ଧାନଚାଷକୁ ଜଳବାୟୁ ପରିବର୍ତ୍ତନ ବିପଦ : ୨୬ ଦିନରେ ଥୋଡ଼, କୃଷି ବିଜ୍ଞାନୀ ଆଚମ୍ବିତ

ରାଜନଗର : ୨୬ ଦିନର ଧାନ ଫସଲରୁ ବାହାରିଛି ଥୋଡ଼। ଧାନ ଗଛରେ ଥୋଡ଼କୁ ଦେଖି ଚାଷୀ ଖୁସି ହେବା ବଦଳରେ ମୁଣ୍ଡରେ ହାତ ଦେଇ ବସିଛି। ଏଥର ଧାନ ସବୁ ଅଗାଡ଼ି ହୋଇଯିବା ଆଶଙ୍କା କରିଛି। ଏତେ କମ୍‌ଦିନରେ ଧାନ ଗଛରୁ ଥୋଡ଼ ବାହାରିବା ଘଟଣା କେବଳ ଚାଷୀ କି ଅଞ୍ଚଳବାସୀ ନୁହନ୍ତି କୃଷି ବିଜ୍ଞାନୀମାନଙ୍କୁ ମଧ୍ୟ ଆଚମ୍ବିତ କରିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଧାନ ଚାଷ ଉପରେ ପଡ଼ିଲାଣି ବୋଲି କୁହାଯାଉଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାନବଡ଼ଗୋପାଳପୁର ପଞ୍ଚାୟତ ଗର୍ଜନପୁର ଗାଁର ଗୋପୀନାଥ ମଳିକ, ଗୋସିଗାଁର ମହେଶ୍ବର ବିଶ୍ୱାଳ, ନରଣପୁର ଗାଁର ଭରତ ଖଣ୍ଡେଇ, ନୁରୂଗାଁର ଅନନ୍ତ କିଶୋର ପ୍ରଧାନ, ଜଗନ୍ନାଥପୁର ଗାଁର କୃଷ୍ଣଚନ୍ଦ୍ର ସେଠୀ, କାଳନ୍ଦୀ ପ୍ରଧାନ, ଗୌରାଙ୍ଗ ପ୍ରଧାନ ଚଳିତ ଖରିଫ ଋତୁରେ ଧାନ ଚାଷ କରିଛନ୍ତି। ସରକାରୀ ୧୦୧୦ ବିହନ ଆଣି ବିଲରେ ତଳା ବୁଣିଥିଲେ। ୨୦ ଦିନର ତଳିକୁ ଆଣି ୬ ଦିନ ତଳେ ଧାନ ବିଲରେ ରୋଇଥିଲେ। ମାତ୍ର ୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରି ପଡିଛି।

ଜମିର ଅଧିକାଂଶ ଗଛରେ ଧାନ ଥୋଡ଼ ବାହାରିଛି। ମାତ୍ର ୨୬ ଦିନରେ ଧାନ ଗଛରୁ ଥୋଡ଼ ବହାରିପଡିବା ପରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହାର ଧାନ ନୁହେଁ କେବଳ ଅଗାଡି ମିଳିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଗର୍ଜନପୁର ଗାଁର ଗୋପୀନାଥ ମଲ୍ଲିକଙ୍କ କହିବା କଥା ହେଲା ‘୧୦୧୦’ ବିହନ ୨୬ ଦିନ ତଳେ ତଳି ପକାଇଥିଲେ। ଦେଢ଼ ଏକର ଜମିରେ ୬ ଦିନ ତଳେ ଧାନ ରୋଇଥିଲେ। ମାତ୍ର ଆଜି ଧାନ ଗଛରେ ଥୋଡ଼ ବାହାରି ପଡିଛି। ଏତେ ଶୀଘ୍ର ଥୋଡ଼ ବାହାରି ପଡ଼ିଥିବାରୁ ଏଥର ଆଉ ଧାନ ମିଳିବନି। ଧାର କରଜ କରି ଚାଷ ଆରମ୍ଭ କରିଥିଲି। ବର୍ଷା ଉଭାନ ହୋଇଯିବାରୁ ଚାଷ କାମ ବିଳମ୍ବରେ ହୋଇଥିଲା। ଏବେ ପରିବାର ସଦସ୍ୟଙ୍କୁ ବର୍ଷକ ଯାଏଁ କିପରି ଦାନା ଦେବି ବୋଲି ସେ କହିଛନ୍ତି।

ଉପକୂଳ ଓଡିଶାର ଭାତହାଣ୍ଡି ରାଜନଗର। ଏହି ବ୍ଲକର ଚାଷୀ କେବଳ ଖରିଫ ଧାନ ଚାଷ ଉପରେ ନିର୍ଭର କରିଥା’ନ୍ତି। ବର୍ଷା ନ ହେବାରୁ ଦୀର୍ଘ ଦୁଇ ମାସ ବିଳମ୍ବରେ ଚାଷ କାର୍ଯ୍ୟ ଚାଲିଛି। ଏହି ବ୍ଲକରେ ରୁଆ ବେଉଷଣ କାର୍ଯ୍ୟ ସରିବାକୁ ଆହୁରି ୧୫ ଦିନ ସମୟ ଲାଗିବ। ବର୍ଷା ନ ହେବାରୁ ପ୍ରଥମେ ପଡିଥିବା ଧାନତଳା ନଷ୍ଟ ହୋଇଯାଇଥିଲା। ଚାଷୀ ଆଉ ଥରେ ବିହନ କିଣି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର୨୬ ଦିନର ଧାନ ଗଛରୁ ଧାନ ଥୋଡ଼ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତାପସ ରଂଜନ ସାହୁଙ୍କ କହିବା କଥା ହେଲା, ୪୫ ଦିନ ଭିତରେ ଥୋଡ଼ ତିଆରି ହୋଇଥାଏ। ୫୦ ଦିନ ଭିତରେ ଥୋଡ଼ ବାହାରିଥାଏ। ଥୋଡ଼ ବାହାରିବାର ୪୫ ଦିନ ପରେ ଧାନ ପାଚିଥାଏ। କୌଣସି ପ୍ରଜାତିର ବିହନରୁ ୨୬ ଦିନରେ ଥୋଡ଼ ବାହାରିବ ନାହିଁ। ଏହା କୃଷି ବିଜ୍ଞାନ ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା। ଘଟଣାସ୍ଥଳ ପରିଦର୍ଶନ କରି ଧାନ ଗଛର ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି କହିଛନ୍ତି। କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ୨୬ ଦିନରେ ଧାନ ଥୋଡ଼ ବାହାରିବା ଆଶ୍ଚର୍ଯ୍ୟର କଥା। ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷା ଉଭାନ ହେବା, ସମୁଦ୍ରରେ ଉଚ୍ଚ ଜୁଆର ଆସିବା, ମେ’ ମାସରେ ଅଲିଭରିଡ଼ଲେ ଅଣ୍ଡା ଦେବା ପରି ୨୬ ଦିନର ଧାନ ଗଛରୁ ଥୋଡ଼ ବାହାରିବା ଅସ୍ୱାଭାବିକ ଘଟଣା ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର