ବିଧାୟକଙ୍କୁ ପିସିସି ସଭାପତି କରାଯିବା ସପକ୍ଷରେ ତାରା: ବିଧାୟକ ଦଳ ନେତା ପରିବର୍ତ୍ତନ ଲାଗି ସାଲୁଜା ଓ ଅଧିରାଜଙ୍କ ଦାବି

ଭୁବନେଶ୍ୱର:ପିସିସି ସଭାପତି ପରିବର୍ତ୍ତନ ନେଇ ତିନି କଂଗ୍ରେସ ବିଧାୟକ ନିଜର ମତ ରଖିଛନ୍ତି। ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ପିସିସି ପରିବର୍ତ୍ତନ ସୁନିଶ୍ଚିତ। ବିଧାୟକମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ। ଜଣେ ବିଧାୟକ ପିସିସି ସଭାପତି ହେଲେ ତାଙ୍କ ସହ ନଅ ବିଧାୟକ ବୁଲିବେ ଓ ଦଳ ଦମ୍ ଦେଖାଇ ପାରିବ। ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବି ନାହିଁ। ବିଧାୟକମାନଙ୍କ ସହ ଆଲୋଚନା କରି କଣ କରାଯିବ ସେ ନିଷ୍ପତ୍ତି ନେବୁ।
ସେପଟେ ପିସିସି ପରିବର୍ତ୍ତନ ପ୍ରସଙ୍ଗ ଭିତରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେବଳ ପିସିସି ସଭାପତି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି। ଏ କଥା ଦଳର ପ୍ରାୟ ଅଧିକାଂଶ ବିଧାୟକ କହୁଛନ୍ତି। ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ସାଲୁଜା କହିଛନ୍ତି ସେ ଯିଏ ହୁଅନ୍ତୁ ନା କାହିଁକି, ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ।
ଏଣେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଥର ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ। କିନ୍ତୁ ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ଯଦି ହାଇକମାଣ୍ଡ ସଭାପତି କରନ୍ତି, ତେବେ ଆମେ ତାଙ୍କୁ ସମର୍ଥନ କରିବୁ । ଏହା ସହ ବିଧାୟକ ଦଳ ନେତା ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ମମିତା ମେହେର ଘଟଣାରେ ନରସିଂହ ମିଶ୍ରଙ୍କ ବଡ଼ପୁଅ କଣ ପାଇଁ ସ୍ପେସାଲ୍ ପିପି ନିଯୁକ୍ତ ହେଲେ ଆମେ ଏ ନେଇ ସଂଗଠନରେ ଆଲୋଚନା କରିବୁ। ନରସିଂହ କଂଗ୍ରେସ ବିଧାୟକ ଦଳ ନେତା ଥିବା ବେଳେ ତାଙ୍କ ପୁଅ କେଉଁ ପରିସ୍ଥିତିରେ କାହିଁକି ସ୍ପେଶାଲ ପିପି ହେଲେ ବୁଝାପଡୁନାହିଁ?

ସମ୍ବନ୍ଧିତ ଖବର