ଏକାଡେମି ଢାଞ୍ଚାରେ ହେବ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ନିଯୁକ୍ତି

ସଂସ୍କୃତି ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ପଦବିରେ ଆଉ ସରକାର ସିଧାସଳଖ ନିଯୁକ୍ତି ଦେବେ ନାହିଁ। ସଂସ୍କୃତି ବିଭାଗର ଏକାଡେମିଗୁଡ଼ିକ ପରି ଏଠାରେ ମଧ୍ୟ ଏହି ପଦବି ପାଇଁ ଚୟନ ପ୍ରକ୍ରିୟା କରାଯିବ। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇ ଆବେଦନ ଆହ୍ବାନ କରାଯିବ। ବିଭାଗ ପକ୍ଷରୁ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ସେହିପରି ବର୍ତ୍ତମାନର ମୁଖ୍ୟ ନିର୍ବାହୀ ଥିବା ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକାଳକୁ ପରବର୍ତ୍ତୀ ମୁଖ୍ୟ ନିର୍ବାହୀ ନିଯୁକ୍ତି ପର୍ଯ୍ୟନ୍ତ ସମ୍ପ୍ରସାରଣ ମଧ୍ୟ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେଉଛି।

ପୂର୍ବରୁ ଓଡ଼ିଶୀ ଗବେଷଣା କେନ୍ଦ୍ର କାର୍ଯ୍ୟ ନିର୍ବାହୀଙ୍କୁ ସିଧାସଳଖ ସରକାର ନିଯୁକ୍ତି ଦେଉଥିଲେ। କିନ୍ତୁ ଚାରି ଏକାଡେମିରେ ନିଯୁକ୍ତି ପ୍ରକ୍ରିୟାକୁ ବଦଳାଗଲା ପରେ ଗବେଷଣା କେନ୍ଦ୍ରରେ ମଧ୍ୟ ତାହା ଲାଗୁ କରାଯିବ। ଆଗ୍ରହୀ ବ୍ୟକ୍ତିମାନେ ଏହି ପଦବି ପାଇଁ ଆବେଦନ କରିବେ। ସରକାର ଏକ ଚୟନ କମିଟି ଗଠନ କରି ସେଥିରୁ ଜଣଙ୍କୁ ମନୋନୀତ କରି ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ୍ କରିବେ। ତିନି ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯିବ। ଆବେଦନ ପାଇଁ ଆବଶ୍ୟକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯାଇ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅଧିକ ଗବେଷଣା, ପ୍ରଚାର ଓ ପ୍ରସାର ପାଇଁ ୧୯୮୬ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି କେନ୍ଦ୍ରକୁ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ନାମିତ କରାଯାଇଛି।

ସମ୍ବନ୍ଧିତ ଖବର