ଜୁଆ ଆଡ଼ାରୁ ୩ ଗିରଫ, ୩ ଲକ୍ଷ ୮୮ ହଜାର ଜବତ

ଚିକିଟି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଧାନଘର ଫାଣ୍ଡି ଇଲାକାର ମେଣ୍ଟାଗାଁ ଜଙ୍ଗଲରେ ଦୀର୍ଘ ମାସ ଧରି ଚାଲିଥିବା ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ୩ ଲକ୍ଷ ୮୮ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ କରିଛି। ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି। ବ୍ରହ୍ମପୁର ଏସ୍.ପି. ଶ୍ରବଣ ବିବେକଙ୍କ ନିର୍ଦ୍ଦେଶ ତଥା କେ. ନୂଆଗାଁ ଥାନା ଏଏସଆଇ ସୁରେଶ ମୁର୍ମୁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଏହି ଚଢ଼ଉ କରିଥିଲା। ସୂଚନା ଥାଉକି, କୋଟିଲିଙ୍ଗି ପଞ୍ଚାୟତର ମେଣ୍ଟାଗାଁ ଜଙ୍ଗଲ ଆନ୍ଧ୍ର ସୀମାନ୍ତରେ ରହିଥିବାରୁ ରମ୍ପା, କୋଟିଲିଙ୍ଗି ସମେତ ଆନ୍ଧ୍ରର ଇଚ୍ଛାପୁର ଓ ସୋମପେଟା ଆଦି ଅଞ୍ଚଳରୁ ଜୁଆଡ଼ି ମାନେ ଆସି ଅଡ଼ା ଜମାଇଥିଲେ।

ମେଣ୍ଟାଗାଁ ଏବଂ ଆନ୍ଧ୍ରର ଜଣେ ଦଲାଲ ମିଶି ବହୁ ମାସ ଧରି ଏହି ଜୁଆ ଅଡ଼ା ଚଳାଇଥିଲେ। ଏହା ଉପରେ ପୁଲିସ ଚଢ଼ଉ କରିବା ପୂର୍ବରୁ ଜୁଆଡ଼ିଙ୍କ ପାଖରେ ଖବର ପହଞ୍ଚି ଯାଉଥିଲା। ଏନେଇ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ସେ ମେଟାଗାଁ ଜୁଆଆଡ଼ା ସଂପର୍କରେ କିଛି ଖବର ନଥିବା ଏବଂ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଉଥିଲେ। ମାତ୍ର ଅନ୍ୟପଟେ ମେଣ୍ଟାଗାଁରେ ଜୁଆ ଅଡ଼ା ଚାଲିଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା। ପରେ ଏସ୍.ପି.ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଜୁଆ ଆଡ଼ା ଉପରେ ଚଢ଼ଉ କରାଯାଇଛି। ଫଳରେ ଧାନଘର ଫାଣ୍ଡି ଅଧିକାରୀ ବିଜୟ ପ୍ରଧାନଙ୍କ ମିଛ ବୟାନ ଏବେ  ଧରା ପଡ଼ିଛି ବୋଲି ସଧାରଣରେ ଚର୍ଚ୍ଚା ହେଉଛି। ଏବଂ ଘଟଣାର ତଦନ୍ତ ପାଇଁ ଦାବି ହୋଇଛି।

 

ସମ୍ବନ୍ଧିତ ଖବର