ବରଗଡ଼ : ମହାନଦୀ ପ୍ରସଂଗରେ ଛତିଶଗଡ଼ର ଚାଲାକି ଜାରି ରହିଛି। ମହାନଦୀ ଜଳବଣ୍ଟନ ନେଇ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ତିକ୍ତତା ଚରମସୀମାରେ ପହଂଚିଛି। ଏହି ବିବାଦରେ ପୂର୍ଣ୍ଣଛେଦ ପଡ଼ିବାରେ ବିଳମ୍ବ ହେଉଛି। ଯାହାର ଭରପୂର ଫାଇଦା ଉଠାଉଛି ଛତିଶଗଡ଼। କାହାରିକୁ ଭୃକ୍ଷେପ ନକରି ମହାନଦୀ ଉପର ମୁଣ୍ଡରେ ମନଇଚ୍ଛା ବ୍ୟାରେଜ୍ ଏବଂ କ୍ଷୁଦ୍ର ଜଳଭଣ୍ଡାର ତିଆରି ଚଳାଇଛି। ଏପରିକି ନିଜ ପୁରୁଣା ବ୍ୟାରେଜ୍ ଏବଂ ଡ୍ୟାମ୍ଗୁଡ଼ିକର କ୍ଷମତା ବୃଦ୍ଧିରେ ଲାଗି ପଡ଼ିଛି। ଛତିଶଗଡ଼ର ମନମାନୀକୁ ବିଭିନ୍ନ ମହଲରୁ ବିରୋଧ ହେଉଛି। କାରଣ ମନଇଚ୍ଛା ଜଳ ନିୟନ୍ତ୍ରଣ କାରଣରୁ ମହାନଦୀର ଜଳ ବିବିଧତାରେ ଗୁରୁତର ବିଭ୍ରାଟ୍ ଉପୁଜିବା ଆଶଂକା ରହିଛି। ଏହି ନିନ୍ଦାରୁ ନିଜକୁ ଘୋଡ଼ାଇବା ପାଇଁ ଛତିଶଗଡ଼ ନିଜ ବ୍ୟାରେଜ୍ ଏବଂ ଡ୍ୟାମ୍ ସଂଖ୍ୟାର ବିଭ୍ରାନ୍ତିକର ତଥ୍ୟ ଦେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଛତିଶଗଡ଼ ସରକାର ଦେଉଥିବା ତଥ୍ୟ ଅନୁସାେର ମହାନଦୀ ଉପରେ ସେଠାରେ ମାତ୍ର ୧୭୨ଟି ଡ୍ୟାମ୍ ତିଆରି ହୋଇଛି। ୧୯୧୭ ମସିହାରେ ଛତିଶଗଡ଼ ପ୍ରଥମେ ମହାନଦୀରେ ଡ୍ୟାମ୍ ନିର୍ମାଣ କରିଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ୨୦୦୦ ମସିହା ଯାଏ କେତେ ଡ୍ୟାମ୍ ନିର୍ମାଣ ହେଲା ଏହାର କିଛି ଠୋସ୍ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇନାହିଁ। ଛତିଶଗଡ଼ର ଜଳସଂପଦ ବିଭାଗର ପ୍ରକାଶିତ ରିପୋର୍ଟରେ ସେଠାରେ ୨୦୦୨ରେ ମାଲ୍ହାନିଆ ଓ ବତ୍ରା, ୨୦୦୩ରେ ଖୁରସିପାର୍, ମନ୍କି, ଚାମ୍ପି, ୨୦୦୪ରେ ଲାଇ, ଖାଡ୍ନା, ବରାତ ସାଗର, ୨୦୦୫ରେ ରାଜ୍ପୁରୀ, ଚନ୍ଦ୍ରନଗର, ଆୟାବନ୍ଧ୍, କୋଲିଆରି, ୨୦୦୭ରେ ଗଂଗପୁର ଏବଂ ୨୦୦୮ରେ ତୁରେନା ଆଦି ଡ୍ୟାମ୍ ନିର୍ମାଣ ହୋଇଛି। କିନ୍ତୁ ୨୦୦୮ ମସିହା ପରଠାରୁ କେତେ ଡ୍ୟାମ୍ (ମଧ୍ୟମ ଓ କ୍ଷୁଦ୍ର) ନିର୍ମାଣ ହେଲା, ତାହା ଛତିଶଗଡ଼ ଦର୍ଶାଇନାହିଁ।
୨୦୦୪ ମସିହାରେ ପ୍ରସ୍ତୁତ ଏକ ବିଶେଷଜ୍ଞ ରିପୋର୍ଟ ଅନୁସାରେ, ଛତିଶଗଡ଼ ମହାନଦୀରେ ୪୨ଟି ମୁଖ୍ୟ ଡ୍ୟାମ୍ ନିର୍ମାଣ କରିସାରିଥିଲା। ଏସବୁ ଡ୍ୟାମ୍ କେବଳ ଜଳସେଚନ ପାଇଁ ଉଦ୍ଦିଷ୍ଟ ଏବଂ ଏଗୁଡ଼ିକର ଜଳଧାରଣ କ୍ଷମତା ୬,୨୬୬.୮୩୯ ମିଲିଅନ୍ କ୍ୟୁବିକ୍ ମିଟର୍ ବୋଲି ରିପୋର୍ଟ କରୁଛି। ଏହି ରିପୋର୍ଟ ମୌସୁମୀ ଋତୁ ସମୟରେ ତିଆରି ହୋଇଥିଲା। ଯେଉଁ ସମୟରେ ଛତିଶଗଡ଼ର ସବୁ ଡ୍ୟାମ୍ ହାରାହାରି ୭୨ ପ୍ରତିଶତ ପାଣି ଗଚ୍ଛିତ କରି ସାରିଥିଲେ। ଅର୍ଥାତ ଛତିଶଗଡ଼ ଜଳସଂପଦ ବିଭାଗ ରଖୁଥିବା ତଥ୍ୟ ସଂପୂର୍ଣ୍ଣ ଗୋଳମାଳିଆ ବୋଲି ଜଣାପଡ଼ୁଛି। ଯଦି ଛତିଶଗଡ଼ ମାତ୍ର ୬,୨୬୬.୮୩୯ ମିଲିଅନ୍ କ୍ୟୁବିକ୍ ମିଟର୍ ପାଣି ଗଚ୍ଛିତ ରଖୁଥିଲା, ତେବେ ମହାନଦୀର ବଳକା ପାଣି ଗଲା କୁଆଡ଼େ? ଯଦି ବାସ୍ତବ କଥା ଦେଖାଯାଏ, ବଳକା ପାଣିକୁ ବିଭିନ୍ନ ବ୍ୟାରେଜ୍ ମାଧ୍ୟମରେ ଅଟକାଇ ରଖିଥିଲା। ୨୦୦୦ ମସିହା ପରଠାରୁ ମହାନଦୀ ଉପରମୁଣ୍ଡରେ ୩ଶହ ପାଖାପାଖି ବ୍ୟାରେଜ୍ ତିଆରି ହୋଇଥିଲା। ସେଥିମଧରୁ କିଛି ବର୍ତମାନ ଯାଏ ଆଶିଂକ କିମ୍ବା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ତେଣୁ ଛତିଶଗଡ଼ର ବିଭ୍ରାନ୍ତିକର ତଥ୍ୟ ଯୋଗୁଁ ଓଡ଼ିଶାରେ ବନ୍ୟା ପରିଚାଳନା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି।