କାଜୁ ନିଗମ ଅଧ୍ୟକ୍ଷଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପରିଦର୍ଶନ: କାରଖାନା ଧୂଆଁରେ ନଷ୍ଟ ହେଉଛି କାଜୁ ଚାଷ

ଭୁବନେଶ୍ବର : ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଗତ ସୋମବାର କେନ୍ଦ୍ରପଡ଼ା ଜିଲ୍ଲା ପରିଦର୍ଶନ କରିଛନ୍ତି। କେନ୍ଦ୍ରପଡ଼ା ଜିଲ୍ଲାର ରାମନଗର, ବ୍ୟହାକୁଦ ଓ ପିତାପାଟ ଅଞ୍ଚଳରେ ଥିବା କାଜୁ ଉଦ୍ୟାନଗୁଡ଼ିକୁ ବୁଲି ଦେଖିଛନ୍ତି। କାଜୁ ନିଗମ ଅଧୀନରେ ଥିବା ପ୍ରାୟ ୩୧୫ ଏକର ଜମିରେ ୩ଟି କାଜୁ ଉଦ୍ୟାନକୁ ଅନୁଧ୍ୟାନ କରି ଶ୍ରୀ ଦାସ ଜାଣିବାକୁ ପାଇଲେ କାଜୁ ଜଙ୍ଗଲ ଫୁଲ ଓ ଫଳ ଧାରଣ କରିବା ସମୟରେ ନିକଟରେ ଥିବା କେତେକ କାରଖାନାରୁ ନିର୍ଗତ ଦୂଷିତ ରାସାୟନିକ ବାଷ୍ପ ଯୋଗୁ ଫୁଲ ଓ ଫଳ ନଷ୍ଟ ହୋଇଯାଉଛି। ଯାହାଫଳରେ ଉଭୟ ନିଲାମଧାରୀ ଓ ନିଗମ କ୍ଷତି ସହୁଛନ୍ତି। ଏହାର ପ୍ରତିକାର କରିବା ପାଇଁ ସମ୍ପୃକ୍ତ କାରଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବା ସହ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଅବଗତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଗସ୍ତ ସମୟରେ ନିଗମର ସାଧାରଣ ପରିଚାଳକ(ବୈଷୟିକ) ବିଷ୍ଣୁ ଚରଣ ସାହୁ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତି ପାଇଁ ଆଲୋଚନା ୨୩ରେ
ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ସହ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ବିକାଶ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ‌ଲଗାତର ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଦାବିକୁ ଜୋର୍‌ଦାର କରିବା ସହ ଅଧିକ ଆଲୋଚନା ପାଇଁ ପରିଷଦ ପକ୍ଷରୁ ଆସନ୍ତା ୨୩ ତାରିଖ ଅପରାହ୍ନ ୪ଟାରେ ଲୋହିଆ ଏକାଡେମିରେ ଏକ ଆଲୋଚନାଚକ୍ର ଆୟୋଜନ କରାଯିବ। ଏଥିରେ ଜିଲ୍ଲାର ସଚେତକ ନାଗରିକମାନେ ଯୋଗ ଦେଇ ଜିଲ୍ଲାର ସ୍ବାସ୍ଥ୍ୟସେବା ପ୍ରସଙ୍ଗରେ ଆଲୋଚନା କରିବେ। ଆଲୋଚନାର ନିର୍ଯାସକୁ ନେଇ ପରବର୍ତ୍ତୀ ସମୟରେ ସରକାରଙ୍କୁ ଦାବିପତ୍ର ଉପସ୍ଥାପନ କରାଯିବ ବୋଲି ପରିଷଦର ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର ଓ ସଂଯୋଜକ ଡକ୍ଟର୍‌ ଅମୀୟ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର