ପ୍ରଥମରୁ ୮ମ ଶ୍ରେଣୀର ସବୁ ପିଲା ପାସ୍‌, ୯ମ ଓ ଏକାଦଶ ଶ୍ରେଣୀ ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ବର : କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ମାର୍ଚ୍ଚ ୧୭ରୁ ସ୍କୁଲ ଛୁଟି ହେବା ସହ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରମୋସନ (‌ଶ୍ରେଣୀ ଉନ୍ନତି) ପରୀକ୍ଷା ହୋଇପାରି ନାହିଁ। ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା‌ ଛାତ୍ରଛାତ୍ରୀଙ୍କୁ ପରବର୍ତୀ ଶ୍ରେଣୀକୁ ଉନ୍ନୀତ କରି ଦିଆଯାଇଛି। ସ୍କୁଲ କର୍ତୃପକ୍ଷ ଏନେଇ ଅଭିଭାବକଙ୍କୁ ଅବଗତ କରାଇବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ତେବେ ୯ମ ଓ ଏକା‌ଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରେମୋସନ ନେଇ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ, ମଦ୍ରାସା ବୋର୍ଡ ଅଧୀନରେ ଥିବା ବିଦ୍ୟାଳୟ ଓ ସଂସ୍କୃତ ଟୋଲ୍‌ଗୁଡ଼ିକ ୯ମ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରମୋସନ ନେଇ ସ୍କୁଲସ୍ତରରେ ନିଷ୍ପତ୍ତି ନେବେ। ଯଦି କୌଣସି ଛାତ୍ରଛାତ୍ରୀ ମେଡିକାଲ କିମ୍ବା ଅନ୍ୟ ଯଥାର୍ଥ କାରଣ ଦର୍ଶାଇ ପରୀକ୍ଷା ଦେଇପାରି ନ ଥିବେ, ସେଭଳି ସ୍ଥଳେ ୟୁନିଟ୍‌-ଟେଷ୍ଟ ପରୀକ୍ଷାକୁ ବିଚାରକୁ ନିଆଯାଇ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ।

ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଅନୁବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ଦେଇଥିବା ଷାଡ୍ମାସିକ ପରୀକ୍ଷା/ୟୁନିଟ୍‌ ଟେଷ୍ଟର ମାର୍କକୁ ଆଧାର କରି ଦ୍ବାଦଶ ଶ୍ରେଣୀକୁ ଉନ୍ନୀତ ହେବେ। ଯଦି କୌଣସି କାରଣରୁ ଛାତ୍ରଛାତ୍ରୀ ଷାଡ୍ମାସିକ ବା କୌଣସି ଗୋଟିଏ ବି ୟୁନିଟ୍‌ ପରୀକ୍ଷା ସେହିବର୍ଷ ଦେଇପାରି ନାହାନ୍ତି, ସେକ୍ଷେତ୍ରରେ ବିଦ୍ୟାଳୟ ଖୋଲିଲେ ସେମାନେ ଦ୍ବାଦଶ ଶ୍ରେଣୀ ଉତୀର୍ଣ୍ଣ ପାଇଁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର