ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତି: ସଅଳ ଆସିଲେ ସାଆନ୍ତେ

୩ ଘଣ୍ଟା ଆଗରୁ ପହଣ୍ଡି, ରଥଟଣା, ଦର୍ଶନ କଲେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ,  ବଡ଼ଦାଣ୍ଡରେ ଭାବପ୍ରବଣ ହେଲେ ଭକ୍ତ 

ପୁରୀ : ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ ମାନବୀୟ ଲୀଳାଖେଳା କରିଛନ୍ତି ମହାପ୍ରଭୁ। ବର୍ଷକ ପରେ ପୁଣିଥରେ ବଡ଼ଦାଣ୍ଡରେ ଘର୍ଘର ନାଦରେ ଗଡ଼ିଛି ତିନି ରଥ। ଦୁଇବର୍ଷ ପରେ ଭକ୍ତ-ଭଗବାନଙ୍କ ଭିତରେ ହୋଇଛି ଅପୂର୍ବ ମିଳନ। ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ। ଭକ୍ତ ବିନୋଦିଆ କାଳିଆ ଠାକୁରଙ୍କୁ ଦେଖି ନୃତ୍ୟଗୀତରେ ଝୁମିବା ସହ ବଡ଼ଦାଣ୍ଡରେ ଲୋଟିଛନ୍ତି ଭକ୍ତ। ଦୁଇବର୍ଷ ପରେ ଚର୍ମଚକ୍ଷୁରେ ଦର୍ଶନ ସହ କାଳିଆର ରଥ ଦଉଡ଼ିକୁ ସ୍ପର୍ଶ କରି ଝରାଇଛନ୍ତି ଲୋତକ।
ଶୁକ୍ରବାର ଦିନ ପବିତ୍ର ଘୋଷଯାତ୍ରାରେ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ। ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରଥ ଉପରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସଅଳ ପହଣ୍ଡି ଓ ରଥଟଣା ପାଇଁ ତିନିରଥ ବି ଆଜି ସଂଧ୍ୟା ସୁଦ୍ଧା ଶ୍ରୀଗୁଣ୍ଡିଚା ବାଡ଼ିରେ ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ବଜ, ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ପରେ ଆଜି ଅପରାହ୍ନରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ପରେ ରତ୍ନସିଂହାସନରୁ ଦର୍ଶନ ଦେଉଥିବା ମହାବାହୁ ଜନ୍ମବେଦିରୁ ଦର୍ଶନ ଦେବେ।
ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଶୁକ୍ରବାର ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହେବାର ନୀତି ନିର୍ଘଣ୍ଟ ହୋଇଥିଲା। ସେହିଭଳି ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି ନୀତି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ, ଏହାର ୩ ଘଣ୍ଟା ପୂର୍ବରୁ ପହଣ୍ଡି ସହ ରଥଟଣା ଆରମ୍ଭ ହୋଇଥିଲା।
ଶୁକ୍ରବାର ଭୋର  ୩ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ବେଶ ଶେଷ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ଭୋର ୫ଟା ୪୦ରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା। ସକାଳ ୬ଟାରେ ରଥ ପ୍ରତିଷ୍ଠା, ୬ଟା ୫ରେ ପୁଷ୍ପାଞ୍ଜଳି, ୬ଟା ୧୦ରେ ଡୋର ଲାଗି ପରେ ୬ଟା ୧୫ରୁ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ଅଣସର ପିଣ୍ଡିରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ମା’ ସୁଭଦ୍ରା, ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବାଇଶି ପାହାଚ ଦେଇ ସିଂହଦ୍ବାର ଚକଡ଼ାରେ ଥିବା ତିନି ରଥକୁ ବିଜେ କରିଥିଲେ। ସକାଳ ୯ଟା ସୁଦ୍ଧା ପହଣ୍ଡି ଶେଷପରେ ଚିତାଲାଗି, ମଇଲମ ଓ ବେଶ ହୋଇଥିଲା। ସ୍ବତନ୍ତ୍ର ମେହେଣାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ରଥ ନିକଟକୁ ବିଜେପରେ ତିନିରଥର ଛେରା ପହଁରା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶେଷରେ ମା’ ସୁଭଦ୍ରାଙ୍କ ରଥରେ ସୁନାର ଝାଡ଼ୁରେ ଗଜପତି ମହାରାଜ ଛେରାପହଁରା କରିଥିଲେ। ଚାରମାଳ ଫିଟା ସହ ଘୋଡ଼ା, ସାରଥି ଲାଗିବା ପରେ ପ୍ରଥମେ ମଧ୍ୟାହ୍ନ ୧୨ଟା ୩୫ରେ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଅପରାହ୍ନ ୧ଟା ୨୫ରେ ଦେବଦଳନ ଓ ଶେଷରେ ୨ଟା ୨୫ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ୩ଟା ୫୫ରେ ତାଳଧ୍ବଜ ରଥ, ୫ଟା ୨୦ରେ ଦେବଦଳନ ରଥ ଓ ସାଢ଼େ ୬ଟାରେ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି।
ସମ୍ବନ୍ଧିତ ଖବର