ରାଜ୍ୟରେ ବନ୍ଦ ହେବନି ସ୍କୁଲ, ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବାକୁ ଅନୁମତି ଦେଲା ସିବିଏସ୍‌ଇ

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି କରୋନା। ରାଜ୍ୟରେ କିଛିଦିନ ହେବ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ରାଜ୍ୟବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣରୁ ଯଥାସମ୍ଭବ ସତର୍କ ରହିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ତେବେ ରାଜ୍ୟରେ କରେନା ଭୂତାଣୁ ଚିହ୍ନଟ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ରାଜ୍ୟରେ ଏହି ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ। ଯଦିଓ ରାଜ୍ୟରେ ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇଛି, ମାତ୍ର ଏ ପର୍ଯ୍ୟନ୍ତ ଜଣେ ହେଲେ କରୋନା ପଜିଟିଭ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ତେଣୁ ରାଜ୍ୟରେ ସ୍କୁଲ ବନ୍ଦ ହେବ ନାହିଁ। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେକରୋନା ଭୂତାଣୁ ପାଇଁ ସ୍କୁଲଗୁଡ଼ିକୁ ସତର୍କ କରାଯାଇଛି। ଆଗକୁ ମଧ୍ୟ ଏହା ଜାରି ରହିବ। ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଅନ୍ୟ ରାଜ୍ୟରେ ଯେଉଁଠାରେ କରୋନା ପଜିଟିଭ୍ ଚିହ୍ନଟ‌ ହୋଇଛି ସେଠାରେ ସ୍କୁଲ ବନ୍ଦ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କେହି ଏଥିରେ ସଂକ୍ରମିତ ହୋଇ ନ ଥିବାରୁ ସ୍କୁଲ ବନ୍ଦ ହେବ ନାହିଁ। କେନ୍ଦ୍ର ମାନବ ସମ୍ବଳ ବିଭାଗ ଆଜି ଦେଶର ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ସ୍କୁଲ ଗୁଡ଼ିକରେ କରୋନା ଭୂତାଣୁ ସଂପର୍କରେ ସଚେତନତା କରାଯିବା ସହିତ ଛାତ୍ରଛାତ୍ରୀମାନେ ସଂକ୍ରମଣରୁ ବର୍ତିବା ଲାଗି କ’ଣ କ’ଣ କରିବେ ତାହା ସଂପର୍କରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ସିବିଏସ୍‌ଇ ପକ୍ଷରୁ ମଧ୍ୟ ଆଜି କରୋନା ସଂପର୍କିତ ଏକ ପ୍ରେସ୍ ବିବୃତିରେ ଜାରି କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।

ଅପରପକ୍ଷରେ ରାଜ୍ୟରେ ଆଜି କରୋନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା କରାଯାଇଛି। ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟର ଏସ୍‌ସିବି ଓ ଆରଏମ୍‌ଆରସିରେ ରକ୍ତ ନମୁନା ପରୀକ୍ଷା କେନ୍ଦ୍ର ଖୋଲିବ ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଚିଠି ଲେଖାଯିବ। ଲୋକମାନେ କୌଣସି ସ୍ଥାନରେ ଏକତ୍ର ନ ହେବା ସହିତ ବଡ଼ ବଡ଼ ସଭା ସମିତି ନ କରିବା ଲାଗି କୁହାଯାଇଛି। କରମର୍ଦ୍ଦନ, ଆଲିଙ୍ଗନଠାରୁ ଲୋକମାନେ ଯଥାସମ୍ଭବ ଦୂରେଇ ରହିବା ଲାଗି ସଚେତନ କରାଯାଉଥିବା ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର