ଜୁଲାଇ ୨୭ ତାରିଖ ଗୁରୁପୂର୍ଣ୍ଣିମାରେ ଦେଖିବାକୁ ମିଳିବ ଦୁଇଟି ବିରଳ ମହାଜାଗତିକ ଘଟଣା

ଭୁବନେଶ୍ୱର : ଜୁଲାଇ ୨୭ ତାରିଖ ଗୁରୁପୂର୍ଣ୍ଣମୀ ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଥିବା ବେଳେ ସେହିଦିନ ମଧ୍ୟ ମଙ୍ଗଳ ଗ୍ରହ ୨୦୦୩ ମସିହା ପରେ ପୃଥିବୀର ଖୁବ୍‌ ନିକଟକୁ ଆସିବ ଓ ବହୁତ ଉଜ୍ୱଳ ଦେଖାଯିବ ବୋଲି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସୂଚନା ଦିଆଯାଇଛି।

ଜୁଲାଇ ୨୭ ତାରିଖ ରାତି ୧୦ଟା ୪୪ ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ଖାଲି ଆଖିରେ ଗ୍ରହଣ ରାତି ୧୧ଟା ୫୪ ମିନିଟରୁ ଦେଖିହେବ ଓ ସେ ସମୟରେ ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ପ୍ରବେଶ କରିବା ଆରମ୍ଭ କରିବ। ଛାଇଟି ଧୀରେ ଧୀରେ ଆଗକୁ ବଢ଼ି ଭୋର ୧ଟା ସମୟରେ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇଦେବ ଓ ସେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ଭୋର ୨ଟା ୪୩ ମିନିଟ ସମୟ ଯାଏଁ ଦେଖାଯିବ। କିନ୍ତୁ ଏହାପରେ ମଧ୍ୟ ଚନ୍ଦ୍ର ଭୋର ୪ଟା ୫୮ ଯାଏଁ ପୃଥିବୀର ଉପଛାୟାରେ ରହିବ ଯାହା କାଲି ଆଖିରେ ଦେଖିହେବ ନାହିଁ। ଭୋର ୧ଟାରୁ ୨ଟା ୪୩ ମିନିଟ ଦୀର୍ଘ ଦୁଇ ଘଣ୍ଟା ୪୩ ମିନିଟ ଧରି ପୂର୍ଣ୍ଣ ଗ୍ରହଣ ରହିବ ଓ ସେ ସମୟରେ ଚନ୍ଦ୍ର ଲାଲ୍‌/ନାରଙ୍ଗି ରଙ୍ଗର ଦେଖାଯିବ। ସୂର୍ଯ୍ୟଙ୍କର କିରଣ ପୃଥିବୀର ବାୟୁମଣ୍ଡଳରେ ବିଛୁରିତ ହୋଇ ଚନ୍ଦ୍ରରେ ପଡୁଥିବାରୁ ଚନ୍ଦ୍ର ଏପରି ଲାଲ୍‌/ନାରଙ୍ଗି ରଙ୍ଗର ଦେଖାଯାଏ। ଓଡ଼ିଶା ତଥା ଭାରତର ସମସ୍ତ ଅଞ୍ଚଳକୁ ଚନ୍ଦ୍ରଟି ସେ ସମୟରେ ମଳିନ ଲାଲ/ନାରଙ୍ଗି ରଙ୍ଗର ଦେଖାଯିବ କିନ୍ତୁ ସେ ସମୟରେ ଆକାଶ ମେଘମୁକ୍ତ ରହିବା ଦରକାର।

ସେହିଦିନ ମଧ୍ୟ ମଙ୍ଗଳ ଗ୍ରହ ୨୦୦୩ ମସିହା ପରେ ପୃଥିବୀର ସବୁଠାରୁ ନିକଟକୁ ଆସିବ। ଆମେ ଜାଣିଛେ ଯେ ପ୍ରତ୍ୟେକ ୭୮୦ ଦିନରେ ଥରେ ପୃଥିବୀ ମଙ୍ଗଳ ଗ୍ରହକୁ ଅତିକ୍ରମ କରିଥାଏ ଓ ସେହି ସମୟରେ ଗ୍ରହ ଦୁଇଟି ନିକଟତର ହୋଇଥାନ୍ତି। କିନ୍ତୁ ପ୍ରତି ୧୫ରୁ ୧୭ ବର୍ଷରେ ଥରେ ଗ୍ରହ ଦୁଇଟି ଖୁବ୍‌ ନିକଟକୁ ଆସିଥାନ୍ତି। ୨୦୦୩ ମସିହା ପରେ ୨୦୧୮ ମସିହା ଜୁଲାଇ ୨୭ ତାରିଖ ଦିନ ଗ୍ରହ ଦୁଇଟି ମଧ୍ୟରେ ଥିବା ଦୂରତା ଖୁବ୍‌ କମ୍‌ ହେବ। ପୃଥିବୀର ଖୁବ୍‌ ନିକଟରେ ଥିବାରୁ ମଙ୍ଗଳ ଖାଲି ଆଖିକୁ ଉଜ୍ଜ୍ୱଳ ଲାଲ ରଙ୍ଗର ତାରା ଭଳି ଦେଖାଯିବ। ୨୦୧୮ ମସିହା ଜୁଲାଇ ଓ ଅଗଷ୍ଟ ମାସର ପ୍ରତ୍ୟେକ ରାତିରେ ମଙ୍ଗଳ ଗ୍ରହଟି ପ୍ରାୟ ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଉଦୟ ହୋଇ ଧୀରେ ଧୀରେ ଉପରକୁ ଉଠି ମଧ୍ୟରାତ୍ର ବେଳକୁ ମୁଣ୍ଡ ଉପର ହୋଇ ପାହାନ୍ତିଆ ବେଳକୁ ପଶ୍ଚିମରେ ଅସ୍ତ ହେବ। ଏହି ସମୟରେ ମଙ୍ଗଳ ବୃହସ୍ପତି ଗ୍ରହ ଠାରୁ ମଧ୍ୟ ଉଜ୍ୱଳ ଦେଖାଯିବ। ମେଘମୁକ୍ତ ରାତିର ଆକାଶରେ ଚନ୍ଦ୍ର ଓ ଶୁକ୍ର ପରେ ତୃତୀୟ ଉଜ୍ଜ୍ୱଳତମ ପିଣ୍ଡ ଭାବରେ ମଙ୍ଗଳ ଦେଖାଯିବ।

ଏହି ଦୁଇଟି ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ। ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଏହାକୁ ଖାଲି ଆଖିରେ ଦେଖିହେବ। ଗ୍ରହଣ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ। ଏ ସମ୍ପର୍କରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ଭୁବନେଶ୍ୱର ତରଫରୁ କେତେଗୁଡିଏ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ, ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର