ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଲେ ମୁଖ୍ୟମନ୍ତ୍ରୀ, ଶୁଭାରମ୍ଭ କଲେ ୪୯୧୫ କୋଟିର ପ୍ରକଳ୍ପ

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି l

ଏଥିମଧ୍ୟରେ ରହିଛି ୧୬୨୨କୋଟିର ପାନୀୟ ଜଳ  ପ୍ରକଳ୍ପ, ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬କୋଟିର ଶିକ୍ଷା ପ୍ରକଳ୍ପ l ଅନୁରୂପ ଭାବେ  ୨୫୦ କୋଟିର ପରିମଳ,୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୩୫ କୋଟିର ମହିଳା ଓ ଶିଶୁ ବିକାଶ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ରହିଛି l

ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ପୂର୍ଵତନ ସାଂସଦ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ l  ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ସହରରେ ୧୨୦ ଟି ସ୍ଥାନରେ ଏଲଇଡି ୱାଲର ବ୍ୟବସ୍ଥା କରାଯାଇଥିଲା l ଜିଲ୍ଲାର ୧୭ ବ୍ଲକ ସମେତ ପ୍ରମୁଖ ପଞ୍ଚାୟତରେ ୧୭ ମନ୍ତ୍ରୀ ଓ ୮୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେl

ସମ୍ବନ୍ଧିତ ଖବର