ଜୁଲାଇ ୧୫ ସୁଦ୍ଧା ସିବିଏସ୍‌ଇ ପରୀକ୍ଷା ଫଳ

ଆସେସ୍‌ମେଣ୍ଟ ସ୍କିମ୍‌ ମାଧ୍ୟମରେ ମୂଲ୍ୟାୟନ କରାଯିବ
ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଅପ୍‌ସନାଲ ପରୀକ୍ଷା ହେବ

ଭୁବନେଶ୍ବର : ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ହୋଇଥିବା ନେଇ ଗତକାଲି ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟକୁ ଅବଗତ କରାଯାଇଥିଲା। ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ମୂଲ୍ୟାୟନ ପ୍ରକ୍ରିୟା ସ୍ଥିର ହୋଇଛି। ପରୀକ୍ଷାର୍ଥୀଙ୍କ ଖାତାଗୁଡ଼ିକ ବିକଳ୍ପ ପଦ୍ଧତି(ଆସେସ୍‌ମେଣ୍ଟ ସ୍କିମ୍‌)ରେ ମୂଲ୍ୟାୟନ କରାଯାଇ ଜୁଲାଇ ୧୫ ସୁଦ୍ଧା ଉଭୟ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରାଯିବ। ଦ୍ବାଦଶ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନ ଥିବେ, ସେମାନଙ୍କ ଲାଗି କରୋନା ସ୍ଥିତି ସୁଧୁରିଲା ପରେ ଇଚ୍ଛାଧୀନ(ଅପ୍‌ସନାଲ) ପରୀକ୍ଷା କରାଯିବ। ଇଚ୍ଛାଧୀନ ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଚୂଡ଼ାନ୍ତ ବୋଲି ଧରାଯିବ। ତେବେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଲାଗି ଆଉ କୌଣସି ପ୍ରକାର ପରୀକ୍ଷା କରାଯିବ ନାହିଁ। ଆସେସ୍‌ମେଣ୍ଟ ସ୍କିମ୍‌ ମାଧ୍ୟମରେ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀଙ୍କର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି, ସେମାନଙ୍କ ପରୀକ୍ଷା ଫଳ ସ୍ବାଭାବିକ ଭାବେ ପ୍ରକାଶ ପାଇବ। ଯେଉଁମାନେ ୩ଟିରୁ ଅଧିକ ବିଷୟରେ ପରୀକ୍ଷା ଦେଇଛନ୍ତି, ସେଥିରୁ ଭଲ ନମ୍ବର ରଖିଥିବା ୩ଟି ବିଷୟର ହାରାହାରି ନମ୍ବରକୁ ଆଧାର କରି ବାକି ବିଷୟଗୁଡ଼ିକରେ ନମ୍ବର ଦିଆଯିବ। ଯେଉଁ ଛାତ୍ରଛାତ୍ରୀ କେବଳ ୩ଟି ବିଷୟରେ ପରୀକ୍ଷା ଦେଇଛନ୍ତି, ବାକି ବିଷୟର ପରୀକ୍ଷା ପାଇଁ ସବୁଠାରୁ ଭଲ ଦୁଇଟି ବିଷୟର ନମ୍ବରକୁ ବିଚାରକୁ ନିଆଯିବ। ଯେଉଁ ଛାତ୍ରଛାତ୍ରୀ କେବଳ ଗୋଟିଏ ବା ଦୁଇଟି ବିଷୟରେ ପରୀକ୍ଷା ଦେଇଛନ୍ତି, ସେମାନଙ୍କ ପରୀକ୍ଷା ଫଳ ଅନ୍ତରୀଣ(ଇଣ୍ଟରନାଲ)/ପ୍ରାକ୍ଟିକାଲ୍‌/ପ୍ରକଳ୍ପ(ପ୍ରୋଜେକ୍ଟ ଆସେସ୍‌ମେଣ୍ଟ) ମୂଲ୍ୟାୟନ ଭିତ୍ତି‌‌ରେ ପ୍ରକାଶ ପାଇବ। ଦିଲ୍ଲୀରେ ଥିବା ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମୁଖ୍ୟତଃ ଗୋଟିଏ କିମ୍ବା ଦୁଇଟି ବିଷୟରେ ପରୀକ୍ଷା ଦେଇଥିବା ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର