ପ୍ରମାଣପତ୍ର ପାଇଁ ଆଉ ତହସିଲ୍‌ ଅଫିସ୍‌ କିମ୍ବା ଆର୍‌ଆଇ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ : ଏବେ ହାତପାଆନ୍ତାରେ ମିଳିବ ପ୍ରମାଣପତ୍ର

ସ୍ୱଘୋଷିତ ତଥ୍ୟ ଭିତ୍ତି‌େର ଆବାସିକ ଓ ଆୟ ପ୍ରମାଣପତ୍ର
ମୋବାଇଲ୍‌ ଆପ୍ ଜରିଆରେ ଦେଇହେବ ଜମି ଖଜଣା
କର୍ମଚାରୀଙ୍କ ମୃତ୍ୟୁ ‌ହେଲେ ଉତ୍ତରାଧିକାରୀ ପ୍ରମାଣପତ୍ର ଦରକାର ନାହିଁ
ପ୍ରମାଣପତ୍ର ଲୋକଙ୍କ ଅଧିକାର, ତେଣୁ ମାଗଣାରେ ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆବାସିକ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ପାଇଁ ଆଉ ତହସିଲ୍‌ ଅଫିସ୍‌ କିମ୍ବା ଆର୍‌ଆଇ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ପ୍ରମାଣପତ୍ର ପାଇଁ ଆବେଦନ କରିହେବ। ସ୍ୱଘୋଷିତ ତଥ୍ୟ ଆଧାରରେ ହିଁ ପ୍ରମାଣପତ୍ର ସରକାର ଦେବେ। ଏହା ବି ଘରେ ବସି ଇଣ୍ଟର୍‌ନେଟ୍‌ ଜରିଆରେ ମିଳିଯିବ। ରାଜସ୍ବ ସେବା କ୍ଷେତ୍ରରେ ଏପରି ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସରକାର। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇ-ସାର୍ଟିଫିକେଟ୍‌ ପାଇଁ ଏକ ସ୍ବତନ୍ତ୍ର ପୋର୍ଟାଲ୍‌କୁ ଲୋକାର୍ପଣ କରିଛନ୍ତି।

ଏହା ସହ ଘ‌ରେ ବସି ଜମି ଖଜଣା ମଧ୍ୟ ମୋବାଇଲ୍‌ ମାଧ୍ୟମରେ ପ୍ରଦାନ କରିହେବ। ଏଥିପାଇଁ ରାଜସ୍ବ ବିଭାଗ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍ ‘ପାଉତି’ ପ୍ରସ୍ତୁତ କରିଛି। ଆଜି ମୁଖ୍ୟମନ୍ତ୍ରୀ ଏହି ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଗତ ଅଗଷ୍ଟ ୧୫ ତାରିଖରେ ଖଜଣା ଦେବା ପାଇଁ ମଧ୍ୟ ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟୋଗ। ସାରା ଦେଶରେ ଏହା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ବୋଲି ସରକାର ଦାବି କରିଛନ୍ତି।

କେବଳ ସେତିକି ନୁହେଁ, ଆବାସିକ, ଆୟ ଓ ଅନ୍ୟାନ୍ୟ ସାର୍ଟିଫିକେଟ୍‌ଗୁଡ଼ିକ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ସାର୍ଟି‌ଫିକେଟ୍‌ଗୁଡ଼ିକ ପାଇବା ଲୋକଙ୍କ ଅଧିକାର। ତେଣୁ ସାର୍ଟିଫିକେଟ୍‌ ପାଇବା ପାଇଁ ହିତାଧିକାରୀଙ୍କୁ କୌଣସି ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ। ଏହା ସହିତ ସଲ୍‌ଭେନ୍ସି ସାର୍ଟିଫିକେଟ୍‌ ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଗଲା।

ଆଗାମୀ ଦିନରେ ଆହୁରି ଅନେକ ସାର୍ଟିଫିକେଟ୍‌ ସୁବିଧା ଏହି କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ‌େକ୍ଷତ୍ରରେ ଓ ପ୍ରାପ୍ୟ ପାଇବା ପାଇଁ ଉତ୍ତରାଧିକାରୀ ସାର୍ଟିଫିକେଟ୍‌ର ଆବଶ୍ୟକତା ମଧ୍ୟ ଏଣିକି ରହିବ ନାହିଁ। କର୍ମଚାରୀଙ୍କ ସର୍ଭିସ୍ ବୁକ୍‌ର ଏଣ୍ଟ୍ରି ଅନୁଯାୟୀ ସେମାନଙ୍କ ଉତ୍ତରାଧିକାରୀମାନେ ସବୁ ପ୍ରକାର ସୁବିଧା ପାଇପାରିବେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଲୋକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ କରିବା ପାଇଁ ସବୁ ସରକାରୀ ‌େସବାଗୁଡ଼ିକୁ ଲୋକଙ୍କ ନିକଟକୁ ନେବା ପାଇଁ ଉଦ୍ୟମ ଜାରି ରହିଛି। ଏହିସବୁ ପଦକ୍ଷେପ ଲୋକଙ୍କ ସାଧାରଣ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।

ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ଏହି ପଦକ୍ଷେପ ଦ୍ବାରା ରାଜସ୍ବ ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇପାରିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ ଯେ ୫-ଟି କାର୍ଯ୍ୟକ୍ରମ ଲୋକଙ୍କ ଦୈନନ୍ଦିନ ଚଳଣୀରେ ବହୁତ ସୁବିଧା ଆଣିପାରିଛି ଏବଂ ଦେଶରେ ଏପରି ସୁବିଧା ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ରାଜ୍ୟରେ ଉପଲବ୍ଧ ହୋଇନାହିଁ।

ମାତ୍ର ୪ ମାସ ମଧ୍ୟରେ ଏହି ଉଦ୍ୟମର କଳ୍ପନା କରାଯିବା ସହିତ କାର୍ଯ୍ୟକାରୀ ହୋଇପାରିଥିବାରୁ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ ବିବାହ ପ୍ରମାଣ ପତ୍ର ସମେତ ଅନ୍ୟାନ୍ୟ ସୁବିଧା କିପରି ଲୋକମାନେ ସହଜରେ ପାଇପାରିବେ, ‌େସ ସମ୍ପର୍କରେ ମତାମତ ଜଣାଇବା ପାଇଁ ଜିଲ୍ଲାପାଳ ଓ କର୍ମଚାରୀଙ୍କ ପରାମର୍ଶ ଆହ୍ବାନ କରିଥିଲେ। ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ୫-ଟି ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

ନୂଆ ବ୍ୟବସ୍ଥା ସମ୍ପର୍କରେ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି, ଏବେ ଯେ କୌଣସି ସ୍ଥାନରେ ବସି ପ୍ରମାଣପତ୍ର ପାଇଁ http://edistrict.odisha.gov.in ପୋର୍ଟାଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହା ବାଦ୍ ନାଗରିକମାନେ ଯେ କୌଣସି କମିସନ୍ ସର୍ଭିସ୍ ସେଣ୍ଟର୍‌(ସିଏସ୍‌ସି) ଯାଇ ଯେ କୌଣସି ତହସିଲ୍‌ରେ ଆବେଦନ କରିପାରିବେ। ଆବେଦନକାରୀ ପୋର୍ଟାଲ୍‌ରୁ ହିଁ ପ୍ରମାଣପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ଏହା ଦ୍ବାରା ସରକାରୀ କାର୍ଯ୍ୟାଳୟକୁ ନ ଯାଇ ପ୍ରମାଣପତ୍ର ମିଳିପାରୁଥିବାରୁ ଛାତ୍ରଛାତ୍ରୀ ଓ ଯୁବପିଢ଼ି ବି‌େଶଷ ଉପକୃତ ହୋଇପାରିବେ। ପ୍ରତି ବର୍ଷ ୫୦ ଲକ୍ଷ ଆବେଦନକାରୀ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର