ରାଜ୍ୟ କ୍ଷମତା ଛଡ଼ାଇନେବ କେନ୍ଦ୍ର, ଯେ କୌଣସି ମୁହୂର୍ତ୍ତରେ ବାବୁଙ୍କୁ ଡେପୁଟେସନରେ ନେଇପାରିବେ

ଗୌଣ ହେଲା ରାଜ୍ୟର ଭୂମିକା, ଅଟକାଇ ମଧ୍ୟ ପାରିବେ ନାହିଁ

ଭୁବନେଶ୍ୱର : ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଆଇଏଏସ୍ ଅପିସରଙ୍କୁ କେନ୍ଦ୍ର ସରକାର ଯେ କୌଣସି ମୁହୂର୍ତ୍ତରେ ଏଣିକି ଡେପୁଟେସନରେ ନିଜ ପାଖକୁ ନେଇଯାଇପାରିବେ। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅନୁମୋଦନର ଆଉ ବିଶେଷ ଆବଶ୍ୟକତା ପଡ଼ିବ ନାହିଁ। ଏଭଳି କ୍ଷମତା ହାସଲ କରିବା ଲାଗି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ଆଇଏଏସ୍ (କ୍ୟାଡର) ନିୟମ, ୧୯୫୪ରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମ ଅନ୍ତର୍ଗତ ଧାରା- ୬ରେ ଏକ ନୂଆ ବ୍ୟବସ୍ଥା ଭର୍ତ୍ତି ହେବ।

ସବୁଠାରୁ ବଡ଼ କଥା ହେଲା, ଏହି ନୂଆ ନିୟମ କହୁଛି, କେନ୍ଦ୍ର କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦେଲେ, ରାଜ୍ୟ ତାଙ୍କୁ ଦାୟିତ୍ୱରୁ ମୁକ୍ତ କରିବ। ରାଜ୍ୟ କ୍ୟାଡରରେ ଥିବା ଅଧିକାରୀଙ୍କ ମଧ୍ୟରୁ ୪୦% ଡେପୁଟେସନରେ ରହିବେ। ରାଜ୍ୟ ଏନେଇ ନିୟମିତ ତାଲିକା ପ୍ରସ୍ତୁତ କରିବ। ଏପରିକି ଯଦି କେନ୍ଦ୍ରୀୟ ଡେପୁଟେସନ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ମଧ୍ୟରେ କୌଣସି ମତଭେଦ ହେଲା ତେବେ ଏହି ମାମଲା କେନ୍ଦ୍ର ସରକାରଙ୍କ ଦ୍ବାରା ବିଚାର ହେବ ଏବଂ ସଂପୃକ୍ତ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ।

ଅତି ସରଳ ଭାବେ କହିଲେ, ଆଇଏଏସ୍, ଅଫିସରମାନେ ବିଭିନ୍ନ ରାଜ୍ୟ ସରକାରଙ୍କ ଆଶୀର୍ବାଦରେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଯେଭଳି ଅବଜ୍ଞା କରି ଆସୁଥିଲେ, ସେଥିରେ ପୂର୍ଣ୍ଣଛେଦ ପଡ଼ିପାରେ। ବରଂ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣକୁ ଆସିଯିବେ। ଏ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କ କ୍ଷମତା ଏବେ ଗୌଣ ବା ସଙ୍କୁଚିତ ହେବାକୁ ଯାଉଛି। ସରକାର ଚାହିଁଲେ ବି ସେମାନଙ୍କୁ ସୁରକ୍ଷା ଦେଇପାରିବେ ନାହିଁ।

ଆଇଏଏସ୍ କ୍ୟାଡର ନିୟମରେ ବଡ ପରିବର୍ତ୍ତନ ଲାଗି ସଜବାଜ
ରାଜ୍ୟ ସରକାରମାନେ ବିରୋଧ କଲେଣି, ଅଟଳ ରହିଛି କେନ୍ଦ୍ର
ପ୍ରଶାସନିକ ସ୍ତରରେ ହଲଚଲ୍, ରାଜନୈତିକ ମହଲରେ କମ୍ପନ

The Indian Express

ଏଣୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରି କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର କଡ଼ା ବିରୋଧ କରିବା ଆରମ୍ଭ କଲେଣି। ତେବେ ଏ କ୍ଷେତ୍ରରେ ଓଡ଼ିଶାର ମତ କଣ ତାହା ଏଯାଏ ଜଣାପଡିନାହିଁ।

ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପୂର୍ବରୁ ଡିସେମ୍ବର ୨୦ ଏବଂ ୨୭ ତାରିଖ ଏବଂ ଜାନୁଆରି ୬ ତାରିଖରେ ଏଭଳି ନୂଆ ନିଷ୍ପତ୍ତି ସଂକ୍ରାନ୍ତରେ ତିନିଟି ଚିଠି ଲେଖି ରାଜ୍ୟମାନଙ୍କର ମତାମତ ଲୋଡ଼ିଥିଲେ। କିନ୍ତୁ ଏବେ ସୁଦ୍ଧା ସାତଟି ରାଜ୍ୟ ତାଙ୍କର ମତାମତ ବା ପ୍ରତିବାଦ ଜଣାଇଥିବା ବେଳେ ଅନ୍ୟମାନେ ନିରବ ରହିଛନ୍ତି। ସେପଟେ କେନ୍ଦ୍ର ସରକାର ଅଧିକ କଠୋର ହୋଇ ରାଜ୍ୟ ସରକାରମାନଙ୍କୁ ଜାନୁଆରି ୨୫ ତାରିଖ ସୁଦ୍ଧା ଜବାବ ଦାଖଲ ଲାଗି କଣ୍ଟ ଦେଇଛନ୍ତି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଯଦି ରାଜ୍ୟ ସରକାରମାନେ ଏହାର ଜବାବ ନ ଦିଅନ୍ତି ତେବେ ମନ୍ତ୍ରଣାଳୟ ସ୍ମାରକପତ୍ର ପଠାଇବ ଏବଂ ଏହାକୁ ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶ କରି ରାଜ୍ୟମାନଙ୍କୁ ଜଣାଇଦେବ।
କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବାର ପ୍ରଭାବଶାଳୀ ଓ କରିତକର୍ମା ଅଧିକାରୀମାନଙ୍କୁ ଜବରଦସ୍ତ ଝଟକା ଲାଗିଛି। କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଯଦି ଏହି ନିଷ୍ପତ୍ତିରେ ଅଟଳ ରହନ୍ତି, ତେବେ ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ସରକାର ବା କେନ୍ଦ୍ର ବିରୋଧୀ ଶାସନାଧୀନ ସରକାର ଏ କ୍ଷେତ୍ରରେ ଗଭୀର ଭାବେ ପ୍ରଭାବିତ ହୋଇପାରନ୍ତି। ସଂଘୀୟ ବ୍ୟବସ୍ଥା ଉପରେ ଏହା କୁଠାରଘାତ ବୋଲି କୁହାଯାଉଛି।

ରାଜ୍ୟର କିଛି ପୂର୍ବତନ ଆଇଏଏସ୍ ଅଫିସରଙ୍କର କହିବା କଥା ହେଉଛି, ଏମିତି କେବେ ନା କେବେ ହେବାର ଥିଲା। ଆଜିକାଲି ପ୍ରଶାସନିକ ଅଧିକାରୀ ରାଜ୍ୟରେ ଯେଭଳି କ୍ଷମତା ଓ ସୁବିଧା ଉପଭୋଗ କରୁଛନ୍ତି, ଯେଉଁ ପତିଆରା ଏଠାରେ ରହିଛି, କେନ୍ଦ୍ରରେ ସମସ୍ତଙ୍କୁ ଏସବୁ ମିଳିବା ଆଶା ବୃଥା। ସେମାନେ ରାଜ୍ୟ ସରକାରଙ୍କ ପକ୍ଷଭୁକ୍ତ ହୋଇ କେନ୍ଦ୍ରକୁ ବେଳେ ବେଳେ ଟକ୍କର ବି ଦେଉଛନ୍ତି। ଏସବୁକୁ ଲକ୍ଷ୍ୟ କରି ଗତ କିଛି ବର୍ଷ ହେଲା ରାଜ୍ୟରେ କାମ କରୁଥିବା ଆଇଏଏସବାବୁମାନଙ୍କ ଉପରେ କେନ୍ଦ୍ରର ନଜର ରହିଥିଲା। ଏମାନେ ରାଜ୍ୟ ଶାସନର ପୁରଭାଗକୁ ଆସି ଯେଭଳି ଗୋଟିଚାଳନା କରୁଛନ୍ତି, ତାହାକୁ କେନ୍ଦ୍ର ସରକାର ଗ୍ରହଣ କରିପାରୁନଥିଲେ। ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀମାନେ ଆସି ଅଫିସରମାନଙ୍କୁ ଟାର୍ଗେଟ କରିବାର ନଜିର ମଧ୍ୟ ଅନେକ ରହିଛି।

ଏଣୁ କିଛି ବର୍ଷ ତଳେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କ ନିକଟରେ ଆଇଏଏସ୍ ଅଫିସର ଅଭାବ ଦର୍ଶାଇ ଡେପୁଟି ସେକ୍ରେଟାରି ବା ଉପସଚିବ, ନିର୍ଦ୍ଦେଶକ ଏବଂ ଯୁଗ୍ମ ସଚିବଙ୍କ ସ୍ତରରେ ଅଧିକ ଅଧିକାରୀଙ୍କୁ କେନ୍ଦ୍ରକୁ ପଠାଇବାକୁ କହିଥିଲେ। ଏଥିରେ କିନ୍ତୁ ଅନେକ ରାଜ୍ୟ ଆଦୌ ଆଗ୍ରହ ଦେଖାଇଲେ ନାହିଁ। ଓଲଟା ଗତବର୍ଷ ଗୋଟିଏ ବଡ ଅଭାବନୀୟ ଘଟଣା ସାମ୍ନାକୁ ଆସିଲା। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଏ ବନ୍ଦୋପାଧ୍ୟାୟ ପ୍ରଧାନମନ୍ତ୍ରୀଙ୍କୁ ଅବଜ୍ଞା କରି ତାଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ନାହିଁ। ଏହି ଘଟଣାରେ କେନ୍ଦ୍ର ସରକାର ତାଙ୍କୁ ବଦଳି କରିବା ପରେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେବା ପରିବର୍ତ୍ତେ ଅବସର ନେଇଗଲେ। ଏହି ଫାଇଲ ଉପରେ ଏବେ ବି କେନ୍ଦ୍ର ସରକାରଙ୍କ ସ୍ତରରେ ବିଚାର ଚାଲିଛି।

Eduvoice

ଅବସରପ୍ରାପ୍ତ ପ୍ରଶାସକମାନଙ୍କର କହିବା କଥା ହେଲା, ଓଡ଼ିଶାରେ ବି ଅନେକ ଅଧିକାରୀ ଅଛନ୍ତି, ଯେଉଁମାନେ ନିଜ କ୍ୟାରିଅରରେ ଥରୁଟିଏ କେନ୍ଦ୍ରୀୟ ଡେପୁଟେସନରେ ଯାଇନାହାନ୍ତି। ଦ୍ବିତୀୟତଃ କିଛି ଅଧିକାରୀଙ୍କ ଉପରେ ଶାସନ କଳ ମାତ୍ରାଧିକ ନିର୍ଭର କରୁଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ବିତର୍କ ଜାରି ରହିଛି। ନିୟମ ଥରେ ସଂଶୋଧନ ହେଲେ ଏବେ କେନ୍ଦ୍ର ସରକାରଙ୍କ ଟାର୍ଗେଟକୁ ଏଭଳି ଅଫିସରମାନେ ଆସିବା ବିଚିତ୍ର ନୁହେଁ ଏବଂ ଏପରିକି ଏମାନଙ୍କୁ କେନ୍ଦ୍ର ନିଜ ପାଖକୁ ନେଇ ପ୍ରଭାବହୀନ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ନିକଟରେ ଏକ ସାକ୍ଷାତକାରରେ ପୂର୍ବତନ ମୁଖ୍ୟସଚିବ ଯୁଗୋଳ କିଶୋର ମହାପାତ୍ର କହିଥିଲେ ଯେ ଜଣେ ସରକାରୀ କର୍ମଚାରୀ ସଚ୍ଚୋଟ, ନିରପେକ୍ଷ ଓ ଦକ୍ଷ ହେବାର ଆଶା କରାଯାଏ। କିନ୍ତୁ ବର୍ତ୍ତମାନ ସମୟରେ ସେହି ବର୍ଗର ବହୁତ କମ୍ ଅଫିସର ଅଛନ୍ତି।

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ବିହାରରେ ୨୪୮ ଆଇଏଏସ୍ ଅଧିକାରୀ ଥିଲେ ହେଁ କେବଳ ୩୨ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। କେରଳରେ ୧୨୫ରୁ ୨୦, ତାମିଲନାଡୁରେ ୩୨୨ରୁ ୨୦, ଉତ୍ତରପ୍ରଦେଶରେ ୫୩୬ରୁ ୨୨ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଓଡ଼ିଶା ଆଇଏଏସରେ ଅନୁମୋଦିତ ପଦବି ସଂଖ୍ୟା ୨୪୮ ରହିଛି। କେନ୍ଦ୍ରୀୟ ଡେପୁଟେସନରେ ୫୮ଜଣ ଯିବା ନିୟମ ରହିଛି। ମାତ୍ର ୨୮ ଜଣ ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ଅନ୍ତଃ ରାଜ୍ୟ ଡେପୁଟେସନରେ ୨ଜଣଙ୍କୁ ପଠାଯାଇଛି।

ସମ୍ବନ୍ଧିତ ଖବର