ପୋଷ୍ଟ ଅଫିସରେ ୯୩ ଲକ୍ଷ ଟଙ୍କାର ଘୋଟାଲା, ମାଲକାନଗିରିରେ ସିବିଆଇ ଚଢ଼ଉ

ନିଲମ୍ବିତ ସବ୍ ପୋଷ୍ଟମାଷ୍ଟରଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର : ମାଲକାନଗିରି ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସରେ ପ୍ରାୟ ୯୩ ଲକ୍ଷ ଟଙ୍କା ହଡ଼ପ ନେଇ ମାମଲା ରୁଜୁ କରିଛି ସିବିଆଇ। ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟର ଏକ ଟିମ୍ ଆଜି ମାଲକାନଗିରି ଲଚ୍ଛିପେଟା ପୋଷ୍ଟ ଅଫିସରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେହିପରି ପୋଷ୍ଟ ଅଫିସର ନିଲମ୍ବିତ ତତ୍କାଳୀନ ସବ୍ ପୋଷ୍ଟମାଷ୍ଟର ବିଶ୍ବନାଥ ପୋଡ଼ିଆମି, ଦୁଇଜଣ ବ୍ୟକ୍ତି ମାଲକାନଗିରି କୋରୁକଣ୍ଡା ଖ୍ରୀଷ୍ଟିଆନ୍‌ ସାହିର ରଙ୍ଗାମା ରାଜୁ ଓ ଉଡୁପା ତଣ୍ଡାପାଲ୍ଲୀର ଘାସିରାମ ମାଡ଼କାମିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୨୦୧୯ ଅଗଷ୍ଟ ୨୯ ତାରିଖରୁ ୨୦୨୦ ଡିସେମ୍ବର ୩୧ ତାରିଖ ଭିତରେ ଏହି ଘୋଟାଲା ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୧୨୦(ବି),୪୨୦,୪୦୯ ଏବଂ ଦୁର୍ନୀତି ନିବାରଣ ଆଇନର ଦଫା-୧୩(୨), ୧୩(୧)(ଏ) ଅନୁସାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ୨୦୨୦ ଡିସେମ୍ବର ୩୧ ତାରିଖରେ ଲଚ୍ଛିପେଟା ପୋଷ୍ଟ ଅଫିସର କ୍ଲୋଜିଂ ବାଲାନ୍ସ ଯାଞ୍ଚ ସମୟରେ ମୋଟ ଅର୍ଥ ୯୪ ଲକ୍ଷ ୨ ହଜାର ୨୪୭ ଟଙ୍କା ରହିବା କଥା। କିନ୍ତୁ ଏହା ୮୨ ହଜାର ୬୮୧ ଥିଲା। ୯୩ ଲକ୍ଷ ୧୯ ହଜାର ୫୯୩ ଟଙ୍କା କମ୍ ରହିଥିଲା। ଖୋଳତାଡ଼ ପରେ ଏହି ଟଙ୍କା ସବ ପୋଷ୍ଟମାଷ୍ଟର ବିଶ୍ବନାଥ ପୋଡ଼ିଆମିଙ୍କ ଆକାଉଣ୍ଟକୁ ୬୦ ଲକ୍ଷ ୩୪ ହଜାର ୪ ଶହ ଟଙ୍କା, ରଙ୍ଗମା ରାଜୁଙ୍କ ଆକାଉଣ୍ଟକୁ ୧୩ ଲକ୍ଷ ୩୦ ହଜାର ଟଙ୍କା ଓ ଅନ୍ୟତମ ଅଭିଯୁକ୍ତ ଘାସିରାମ ମାଡକାମିଙ୍କ ଆକାଉଣ୍ଟକୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଯାଇଥିଲା। ବିଶ୍ବନାଥ ନିଜର ୟୁଜର୍ ଆଇଡି ଓ ପାସଵାର୍ଡ ବ୍ୟବହାର କରି ପୋଷ୍ଟ ଅଫିସ୍‌ ଆକାଉଣ୍ଟରୁ ଏହି ଟଙ୍କା କୋର୍ ବ୍ୟାଙ୍କିଙ୍ଗ ଜରିଆରେ ଟ୍ରାନ୍ସଫର କରିଥିବା ଜଣାପଡ଼ିଥିଲା। ପୂର୍ବରୁ ବିଶ୍ବନାଥଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଗତକାଲି ଏ ସଂକ୍ରାନ୍ତରେ କୋରାପୁଟ ପୋଷ୍ଟାଲ ଡିଭିଜନ୍‌ରେ କାର୍ଯ୍ୟରତ ସହକାରୀ ପୋଷ୍ଟ ସୁପରିନ୍‌ଣ୍ଟେଣ୍ଡେଣ୍ଟ ରାଜକିଶୋର ମହାରଣା ସିବିଆଇ ଭୁବନେଶ୍ବର ଶାଖାରେ ଲିଖିତ ଅଭିଯୋଗ କରିଥିଲେ। ସିବିଆଇ ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର