କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ମେ ୩୦ ସଂଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିଛନ୍ତି।   ସେ କହିଛନ୍ତି, ଜୀବନ ବଞ୍ଚାଇବାରେ ଓଡ଼ିଶା ବିଶ୍ବ ଲାଗି ଉଦାହରଣ ସାଜିଛି। ଆମ ରାଜ୍ୟରେ କରୋନ ମୃତ୍ୟୁହାର ସବୁଠାରୁ କମ୍ ରହିଛି। ଏହାର କାରଣ ହେଉଛି ଗତ ଦୁଇମାସ ଧରି କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରିଥିବା ଆମର ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା।  ଏହି  କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ  ବିଶ୍ୱର କୋଣଅନୁକୋଣରେ ଓଡ଼ିଆ ଭାଇଭଉଣୀ ଯେଉଁଠି ଥାଆନ୍ତୁ ନା କାହିଁକି ସାମାଜିକ ଦୂରତାକୁ ବଜାୟ ରଖି ମେ ୩୦ ତାରିଖ ଶନିବାର ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ। ଆମର କୋଭିଡ୍ ଯୋଦ୍ଧ‌ା‌ଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁୂ। ମୁଖ୍ୟମନ୍ତ୍ରୀ ଆଜି ନିଜ ବାର୍ତ୍ତାରେ ଏହି  ଆହ୍ଵାନ ଦେଇଛନ୍ତି। ଏହି ଉଦ୍ୟମ ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ । ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

କେବଳ ଏତିକି ନୁହେଁ, କୋଭିଡ ବିରୋଧରେ ଜାରି ରହିଥିବା ସଂଗ୍ରାମରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗ, ପ୍ରତିବଦ୍ଧତା ପାଇଁ ଆମେ ଭଲ ସ୍ଥିତିରେ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୁଇମାସ ହେବ ରାଜ୍ୟରେ କରୋନା ମହାମାରୀ ପ୍ରବେଶ କରିଥିବା ବେଳେ ଏବେ ବି ଏହାର ପ୍ରଭାବ ରହିଛି। ତେଣୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ। ଆମ ପାଇଁ ଆଗକୁ ଆହୁରି କଠିନ ପରିସ୍ଥିତି ଆସିପାରେ। ପ୍ରତିଟି ଜୀବନକୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ। କରୋନା ପୀଡିତାଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହା ଆମ ପାଇଁ ଏକ ଖୁସି ଖବର। ଏହି କ୍ରମରେ ଦେଖିବାକୁ ଗଲେ ଅନେକ ଧନୀ ରାଷ୍ଟ୍ର ମଧ୍ୟ କରୋନା ଯୁଦ୍ଧରେ ସଫଳ ହୋଇ ନ ଥିବା ବେଳେ କରୋନା ମୁକାବିଲା ପାଇଁ ଓଡ଼ିଶା ଯେଭଳି ଭାବେ ପଦକ୍ଷେପ ନେଇଛି ତାହା ସର୍ବତ୍ର ପ୍ରଶଂସନୀୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି କରିଛି । ସେହି ଏକା ସମୟରେ ଆମ ଓଡିଶା ବି କୋଭିଡ ବିରୁଦ୍ଧରେ ତାର ଯୁଦ୍ଧ ଆରମ୍ଭ କଲା । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ମୋ ସରକାରଙ୍କ ପ୍ରାଥମିକତା ଥିଲା । ପ୍ରତିଟି ଜୀବନର ସୁରକ୍ଷା ହେଉଛି ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସେତେବେଳେ ଆମେ ଯାହା ବି ନୀତି, ଯାହା ବି ପଦକ୍ଷେପ ଗ୍ରହଣ କରିଥିଲୁ, ତାର ଏକମାତ୍ର ଲକ୍ଷ୍ୟ ଥିଲା ମୋର ପ୍ରିୟ ସାଢେ ଚାରି କୋଟି ଓଡିଶାବାସୀଙ୍କ ଜୀବନ ରକ୍ଷା । ଏବେ ଦୁଇ ମାସରୁ ଅଧିକ ସମୟ ହୋଇଗଲା । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍‌ । କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।

ଓଡିଶା ପରି ଗୋଟିଏ ରାଜ୍ୟ ତଥା ଆମ ଓଡିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ।ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରିଛନ୍ତି। ତଥାପି କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା । ସିଏ ଯିଏ ବି ହୁଅନ୍ତୁ – ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି, ତାର ତୁଳନା ନାହିଁ । ସେହିପରି ଏହି ଯୁଦ୍ଧରେ ସାରା ଓଡିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଏହାସହିତ ମହାପ୍ରଭୂଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ଆମ ସଥିରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ। ଏ ବିଶ୍ବାସ ମୋର ଅଛି ।

ସମ୍ବନ୍ଧିତ ଖବର