସର୍ବସାଧାରଣ ମତ ଲୋଡ଼ିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଆଗୁଆ ଅବଗତ କରିବାରେ କି ଅସୁବିଧା ଥିଲା? ଯଦି ଅବଗତ କରାଯାଇଥିଲା, ତେବେ ଏ ନେଇ ସଂପୃକ୍ତ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି କାହିଁକି?

ପୁରୀ ଶ୍ରୀମନ୍ଦିର ସମେତ ଭୁବନେଶ୍ବର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’) ଓ ଶୁକଶାରୀ ମନ୍ଦିର ସଂଲଗ୍ନ ଠାବ କୀର୍ତିରାଜି ଖନନ ପରିପ୍ରେକ୍ଷୀରେ ଉପୁଜିଥିବା ବିବାଦକୁ ନେଇ ଏମିତି ମା​ଳ ମାଳ ପ୍ରଶ୍ନ ସବୁ ମହଲକୁ ଆନ୍ଦୋଳିତ କଲାଣି। ଇତିମଧ୍ୟରେ ଏକାମ୍ର ବିକାଶ କାର୍ଯ୍ୟ ସେ ଅଞ୍ଚଳରେ ଅଟକିଯାଇଛି। ଏପଟେ ବିରୋଧ କାରଣରୁ ଶ୍ରୀମନ୍ଦିର କ୍ଷେତ୍ରରେ ବାଇ-ଲ’କୁ କେନ୍ଦ୍ର ପ୍ରତ୍ୟାହାର କରିନେଇଛି। କେନ୍ଦ୍ରମନ୍ତ୍ରୀ ସଫେଇ ଦେଇଥିଲେ ଯେ ଏନଏମ୍ଏ ଅଧ୍ୟକ୍ଷ ଜାଣିନଥିଲେ।

କିନ୍ତୁ ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’)କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ସ୍ଥିତିରେ ନାହାନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ ସିଧା ସିଧା ଜଣାଇଦେଇଛନ୍ତି ଯେ ଏହି ଅଧିନିୟମ କାଏମ୍ ରହିବ। ଯଦି ପୁରୀ ଶ୍ରୀମନ୍ଦିର ସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ ଜାଣି ନଥିଲେ, ତେବେ ଭୁବନେଶ୍ବର ସଂପର୍କରେ କ’ଣ ଜାଣିଥିଲେ?

ଇତିମଧ୍ୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଖୋର୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ଦେବୋତ୍ତର କମିସନର ସି ଆର୍ ମହାପାତ୍ର ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ)ର ସଦସ୍ୟ ସଚିବଙ୍କୁ ଚିଠି ଲେଖି ବାଇ-ଲ’ ପ୍ରତ୍ୟାହାର ଦାବି କରିଥିଲେ। ଏହି ଚିଠି ସେବେ କରାଯାଇଥିଲା, ଯେବେ ଶ୍ରୀମନ୍ଦିର ଚିଠି ଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେଉଁଠି ନା କେଉଁଠି ସୂଚନା ମିଳୁଛି ଯେ ଏସବୁ ଚିଠିର କୌଣସି ପ୍ରଭାବ ପଡ଼ିନାହିଁ।

କିନ୍ତୁ କେଉଁ ପରିସ୍ଥିତିରେ ପୁରୀ ଶ୍ରୀମନ୍ଦିର ପାଇଁ ଗୋଟିଏ ନିଷ୍ପତ୍ତି ହେବ, ସମାନ ଢଙ୍ଗରେ ଚାଲୁଥିବା ଅନନ୍ତ ବାସୁଦେବ ମନ୍ଦିର ପାଇଁ ଅନ୍ୟ ଢଙ୍ଗରେ ଏନ୍‌ଏମ୍ଏ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୁଝାପଡୁନାହିଁ।

ବୁଦ୍ଧିଜୀବୀ ମହଲରେ ବାଇ-ଲ’ ବିବାଦକୁ ନେଇ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଲେଣି। ମୁଖ୍ୟମନ୍ତ୍ରୀ ପୁରୀ ଭଳି ନିଜେ ଏକାମ୍ର କ୍ଷେତ୍ର ଯାଇ ସରକାରଙ୍କୁ ଅପିଲ୍ କରନ୍ତୁ ଓ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହୁଅନ୍ତୁ ବୋଲି ଏହି ମହଲ ମତ ରଖୁଛନ୍ତି। ସେହିଭଳି ଶୁକଶାରୀ ମନ୍ଦିର ସଂଲଗ୍ନ ବିବାଦ ସଂପର୍କରେ ମଧ୍ୟ କେନ୍ଦ୍ର-ରାଜ୍ୟ ଏକାଠି ବସିବାର ଆବଶ୍ୟକତା ରହିଛି ବୋଲି ଏହି ମହଲ ମତ ରଖିଛନ୍ତି।

ଏଠାେର ଉଲ୍ଲେଖଥାଉକି, ଜଣେ ଏଏସ୍‌ଆଇ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଐତିହ୍ୟ କୀର୍ତିରାଜିର ସୁରକ୍ଷା ନିଶ୍ଚିତ ପାଇଁ ବାଇ-ଲ’ କରାଯାଉଛି। ଏହାକୁ କାହିଁକି ବିରୋଧ କରାଯାଉଛି, ତାହା ବୁଝାପଡୁନାହିଁ।

ସେହିଭଳି ଜବରଦଖଲ ଠାରୁ ଆରମ୍ଭ କରି ବର୍ତ୍ତମାନର ବିକାଶ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଯେତେସବୁ ତ୍ରୁଟି ବିଚ୍ୟୁତି ହୋଇଛି, ସେ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିକୁ ଥରେ ନୁହେଁ,ବାରମ୍ବାର ଚିଠି ଲେଖାଯାଇଛି। ଥାନାରେ ବି ଏତଲା ଦିଆଯାଇଛି। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ େହାଇନାହିଁ। ଏଏସ୍‌ଆଇ ସଂରକ୍ଷିତ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳରେ କିଭଳି ସ୍ଥାନୀୟ କର୍ତ୍ତୃପକ୍ଷ ନିର୍ମାଣ ଆଦି ପାଇଁ ଅନୁମତି ଦେଉଛନ୍ତି ବୋଲି ସଂପୃକ୍ତ ଅଧିକାରୀ ଓଲଟା ପ୍ରଶ୍ନ କରିଛନ୍ତି।

ତେବେ ଏକାମ୍ର କ୍ଷେତ୍ର ବିକାଶ ସହିତ ବାଇ-ଲ’ର କୌଣସି ସଂପର୍କ ନାହିଁ। କିନ୍ତୁ ଏକାମ୍ର କ୍ଷେତ୍ରର ବିକାଶ କ୍ଷେତ୍ରରେ ବି ସରକାର ନିର୍ଦିଷ୍ଟ କଣ କରିବାକୁ ଚାହୁଁଛନ୍ତି, ତାହା ଏଯାଏ ଦେଇନାହାନ୍ତି। ଗତ ୨୨ ତାରିଖରେ ଓବିସିସି ଏମ୍‌ଡି ଜଣାଇଥିଲେ େଯ ୬ ଦିନ ମଧ୍ୟରେ ଜଣାଇବେ। କିନ୍ତୁ ଏଯାଏ ଏସବୁ ମିଳିନାହିଁ ବୋଲି ଅଧିକାରୀଜଣକ କହିଛନ୍ତି।

ଅନ୍ୟପଟରେ ରାଜ୍ୟ ସରକାରଙ୍କ ବିଏମ୍୍‌ସି, ବିଡ଼ିଏ, ଓବିସିସି ଅଧିକାରୀମାନଙ୍କର କହିବା କଥା ହେଉଛି, ଯେତେବେଳେ ଯାହା କରାଯାଉଛି, ସେ ସଂପର୍କରେ ଏଏସ୍‌ଆଇଙ୍କୁ ବିଶ୍ବାସକୁ ନିଆଯାଇଛି। ଏଏସ୍‌ଆଇ କର୍ତ୍ତୃପକ୍ଷ ସେଠାରେ ଠିଆହୋଇ କାମ କରିବାରେ କି ଅସୁବିଧା ରହିଛି। ମାତ୍ର ଚିଠି ଲେଖିଲେ ବି ସେମାନେ ଆସନ୍ତି ନାହିଁ। ସେମାନଙ୍କ ସହିତ ବାରମ୍ବାର ପତ୍ରାଳାପ କରାଯାଇଛି ଓ ଏହାର ପ୍ରମାଣ ରହିଛି।

ଗୋଟିଏ ପଟେ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କ ଏଜେନ୍ସି ଭିତରେ ବିବାଦ ଜମିଥିବା ବେଳେ ଅନ୍ୟପଟେ ବିଜେଡି-ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ମୁହାଁମୁହିଁ ହେଲେଣି ଓ କାଦୁଅ ଫିଙ୍ଗା ଜାରିହୋଇଛି। ମନ୍ଦିର, କୀର୍ତିରାଜିର ସୁରକ୍ଷା ଓ ବିକାଶ ଉଭୟ ଅପରିହାର୍ଯ୍ୟ େହାଇଥିବା ବେଳେ ଉଭୟ କେନ୍ଦ୍ର-ରାଜ୍ୟ ନ ଚେତିବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଲେଣି।

ଏମିତି ଫାର୍ସ କେତେ ଦିନ ଚାଲିବ?

ସମ୍ବନ୍ଧିତ ଖବର