ଗଜପତିରେ ବଢ଼ି ଚାଲିଛି ଅବାଧ ଚିଟଫଣ୍ଡ୍ କାରବାର, ସଂସ୍ଥା ମାଲାମାଲ୍, ଋଣରେ ଡୁବିଛନ୍ତି ବେପାରୀ

ପାରଳାଖେମୁଣ୍ତି: ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ ଓ ଆର‌୍‌ବିଆଇର କଟକଣା ସତ୍ତ୍ବେ ଗଜପତି ଜିଲ୍ଲାରେ ଚିଟ୍‌ଫଣ୍ତ କାରବାର ଅବାଧରେ ଚାଲିଛି। ପ୍ରତିବର୍ଷ ପାରଳା ପୌରାଞ୍ଚଳରେ ୨ରୁ ୩ଟି ଚିଟଫଣ୍ତ ସ˚ସ୍ଥା ସେମାନଙ୍କ ନୂଆ କାର୍ଯ୍ୟାଳୟ ଆରମ୍ଭ କରୁଛନ୍ତି। ୨୦୦୯-୧୦ ମସିହାରେ ରାଜ୍ୟରେ ଚିଟ୍‌ଫଣ୍ତ ଘୋଟାଲା ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଅନୁମତି ବିନା ଏପରି ଆର୍ଥିକ ପରିଚାଳନା ସଂସ୍ଥା ଖୋଲିପାରିବ ନାହିଁ ବୋଲି କଡ଼ା ନିୟମ ହୋଇଥିଲା। ସାଧାରଣ, ନିରୀହ, ଗରିବ ଏବ˚ ଖଟିଖିଆଙ୍କ ଝାଳବୁହା ଟଙ୍କାର ସୁରକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଏବ˚ ଏସ୍‌.ପିଙ୍କୁ ଚିଟଫଣ୍ତ୍ ସଂସ୍ଥା ଗୁଡ଼ିକ ଉପରେ ରୋକ୍ ଲଗାଇବା ପାଇଁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ।

କିନ୍ତୁ ଗଜପତି ଜିଲ୍ଲାରେ ଚିଟ୍‌ଫଣ୍ଡ କମ୍ପାନି ଜାଲ ବିଛାଇ ଚାଲିଛନ୍ତି। ବିଶେଷ କରି ପାରଳାଖେମୁଣ୍ତି ସହର ସମେତ ଆଖପାଖ ଅଞ୍ଚଳରେ ଚିଟଫଣ୍ତ୍ କାରବାର ବେଧଡ଼କ ଚାଲିଛି। ସରକାରୀ ଏବ˚ ବେସରକାରୀ ବ୍ୟାଙ୍କ୍ ଗୁଡ଼ିକରେ କମ୍‌ ସୁଧ ମିଳୁଥିବା ବେଳେ ଚିଟଫଣ୍ତ୍ ସଂସ୍ଥାରୁ ଅଧିକ ସୁଧ ଆଶାରେ ସାଧାରଣ ଲୋକେ ସେଠାରେ ଟଙ୍କା ଲଗାଉଛନ୍ତି। ପରେ ଠକାମିର ଶିକାର ହେବା ସହ ମୂଳ ଟଙ୍କା ମଧ୍ୟ ଫେରି ପାଉନାହାନ୍ତି।

ଏହି ବ୍ୟବସ୍ଥା ସାଧାରଣ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଠାରୁ ସ˚ପୂର୍ଣ୍ଣ ଭିନ୍ନ। ଏଥିରେ ଲୋକେ ‘ଚିଟ୍‌’ ମାଧ୍ୟମରେ ନିୟମିତ ଟଙ୍କା ବାନ୍ଧିବା ସହ ମାସିକ ଲଟେରି ମାଧ୍ୟମରେ ଟଙ୍କା ଉଠାଇଥାନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରୁପରେ ୨୦ରୁ ୨୫ ଜଣ ଲୋକଙ୍କୁ ରଖି ଦୈନିକ ୧୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ବ୍ୟବସ୍ଥା କରାଯାଇଛି। ଗୋଟିଏ ଗ୍ରୁପରେ ଯଦି ୨୦ ଜଣ ବ୍ୟକ୍ତି ଦୈନିକ ୧୦୦୦ ଟଙ୍କା ୪୦୦ ଦିନ ବାନ୍ଧିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଲଟେରିରେ ଟଙ୍କା ଉଠାଇବାକୁ ସୁଯୋଗ ଦିଆଯିବ। ସେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇବାକୁ ସୁଯୋଗ ପାଇପାରିବେ। ଏହି ଯୋଜନାରେ ଜିଲ୍ଲାର ବହୁ ବ୍ୟବସାୟୀ ଟଙ୍କା ଲଗାଇଛନ୍ତି। ଏଥିରେ ବିନା ଦସ୍ତାବିଜରେ ଋଣ ମିଳିବା ସହ ତାକୁ ଶୁଝିବା ପାଇଁ ୪୦୦ ଦିନର ସମୟ ସୀମା ମିଳୁଛି। ଯାହାକି ଲୋକଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରୁଛି।

ପାରଳା ସହରର କିଛି ନାମୀଦାମୀ ଓ ପ୍ରଭାବଶାଳୀ ବ୍ୟକ୍ତି ଏହି ଚିଟ୍‌ଫଣ୍ତ ସଂସ୍ଥା ପରିଚାଳନା କରୁଛନ୍ତି। ଅନ୍ୟପକ୍ଷରେ ଚିଟ୍‌ଫଣ୍ତ ପରିଚାଳକ ଗୋଟିଏ ଗ୍ରୁପରେ ବାର୍ଷିକ ୨ ଲକ୍ଷ ଟଙ୍କାରୁ ଅଧିକ ଉପାର୍ଜନ କରିବାର ସୁଯୋଗ ରହୁଛି। ଚିଟ୍‌ଫଣ୍ତ ବ୍ୟବସ୍ଥାରେ ଋଣ ଉଠାଇବା ଯେତିକି ସହଜ, ଏହାକୁ ଶୁଝିବା ମଧ୍ୟ ସେତିକି କାଠିକର। ଏହି ଋଣ ଜାଲରେ ବର୍ତ୍ତମାନ ବହୁ କ୍ଷୁଦ୍ର ବ୍ୟବସାୟୀ ଛନ୍ଦି ହୋଇ ଯାଇଛନ୍ତି। କରୋନା ସମୟରେ ବ୍ୟବସାୟୀଙ୍କ ଉପରେ ଅଧିକ ଚାପ ପଡ଼ିଥିଲା। ଯେଉଁ ମାନେ ସେହି ସମୟରେ ଚିଟ୍‌ଫଣ୍ତ ସ˚ସ୍ଥାରୁ ଟଙ୍କା ଉଠାଇଛନ୍ତି, ବର୍ତ୍ତମାନ ସେମାନେ ଋଣ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ହେଲେ ଚିଟ୍‌ଫଣ୍ତ ପରିଚାଳକ ମାନେ ମାଲାମାଲ୍ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର