କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି

ହେଲ୍ପ ଡେସ୍କ ବାଧ୍ୟତାମୂଳକ
୨୪ ଘଣ୍ଟା କାମ କରିବ
ସପ୍ତାହକ ଭିତରେ ନ ଖୋଲିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କରୋନା ‌ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଅନ୍ଧାରରେ ରହୁଛନ୍ତି। ହସ୍ପିଟାଲ୍‌ ପକ୍ଷରୁ କୌଣସି ସୂଚନା ମିଳୁ ନ ଥିବା ସମ୍ପର୍କରେ ଅଭିଯୋଗ ହୋଇ ଆସୁଛି। ଏ ସମ୍ପର୍କରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲଗାତାର ଅଭିଯୋଗ ଆସିଲା ପରେ ସରକାର ଚେତିଛନ୍ତି। କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ସମସ୍ତ କେନ୍ଦ୍ରରେ ହେଲ୍ପ ଡେସ୍କ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ଏ ନେଇ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ୍‌ କେୟାର ସେଣ୍ଟର୍‌, ଉତ୍ସର୍ଗୀକୃତ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର ଓ କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସପ୍ତାହକ ଭିତରେ ଏ ଦିଗରେ ଉଚିତ ପଦକ୍ଷେପ ନ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ସ୍ବାସ୍ଥ୍ୟ ବିଭାଗ। କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲ୍‌ ମଧ୍ୟ ହେଲ୍ପ ଡେସ୍କ ଖୋଲିବା ବାଧ୍ୟତାମୂଳକ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଜାରି କରିଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ ସବୁ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍ ଲାଇନ୍ ରହିବ। ତାହାକୁ ଯଥାସମ୍ଭବ ଟୋଲ୍‌ ଫ୍ରି କରାଗଲେ ଭଲ। ହେଲ୍ପ ଡେସ୍କ ନମ୍ବର ରାଜ୍ୟସ୍ତରୀୟ ପ୍ରାଧୀକୃତ ଅଧିକାରୀ(ଅତିରିକ୍ତ ଡିଏମ୍‌ଇଟି)ଙ୍କୁ ଅବଗତ କରାଇବାକୁ ପଡ଼ିବ। ସବୁ କୋଭିଡ୍‌ ଚିକିତ୍ସା କେନ୍ଦ୍ରର ହେଲ୍ପ ଡେସ୍କ ନମ୍ବର ସମ୍ପର୍କରେ ଲୋକଙ୍କୁ ବ୍ୟାପକ ଭାବେ ସୂଚନା ଦିଆଯିବ। ହେଲ୍ପ ଡେସ୍କରେ ଯଥେଷ୍ଟ ମାନବ ସମ୍ବଳ ନିୟୋଜିତ କରାଯିବ। ଆବଶ୍ୟକ ପଡ଼ିଲେ‌ ସ୍ବେଚ୍ଛାସେବୀ ସଂସ୍ଥାକୁ ସେଠାରେ ନିୟୋଜିତ କରାଯାଇପାରିବ। ‌ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଟେଲିଫୋନ୍‌ରେ କଥା ହେବା ବାଦ୍ ହେଲ୍ପ ଡେସ୍କର କର୍ମଚାରୀମାନେ ଆବଶ୍ୟକ ପଡ଼ିଲେ ହ୍ବାଟ୍‌ସ୍‌ ଆପ୍ ଯୋଗେ ସମ୍ପର୍କୀୟଙ୍କୁ ରୋଗୀଙ୍କ ଭଏସ୍‌ ଓ ଫଟୋ ପଠାଇପାରିବେ। ହସ୍ପିଟାଲ୍‌ ବାହାରେ ଏକ ସମ୍ମିଳନୀ କକ୍ଷ ପ୍ରସ୍ତୁତ କରାଯିବ। ସେଥିରେ ଟିଭି ଓ କ୍ୟାମେରା ବ୍ୟବସ୍ଥା ରହିବ। ତାହାକୁ ହସ୍ପିଟାଲ୍‌ ଭିତରେ ଲଗାଯାଇଥିବା ସିସି ଟିଭି ସହ ସଂଯୋଗ କରାଯିବ। ସେଠାରେ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ଦେଖିବା ସହ କଥା ହୋଇପାରିବେ। ରୋଗୀଙ୍କୁ ଆଡ୍‌ମିଟ୍‌ କଲା ବେଳେ ତାଙ୍କ ସମ୍ପର୍କୀୟଙ୍କ ନମ୍ବର ହସ୍ପିଟାଲ୍‌ରେ ରଖାଯିବ। ଯଦି ସମ୍ପର୍କୀୟ ତାଙ୍କ ଆଡୁ ଯୋଗାଯୋଗ ନ କରନ୍ତି, ତେବେ ହସ୍ପିଟାଲ୍‌ ପକ୍ଷରୁ ଦିନକୁ ଅତି କମ୍‌ରେ ଥରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ସମ୍ପର୍କୀୟଙ୍କୁ ଅବଗତ କରାଯିବ। ଏହି ନିୟମର ଖିଲାପ କଲେ ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସରକାରଙ୍କ ସହଯୋଗରେ ଖୋଲିଥିବା ହସ୍ପିଟାଲ୍‌କୁ ସରକାର ଦେୟ ଦେବେ ନାହିଁ ବୋଲି ସତର୍କ କରାଇ ଦିଆଯାଇଛି।

ସମ୍ବନ୍ଧିତ ଖବର