ଚିନ୍ତା ବଢ଼ାଉଛନ୍ତି ବାଳ ଅପରାଧୀ : ସ୍କୁଲ ପିଲା ନେବେ ପୁଲିସ ତାଲିମ୍‌

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ବାଳ ଅପରାଧୀଙ୍କ ସଂଖ୍ୟା। ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଲୁଟପାଟ ଓ ଦୁଷ୍କର୍ମ ଭଳି ଘଟଣାରେ ମଧ୍ୟ ବାଳ ଅପରାଧୀମାନେ ସଂପୃକ୍ତ ରହୁଛନ୍ତି। କେବଳ ଏତିକି ନୁହେଁ ଏବେ ବାଳ ଅପରାଧୀମାନେ ସାଇବର ଅପରାଧରେ ମଧ୍ୟ ସାମିଲ ହେଲେଣି। ବିଶେଷକରି ସହରାଞ୍ଚଳରେ ଏହା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବାଳ ଅପରାଧୀଙ୍କ ସଂଖ୍ୟା କମାଇବା ଏବଂ ସେମାନଙ୍କ ମନରେ ଅପରାଧ ସମ୍ପର୍କରେ ଅବଗତ ଓ ସଚେତନତା କରାଇବା ପାଇଁ ପୁଲିସ ପକ୍ଷରୁ ଏକ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ପାଇଲଟ ପ୍ରୋଜେକ୍ଟର ନାଁ ହେଉଛି ‘ଷ୍ଟୁଡେଣ୍ଟ୍‌ ପୁଲିସ କ୍ୟାଡେଟ୍‌’(ଏସ୍‌ପିସି)। ଏଥି ପାଇଁ ୧.୪୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏହି ଯୋଜନା ଅନୁଯାୟୀ ପୁଲିସ ବିଭାଗ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୁଲିସ ତାଲିମ ପ୍ରଦାନ କରାଯିବ।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ମୁତାବକ, ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସମାଜକୁ ଶୃଙ୍ଖଳିତ କରିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଶୃଙ୍ଖଳିତ ହେବାକୁ ପଡ଼ିବ। ବିଭିନ୍ନ ସମୟରେ ଦେଖା ଯାଉଛି ଦଶମ ଶ୍ରେଣୀ ପାସ କରିବା ପରେ ଛାତ୍ରମାନେ ଅପରାଧରେ ସଂପୃକ୍ତ ରହୁଛନ୍ତି। ଏଥି ପାଇଁ ପ୍ରଥମେ ସେମାନଙ୍କ ମନରେ ଏଭଳି ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପୁଲିସ ତାଲିମ ନେବେ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ରାଜ୍ୟର କେତେକ ବଛାବଛା ପୁଲିିସ ଅଫିସରଙ୍କୁ ମଧ୍ୟ ତାଲିମ ଦିଆ ସରିଛି। ତାଲିମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ସୁରକ୍ଷା କରିବା ସହିତ ପୁଲିସର ନିୟମ କାନୁନ୍‌, ଦଣ୍ଡ ବିଧାନ ଓ ଅପରାଧ ସମ୍ପର୍କରେ ଅବଗତ ହେବେ।

ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ସ୍ତରରେ କିଛି ବିଦ୍ୟାଳୟର ନାମ ସୁପାରିସ୍‌ କରିବାକୁ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏବେ ଗୋଟିଏ ଜିଲ୍ଲାର ୫ଟି ସ୍କୁଲକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପରେ ଅଧିକ ସଂଖ୍ୟାର ସ୍କୁଲ ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହୋଇ ପୁଲିସ ତାଲିମ ନେବେ। ତାଲିମ ପରେ ସେମାନଙ୍କୁ ସାର୍ଟିଫିକେଟ୍‌ ମଧ୍ୟ ମିଳିବ। ଯାହାକି ଭବିଷ୍ୟତରେ କାମରେ ଆସିବ।

ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଏଭଳି ପୁଲିସ ତାଲିମ ଦିଆଯିବା ଦ୍ୱାରା ସେମାନେ କେବଳ ଶାରୀରିକ ଭାବେ ଫିଟ୍‌ ରହିବେ ତାହା ନୁହେଁ, ସେମାନଙ୍କୁ ମାନସିକ ସ୍ତରରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଯାହା ଦ୍ୱାରା ସେମାନେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସମ୍ମୁଖୀନ ହୋଇ ପାରିବେ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର