ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ସମବାୟ ଆପଣଙ୍କ ଦ୍ୱାରରେ’

ନାବାର୍ଡ-ଓଡ଼ିଶା ସମବାୟ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର

ଭୁବନେଶ୍ୱର,: ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ ଆରମ୍ଭ କରିଛନ୍ତି। ଏ ନେଇ ନାବାର୍ଡ ଓ ଓଡ଼ିଶା ସମାବୟ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଚଳିତ ବର୍ଷ ୧ ହଜାର କୋଟିର ମିଆଦୀ ଋଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଭାଗଚାଷୀମାନଙ୍କୁ ନେଇ ଗଠନ କରାଯାଉଥିବା ଯୁଗ୍ମ ଦେୟ ଗୋଷ୍ଠୀ ବା ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌ଙ୍କୁ ୨୦୦ କୋଟିର ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟରେ କୃଷି ଋଣର ପ୍ରାୟ ୬୫ ପ୍ରତିଶତ ସମବାୟ ସଂସ୍ଥାମାନଙ୍କ ଜରିଆରେ ପ୍ରଦାନ କରାଯାଉଛି। ମାତ୍ର ୧ ପ୍ରତିଶତ ସୁଧ ହାରରେ ଦିଆଯାଉଛି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ। ସେହିପରି ଚାଷୀମାନଙ୍କୁ କୃଷି ମିଆଦୀ ଋଣ ପ୍ରଦାନ ପାଇଁ ରହିଥିବା ବିଭିନ୍ନ ସର୍ତକୁ କୋହଳ କରାଯାଇଛି। ଅଧିକ ସଂଖ୍ୟକ ଅଣଋଣୀ ଚାଷୀଙ୍କୁ ଫସଲ ବୀମାର ସୁବିଧା ଦେବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସମବାୟ ବିଭାଗକୁ ନିର୍ଦେଶ ଦେଇଥିଲେ। ପ୍ରତି ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଅନ୍ୟୂନ ୧୦ଟି ଲେଖାଏଁ ଯୁଗ୍ମ ଦେୟ ଗୋଷ୍ଠୀ(ଜେଏଲ୍‌ଜି) ଗଠନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହା ଫଳରେ ଅଧିକ ସଂଖ୍ୟକ ଛୋଟ ଛୋଟ ଚାଷୀଙ୍କୁ ଋଣ ସୁବିଧା ଯୋଗାଇ ଦେଇହେବ।

ଏ ବର୍ଷ ୧ ହଜାର କୋଟିର ମିଆଦୀ ଋଣ ଘୋଷଣା
ଭାଗଚାଷୀଙ୍କ ଗୋଷ୍ଠୀଙ୍କୁ ମିଳିବ ୨୦୦ କୋଟି

ସୂଚନାଯୋଗ୍ୟ, ନାବାର୍ଡ ଓ ସମବାୟ ବ୍ୟାଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଫଳରେ ରାଜ୍ୟରେ ଜେଏଲ୍‌ଜି ଗଠନ ତ୍ୱରାନ୍ଵିତ ହେବା ସହିତ ଭାଗଚାଷୀମାନଙ୍କୁ ଋଣ ପ୍ରଦାନ ଦିଗରେ ସହାୟକ ହେବ। ରାଜ୍ୟରେ ପ୍ରାୟ ୨୭୦୦ ପାକ୍‌ସ ରହିଛି। ସେହି ସମିତିଗୁଡ଼ିକ ମାଧ୍ୟମରେ ଅତି କମ୍‌ରେ ୨୭୦୦୦ ଭାଗଚାଷୀଙ୍କ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରହିଛି। ଏହାଛଡ଼ା, ଗତ ଆର୍ଥିକ ବର୍ଷରେ ୧୧୦୦୫ କୋଟିର ଫସଲ ଋଣ ପ୍ରଦାନ କରାଯାଇଥିଲା। ଏଥର ୧୨୭୦୦ କୋଟିର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ଚଳିତ ବର୍ଷ ସମସ୍ତ ପାକ୍‌ସରେ କମ୍ପ୍ୟୁଟରୀକରଣ ସଂପୂର୍ଣ୍ଣ କରାଯିବା ସହିତ ସେସବୁ ସମିତିମାନଙ୍କରେ ମାଇକ୍ରୋ ଏଟିଏମ୍‌ ସ୍ଥାପନ କରିବାକୁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମବାୟ ବିଭାଗ ପ୍ରସ୍ତୁତ କରିଥିବା ଭିଜନ୍‌ ୨୦୨୧ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରିଥିଲେ। ସେ କହିଲେ, ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେମାନଙ୍କ ପାଇଁ ରୂପେ କିଷାନ କାର୍ଡ, ଆଧୁନିକ ଗୋଦାମ, ଖଳା ଆଦିର ସୁବିଧା କରାଯାଇଛି। ଚାଷୀମାନଙ୍କୁ ଫସଲର ଉଚିତ ମୂଲ୍ୟ ପ୍ରଦାନ ପାଇଁ ମଣ୍ଡିଗୁଡ଼ିକରେ ଇ-ନିଲାମର ବ୍ୟବସ୍ଥା ବି ହୋଇଛି। ଏ ସବୁ ସୁବିଧା ଯେପରି ଚାଷୀମାନଙ୍କ ପାଖକୁ ଯେପରି ଠିକ୍‌ ସମୟରେ ପହଞ୍ଚିପାରିବ ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସମବାୟ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ।

ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଲେଶ୍ୱର ଜିଲ୍ଲାର ପୁରୁଷୋତ୍ତମପୁର କୃଷି ସମବାୟ ସମିତି, ଢେଙ୍କାନାଳ ଜିଲ୍ଲାର କଲମଛୁଇଁ କୃଷି ସମବାୟ ସମିତି ଓ କେନ୍ଦୁଝର ଜିଲ୍ଲାର ବୃହତ୍ତାକାର ଆଦିବାସୀ ବହୁମୁଖୀ ସମବାୟ ସମିତିକୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମବାୟର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସବୁ ଜିଲ୍ଲାପାଳ, ଯୁଗ୍ମ ଦେୟ ଗୋଷ୍ଠୀ, ବ୍ରହ୍ମପୁର ଓ କଳାହାଣ୍ଡି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତିମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଚାଷୀମାନଙ୍କୁ ଋଣ ସୁବିଧା ପହଞ୍ଚାଇବା ତଥା ସମବାୟ କାର୍ଯ୍ୟକ୍ରମ ସଂର୍ପକରେ ସଚେତନ କରାଇବା ଏହି ଅଭିଯାନର ଆଭିମୁଖ୍ୟ ବୋଲି କହିଥିଲେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଭାଗୀୟ ସଚିବ ରଂଜନା ଚୋପ୍‌ଡ଼ା ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ସଂପର୍କିତ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର