ଆପଣଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ପଠାଇଛନ୍ତି: ୫-ଟି ସଚିବ

ଶେରଗଡ଼/ହିଞ୍ଜିଳିକାଟୁ: ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ରବିବାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ଶେରଗଡ଼ ବ୍ଲକ୍‌ ଓ ହିଞ୍ଜିଳିକାଟୁରେ ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରି ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ‌ଶେରଗଡ଼ ବ୍ଲକ୍‌ର ବିଭିନ୍ନ ସ୍ଥାନ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ ବେଳେ ଶ୍ରୀ ପାଣ୍ଡିଆନ୍ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଉଛନ୍ତି। ଆପଣଙ୍କ ସୁଖଦୁଃଖ ଶୁଣିବାକୁ ଆମକୁ ଏଠାକୁ ପଠାଇଛନ୍ତି। ସମସ୍ୟା ନେଇ ଯେଉଁସବୁ ଦରଖାସ୍ତ ମିଳିଛି, ତୁରନ୍ତ ଏଦିଗରେ ସମାଧାନ ହେବ। ଆଉ ପୁଣି ଥରେ ୬ ମାସ ପରେ ଏଠାକୁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

୨୦୦୦ରେ ନିର୍ବାଚନମଣ୍ଡଳୀ ପୁନଃଗଠନରେ ଶେରଗଡ଼ ବ୍ଲକ୍ ସାମିଲ ହେବା ପରେ ଏଠାରେ ବିକାଶଧାରାକୁ ତ୍ବରାନ୍ବିତ କରାଯାଇଛି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଆସୁଛନ୍ତି। ଏଥିପାଇଁ ମିସନ୍ ଶକ୍ତି ମାଧ୍ୟମରେ ମା’ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଦଶଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଶେରଗଡ଼ ଉଦୟ ପ୍ରତାପ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ, ପିତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଆଇଟିଆଇକୁ ପରିଦର୍ଶନ କରିଥିଲେ। ଶିକ୍ଷାନୁଷ୍ଠାନର ବିକାଶ ନେଇ ଛାତ୍ରଛାତ୍ରୀଙ୍କଠୁ ମତାମତ ଲୋଡ଼ିଥିଲେ। ପ୍ରତି ଶିକ୍ଷାନୁଷ୍ଠାନରୁ ପାଞ୍ଚଜଣ ଲେଖାଏଁ ଛାତ୍ରଛାତ୍ରୀ ସେମାନଙ୍କ ମତ ଉପସ୍ଥାପନ କରିବା ସହ ସମସ୍ୟା ବିଷୟରେ ଅବଗତ କରିଥିଲେ। ସ୍କୁଲ୍ ଭଳି କଲେଜକୁ ମଧ୍ୟ ୫-ଟିରେ ରୂପାନ୍ତରଣ କରାଯାଇ ଭିତ୍ତିଭୂମିର ବିକାଶ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପିତଳ ତନ୍ତବାୟ ସହଯୋଗ ସମିତିର ଡେରା ସମ୍ପ୍ରଦାୟ ପରିବାରବର୍ଗ ସଚିବଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବୁଣାକାରଙ୍କ ଆର୍ଥିକ ବିକାଶ ପାଇଁ ମୁଦ୍ରାଲୋନ୍ ପ୍ରଦାନ, ଭୂମିହୀନ ବୁଣାକାରମାନଙ୍କୁ ସରକାରୀ ଜାଗା ପ୍ରଦାନ ସହ ବୁଣିବା ନିମନ୍ତେ ଗୃହନିର୍ମାଣ ସହାୟତା, ସମିତିର ପୁରାତନ କୋଠାର ପୁନରୁଦ୍ଧର, ସମିତି ପାଇଁ ଆବଶ୍ୟକ କଞ୍ଚାମାଲ କ୍ରୟ ଏବଂ ବୁଣାକାରଙ୍କ ପ୍ରସ୍ତୁତି ଖର୍ଚ୍ଚ ପରିଚାଳନା ପାଇଁ ସମିତିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସଭାପତି କେ.ତେଜଶ୍ବରୀ ପାତ୍ର ଦୃଷ୍ଟି ଆକର୍ଷଣ କରିଥିଲେ।
ଅନ୍ୟପକ୍ଷରେ ଶ୍ରୀ ପାଣ୍ଡିଆନ୍ ପିତଳ ଉତ୍ତରଶ୍ୱର ମନ୍ଦିର, କରଡ଼ାକଣା ଜଗନ୍ନାଥ ମନ୍ଦିର, ଶେରଗଡ଼ ଜଗନ୍ନାଥ ମନ୍ଦିର, ଧବଳପୁରଝିଙ୍କାରିଆରେ ଥିବା ୨ଟି ଶୈବ ପୀଠ, ଗୋଠଗାଁ ହନୁମାନ ମନ୍ଦିର ଓ ଅଲାରିଗଡ଼ ଜଗନ୍ନାଥ ମନ୍ଦିର ଗସ୍ତ କରିଥି‌ଲେ। ଏହାସହ ଶେରଗଡ଼ ବସଷ୍ଟାଣ୍ଡ୍ କାମ ଅନୁଧ୍ୟାନ କରିଥିଲେ। ବ୍ଲକ୍‌ର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲ୍ କ୍ରିଷ୍ଣା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଏସ୍‌.ପି. ଜଗମୋହନ ମିନା, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର, ଏଡିଏମ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡିଓ ଶିବାଶିଷ ବରାଳ, ତହସିଲଦାର ତ୍ରିଦେବ ରଥ, ବ୍ଲକ୍ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି, ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ହିଞ୍ଜିଳିକାଟୁରେ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କ ବାର୍ଷିକ ଯାତ୍ରାର ଉଦ୍‌ଯାପନୀ ଦିବସ‌ରେ ଶ୍ରୀ ପାଣ୍ଡିଆନ୍ ‌ଯୋଗ ଦେଇ ଠାକୁରଙ୍କ ଦର୍ଶନ କରିଥିଲେ। ଏହାସହ ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, ବୁରୁପଡ଼ାସ୍ଥିତ ମା’ଶ୍ୟାମଳାଇ ପୀଠ, କଞ୍ଚୁରୁ ସରକାରୀ ଉଚ୍ଚବିଦ୍ୟାଳୟ, ପୋଚିଲିମା କଲେଜ ଓ ଆଇଟିଆଇ ପରିଦର୍ଶନ କରିଥିଲେ। ହିଞ୍ଜିଳିକାଟୁ ଡାକ୍ତରଖାନା ଯାଇ ରୋଗୀ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ବ୍ଲକ୍ କାର୍ଯ୍ୟାଳୟରେ ମିସନ୍ ଶକ୍ତି ସଦସ୍ୟାଙ୍କୁ ଭେଟି ଭାବବିନିମୟ କରିଥିଲେ।
ବସଷ୍ଟାଣ୍ଡ୍ ନିକଟରେ ମିସନ୍ ଶକ୍ତି କାଫେ ପରିଦର୍ଶନ କରିଥିଲେ। ସେଠାରୁ ଆଙ୍କ‌ରୋଡ଼ା ଗ୍ରାମକୁ ଯାଇ ମଡେଲ୍ ଟାଙ୍କି, କରେଇଶୁଣି ମନ୍ଦିର ଓ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ବୁଲି ଦେଖିଥିଲେ। ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର