କରୋନା ପାଇଁ ହାତ ଧୋଇ ସଚେତନତାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଭାଇରସ ପାଇଁ ହାତ ଧୋଇ ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ସମ୍ମିଳନୀକକ୍ଷରେ ସମସ୍ତ ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ କରୋନା ସଂପର୍କିତ  ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଧାନସଭା ପରିସରରେ ଆଜି ସେ ପ୍ରଥମେ ହାତ ଧୋଇ ସଚେତନତା ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଓ ଦଳ ନିର୍ବିଶେଷରେ ବିଧାୟକମାନେ ମଧ୍ୟ ହାତ ଧୋଇଛନ୍ତି। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକମା‌ନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ପ୍ରଥମେ ବାଚସ୍ପତି କରୋନା ସତର୍କତା ଲାଗି ୨୯ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ହେବା ସଂପର୍କରେ ସୂଚନା ଦେଇଥିଲେ। ଏହା ପରେ ମୁଖ୍ୟସଚିବ ଅସିତ ତ୍ରିପାଠୀ ଏବଂ ସ୍ବାସ୍ଥ୍ୟସଚିବ ଗଗନ ଧଳ କରୋନା ଦେଶ ଓ ପୃଥିବୀରେ କରୋନା ଭୟାବହତା ଏବଂ ଏଥିରୁ ବର୍ତ୍ତିବା ଲାଗି ଆଶ୍ୟକୀୟ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ସଂପର୍କରେ ବର୍ଣ୍ଣନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପସ୍ଥିତ ସମସ୍ତେ ସାବୁନରେ ହାତଧୋଇ ସଚେତନତାର ବାର୍ତ୍ତା ଦେଇଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତି ଦେଇ କରୋନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଲାଗି ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍‌ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବାଯ ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁ ତଥା ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।’

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁଇଟି ପ୍ରସ୍ତାବରେ ମୋହର ଲାଗିଥିବା ଜଣାଯାଇଛି। କରୋନା ଲାଗି ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ସୂଚନାଯୋଗ୍ୟ, କରୋନା ପାଇଁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଏନେଇ ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ କରୋନାକୁ ଘୋଷଣା କରାଯାଇଥିବା ହେତୁ ମାର୍ଚ୍ଚ ୩୦ ଯାଏଁ ବିଧାନସଭା ସ୍ଥଗିତ ରଖିବାକୁ ମୁଖ୍ୟ ସଚେତକ ଗୃହରେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ସଚେତକଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର