ବାପା-ମା’ ବଜାରକୁ ଯାଇଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲା ଉଦିତନଗର ଥାନା ଅଧିନସ୍ଥ ବାସନ୍ତୀକଲୋନିରେ ଶୁକ୍ରବାର ଅପରାହ୍ନରେ ଜଣେ ଛାତ୍ର ଫ୍ୟାନ୍‌ରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରର ନାମ ହରେକୃଷ୍ଣ ସାହୁ, ବୟସ ୧୪ବର୍ଷ ଓ ସେ ସେଣ୍ଟ ଥୋମାସ୍‌ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଷଷ୍ଠଶ୍ରେଣୀରେ ପଢ଼େ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାସନ୍ତୀକଲୋନିର ଇ-୧୮ରେ ପ୍ରଦୀପ କୁମାର ବସବାସ କରନ୍ତି। ଆଜି ସେ ଅପରାହ୍ନରେ ତାଙ୍କ ପତ୍ନୀଙ୍କ ସହିତ ବଜାରକୁ କାମରେ ବାହାରି ଯାଇଥିଲେ। ବାପା-ମା’ ଘରେ ନଥିବାର ସୁଯୋଗ ନେଇ  ବାଳକ ହରେକୃଷ୍ଣ ଘର ଫ୍ୟାନ୍‌ରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା। ବଜାରରୁ କାମ ସାରି ବାପା-ମା’ ଘରେ ପହଞ୍ଚି ଥିଲେ। କବାଟ ଖୋଲିଲା ବେଳକୁ ପୁଅ  ଫ୍ୟାନ୍‌ରେ ଝୁଲୁଛି। ଏହା ଦେଖି ବାପା-ମା’ ଦୁହେଁ ସେଠାରେ ହିଁ ସ୍ଥାଣୁ ପାଲଟି ଯାଇଥିଲେ। କାନ୍ଦବୋବାଳି ଶୁଣି ପାଖଘର ଲୋକ ପ୍ରଦୀପଙ୍କ ଘରକୁ ଧାଇଁ ଆସିଥିଲେ। ହରେକୃଷ୍ଣର ଆତ୍ମହତ୍ୟା ବିଷୟରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ହରେକୃଷ୍ଣର ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା।

ସମ୍ବନ୍ଧିତ ଖବର