ଆଇନଜୀବୀଙ୍କୁ ମାଡ଼ ଘଟଣା: ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍‌

କଟକ : କଟକ ବଡ଼ ଡାକ୍ତରଖାନାରେ ହାଇକୋର୍ଟର ଆଇନଜୀବୀ ତଥା ରୋଗୀ ସଂପର୍କୀୟଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାମଲାରେ ସାତ ଜଣ ଡାକ୍ତରଙ୍କ ବିରୋଧରେ ପୁଲିସ ଚାର୍ଜସିଟ ଦାଖଲ କରିଛି। ଘଟଣାର ତଦନ୍ତ କରି ମଙ୍ଗଳାବାଗ ଥାନା ପୁଲିସ ଆଇପିସିର ଦଫା ୩୪୧,୩୪୨, ୩୨୩, ୨୯୪, ୫୦୬, ୩୪ରେ ଚାର୍ଜସିଟ ଦାଖଲ କରିଛନ୍ତି। ସମ୍ପୃକ୍ତ ଡାକ୍ତରମାନେ ହେଲେ; ବିଜୟ କମାର ମହାନ୍ତି, ସୌମ୍ୟରଂଜନ ପ୍ରଧାନ, ଅଭିଷେକ ନନ୍ଦ, ତନ୍ମୟ ପାଢୀ, ଓମ୍ ମିଶ୍ର, ସ୍ବାଗତ ମହାନ୍ତି ଓ ଅମୂଲ୍ୟ କୁମାର ଜେନା। ସମସ୍ତେ ଏସ୍‌ସିବି ନ୍ୟୁରୋଲୋଜି ବିଭାଗର ପିଜି ତୃତୀୟ ବର୍ଷର ବୋଲି ଜଣାପଡ଼ିଛି।

୨୦୨୧, ଅକ୍ଟୋବର ୨୧ରେ ଏହି ଘଟଣାକୁ ନେଇ ମଙ୍ଗଳାବାଗ ଥାନାରେ ଏତଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଏତଲାକାରୀ ଆଇନଜୀବୀ ସପନ କୁମାର ପାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ ଶାଶୂଙ୍କ ସ୍ନାୟୁଜନିତ ରୋଗ ଚିକିତ୍ସା ପାଇଁ ଶ୍ରୀ ପାଳ ଏସ୍‌ସିବି ମେଡିକାଲ ଯାଇଥିଲେ। ଆଉଟ୍‌ଡୋରରେ ଅବ୍ୟବସ୍ଥା ଓ ଡାକ୍ତର ନଥିବା ଘଟଣାକୁ ନେଇ ଶ୍ରୀ ପାଳ ପ୍ରଶ୍ନ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା। କିଛି ସମୟ ପରେ ପୁଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ଏ ସଂପର୍କିତ ମାମଲା ପରିଚାଳନା କରୁଥିବା ଆଇନଜୀବୀ ନିଶିକାନ୍ତ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ୭ ଜଣ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ନେଇ ସରକାରଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଗତ ତିନିବର୍ଷ ଭିତରେ ଏଭଳି ୪ଟି ମାମଲାରେ ୩୦ ଜଣ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ପୁଲିସ ଦାଖଲ କରିଛି ବୋଲି ସରକାରଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି ଏବଂ ଗ୍ରୀଷ୍ମ ଅବକାଶ ପରେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର