ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ

କଟକ : ଜଣାଶୁଣା ସିନେ ସମୀକ୍ଷକ, ସୁ‌‌ଲେଖକ, ଚଳଚ୍ଚିତ୍ର ସାମ୍ବାଦିକ ରଣଧୀର ଦାସଙ୍କର ରବିବାର ସକାଳ ୧୦ଟା ୫୫ରେ ଡଗରପଡ଼ା ଷ୍ଟୋନି ରୋଡ୍‌ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୮୨ବର୍ଷ ‌ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ସୁଲେଖିକା ବିଜୟିନୀ ଦାସ, ବଡ଼ଭାଇ ଡାକ୍ତର ରଘୁବୀର ଦାସ, ସାନଭାଇ ଇଞ୍ଜିନିୟର ବଣ୍‌ବୀର ଦାସ, ପୁଅ ଅମରଜିତ ଦାସ, ବୋହୂ ମିନତୀ ଦାସ, ଝିଅ ମଧୁମିତା ମହାନ୍ତି, ଜ୍ବାଇଁ ସୌରଭ ମହାନ୍ତି, ନାତୁଣୀ ଅନ୍ବେଷାଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ କବି ଅମରେଶ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଆଇନଜୀବୀ ଯଶୋବନ୍ତ ଦାସ, ସମାଜସେବୀ ଶୈଳ ବେହେରା, ସାବିତ୍ରୀ ଚୌଧୁରୀ, ଅଭିନେତା ଚନ୍ଦନ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଷ୍ଟୋନିରୋଡ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚୌରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଅମରଜିତ ମୁଖାଗ୍ନି ଦେଇଥିଲେ।

ରଣଧୀର ଦାସ ୧୯୩୮ମସିହା ସେପ୍ଟେମ୍ବର ୨୩ତାରିଖରେ ଡଗରପଡ଼ାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍‌ସା କଲିଜିଏଟରୁ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍‌ସା କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ମାନ୍ଦ୍ରାଜ୍‌ରେ ସିଭିଲ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ବ୍ୟବସାୟ‌ରେ ପାଦ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କଟକ ଡଗରପଡ଼ା ଘରେ ‘ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ଗଢ଼ି ବହୁ ଓଡ଼ିଆ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରୀ ଦାସ ‘ଜୀବନରଙ୍ଗ’ ନାମକ ଏକ ଓଡ଼ିଆ ପତ୍ରିକା ପ୍ରକାଶନ କରି ଦୀର୍ଘ ୪୫ବର୍ଷ ଧରି ତାହାର ସଂପାଦନା କରୁଥିଲେ। ‘ମଥୁରା ବିଜୟ’, ‘ମାଂସର ବିଳାପ ଭଳି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିବା ସହିତ ‘କଥା କହିବ ମୋ ମଥା ସିନ୍ଦୂର’ ଓ ‘ପୁଅ ଭାଙ୍ଗିଦେଲା ସୁନା ସଂସାର ଭଳି ଚଳଚ୍ଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ। ଶ୍ରୀ ଦାସ ‘ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ’, ‘ଲୋହିତ ସନ୍ଧ୍ୟା’, ‘ଗଳ୍ପ ଆଜି ଓ କାଲି’, ‘ଝଡ଼ ଓ ଝଙ୍କାର’, ‘ଶେଷ ପାହାଚ’ ଭଳି କଥା ସାହିତ୍ୟ ରଚନା କରି ‌ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ଅର୍ଜନ କରିଥିଲେ।

ଚଳଚ୍ଚିତ୍ର ସମୀକ୍ଷା ଓ ସାରସ୍ବତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, କାଦମ୍ବିନୀ ସମ୍ମାନ, ଚିତ୍ରପୁରୀ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ। ଶ୍ରୀ ଦାସଙ୍କ ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ସଂପାଦିକା ମୀନାକ୍ଷୀ ଦେବୀ, ଓଡ଼ିଶା ଶିଶୁସାହିତ୍ୟ ଲେଖକ ସମ୍ମେଳନ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଗୀତକବି ସମାଜର ସଭାପତି ମନୋଜ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର