କାଠଗଡ଼ାରେ କୁନ୍ଦୁଲି : ଯଦି ଗଣଦୁଷ୍କର୍ମ ମିଛ, ସତ କ’ଣ?

ଭୁବନେଶ୍ୱର : ଅକ୍ଟୋବର ୧୦ ତାରିଖରେ ଘଟିଲା ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣା। ସେବେଠାରୁ ଜିଲ୍ଲା ପୁଲିସ ଝାଳନାଳ ହୋଇ ଏହାର ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ଓ ଏଚ୍‌ଆର୍‌ପିସି ବି। ରାଜ୍ୟ ପୁଲିସର ତିନିଟି ପ୍ରମୁଖ ଅଙ୍ଗ ଅନୁସନ୍ଧାନ କରିବା ପରେ ବି ଅଭିଯୁକ୍ତ ଗିରଫ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ପୁଲିସ ଦାବି କରୁଛି ଯେ ଦୁଷ୍କର୍ମ ହୋଇନାହିଁ। ଯଦି ନାବାଳିକାକୁ ଦୁଷ୍କର୍ମ ହୋଇନାହିଁ, ତେବେ ପୀଡିତା ଅଭିଯୋଗ କ’ଣ ମିଛ? ସତଟି କଣ, ସେକଥା କହିବାକୁ ଏସ୍‌ପି, ଡିଜି, ଗୃହ ବିଭାଗର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ପଛଘୁଞ୍ଚା ଦେଉଛନ୍ତି କାହିଁକି?

ଏହି ପ୍ରସଙ୍ଗ ଏବେ ଅନେକ ପ୍ରଶ୍ନକୁ ଜନ୍ମ ଦେଲାଣି। ଡାକ୍ତରୀ ମାଇନା ରିପୋର୍ଟ ଆସିଲା ଯେ ସଂପୃକ୍ତ ପୀଡିତାଙ୍କୁ ଦୁଷ୍କର୍ମ ବା ଗଣଦୁଷ୍କର୍ମ କରିବାର କିଛି ପ୍ରମାଣ ମିଳୁନାହିଁ। ଯଦି ଏକାଧିକ ବିଶେଷଜ୍ଞଙ୍କୁ ନିୟୋଜିତ କରିବା ପରେ ବି ସମାନ ଫଳ ମିଳିଲା, ତେବେ ପୁଲିସ ଏ ଘଟଣାକୁ ଚାପି ରଖିଲା କାହିଁକି? ଆଜି ଏସ୍‌ପି ଗଣମାଧ୍ୟମ ସାମ୍ନାକୁ ଆସି ଗଣଦୁଷ୍କର୍ମ ହୋଇନଥିବା କଥା କହୁଛନ୍ତି। ତେବେ ଆଗରୁ ଆସି କହିବା ଲାଗି ତାଙ୍କୁ କିଏ ବାରଣ କରିଥିଲା? ପୁଲିସ ଡରୁଛି କାହାକୁ?

ଅତି ଗୁରୁତର ଅବସ୍ଥାରେ ଥିବା ପୀଡିତାଙ୍କ ପାଖରେ ପହଞ୍ଚି ୧୬୪ ରେକର୍ଡ କରାଯିବାର ଅନେକ ନଜିର ରହିଛି। ଏ ଘଟଣାରେ କାହିଁକି ୧୭ଦିନ ପରେ ପୀଡିତାଙ୍କର ୧୬୪ ବୟାନ ରେକର୍ଡ କରାଗଲା? ଯଦି ଦୁଷ୍କର୍ମ ହୋଇନାହିଁ, ତେବେ ପୀଡିତାଙ୍କୁ ହସ୍ପିଟାଲରେ ରଖି କେଉଁ ଚିକିତ୍ସା କରୁଥିଲେ କର୍ତ୍ତୃପକ୍ଷ? ଏନେଇ ସାଧାରଣରେ ମେଡିକାଲ କର୍ତ୍ତୃପକ୍ଷ ତଥ୍ୟ ରଖିବାରେ ଅସୁବିଧା କେଉଁଠି ରହିଲା? ପୀଡିତାର ବୟାନ ଅନୁସାରେ ହେଉ ଅଥବା ପୁଲିସ ତଦନ୍ତ ଆଧାରରେ ଯିଏ ବି ଅଭିଯୁକ୍ତ ହୋଇଥାଉ, ତାର ସ୍କେଚ୍‌ ଜାରି କରିବା ଲାଗି ପଛଘୁଞ୍ଚା କାହିଁକି?

ସେହିଭଳି ବୟାନ ବଦଳାଇବା ଲାଗି ପୁଲିସ ଚାପ ପକାଇଛି ବୋଲି ପୀଡିତା ଓ ତାର ସଂପର୍କୀୟ ବାରମ୍ବାର ଅଭିଯୋଗ କରିଛନ୍ତି। ଏ ନେଇ ବି ପୁଲିସ ଅଧିକାରୀ ମୁହଁ ଖୋଲିଲେନି କାହିଁକି? ଯଦି ଏ ଘଟଣା ମିଛ, ତେବେ ସତ କଣ, କିଏ ଏଭଳି ଷଡ଼ଯନ୍ତ୍ର ରଚନା କରିଛି, ସେକଥା କହିବା ଲାଗି କ’ଣ ପୁଲିସର ସାହସ ନାହିଁ?

ବିଜେଡି ଏସ୍‌ସି ସେଲ୍‌ ଆବାହକ ବିଷ୍ଣୁ ଦାସ କଣ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଚାହିଁଥିଲେ? ଏମିତି କ’ଣ ସେ ଦେଖିଲେ ଯେ ସ୍ଥାନୀୟ ପୁଲିସ ଉପରେ ଅନାସ୍ଥା ପ୍ରକଟ କଲେ?

ସବୁଠାରୁ ସାଂଘାତିକ କଥା ହେଉଛି, ଘଟଣା ସତ ହୋଇଥାଉ ଅଥବା କିଏ ଷଡ଼ଯନ୍ତ୍ର କରିଥାଉ, ଗୋଟିଏ ନବମ ଶ୍ରେଣୀ ନାବାଳିକାର ଇଜ୍ଜତକୁ ନେଇ ଖେଳ ଆରମ୍ଭ ହୋଇଛି। ତାର ଯେଉଁ ଅପୂରଣୀୟ କ୍ଷତି ଘଟିଲା, ମୂଲ୍ୟ କିଏ ଦେବ? ସରକାର, ସମାଜର ଉତ୍ତରଦାୟିତ୍ୱଟି ତାହା ହେଲେ କ’ଣ? ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ଅଥବା ବିଚାର ବିଭାଗୀୟ ତଦନ୍ତ, ଫଳ କେବେ ଆସିବ ତାହା ଏବେଠାରୁ ଅନୁମାନ କରିବା ମୁସ୍କିଲ। ହେଲେ ଏସବୁ ପ୍ରଶ୍ନର ଉତ୍ତର ଲୋକେ ନିଶ୍ଚିତ ଭାବେ ସରକାରଙ୍କ ଠାରୁ ଆଶା କରିବେ ଓ ମାମଲା ଉପରୁ ପରଦା ହଟାଇବା ଲାଗି ପୁଲିସକୁ ସତ କ’ଣ ଓଗାଳିବାକୁ ପଡିବ।

ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ : ଜିଲ୍ଲା ଜଜ୍‌ କରିବେ ତଦନ୍ତ, କ୍ରାଇମବ୍ରାଞ୍ଚ ତଦନ୍ତ ବି ଚାଲିବ

ଭୁବନେଶ୍ୱର : କୁନ୍ଦୁଲିରେ ଛାତ୍ରୀଙ୍କ ଗଣଦୁଷ୍କର୍ମ ଅଭିଯୋଗ ମିଛ ବୋଲି ଗତକାଲି ରିପୋର୍ଟ ପ୍ରକାଶ ପାଇବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବହୁ ଚର୍ଚ୍ଚିତ ଓ ସମ୍ବେଦନଶୀଳ ଏହି ଗଣଦୁଷ୍କର୍ମ ଅଭିଯୋଗ ପ୍ରସଙ୍ଗକୁ ରାଜ୍ୟ ସରକାର ଚତୁରତାର ସହିତ ଶୀତଳଭଣ୍ଡାରକୁ ଠେଲିଦେବାକୁ ଉଦ୍ୟମ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସହିତ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ। କମିସନ ଅଫ୍‌ ଇନକ୍ୱାରି ଆକ୍ଟ ୧୯୫୨ ଅନୁଯାୟୀ ଏହି ଘଟଣାର ତଦନ୍ତ ଜଣେ ଜିଲ୍ଲା ଜଜ୍‌ କରିବେ। ତେବେ ନିର୍ଦିଷ୍ଟ କେଉଁ ଦିଗ ଉପରେ ତଦନ୍ତ ହେବ, କେତେ ଦିନ ମଧ୍ୟରେ ରିପୋର୍ଟ ଆସିବ, ଏ ନେଇ ସରକାର ଏଯାଏ କିଛି କହିନାହାନ୍ତି ବା ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଥିଲେ, ନାବାଳିକାଙ୍କ ସହ କୌଣସି ଦୁଷ୍କର୍ମ ହୋଇନାହିଁ। ଏହାକୁ ସମର୍ଥନ କରିଥିଲେ କୋରାପୁଟ ଏସ୍‌ପି। ହେଲେ ଉଭୟ ଅଧିକାରୀଙ୍କ ମନ୍ତବ୍ୟ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିପାରିନି। ବରଂ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ଯାଏ ସମସ୍ତେ ବିସ୍ମିତ, ବିଚଳିତ ହୋଇପଡିଛନ୍ତି। କେବଳ ସେତିକି ନୁହେଁ, ଏହି ଘଟଣାରେ ରାଜ୍ୟ ପୁଲିସର ଭାବମୂର୍ତି ବାଜିରେ ଲାଗିଛି ଓ ପୁଲିସର ବିଶ୍ୱସନୀୟତା ସନ୍ଦେହ ଘେରକୁ ଚାଲିଆସିଛି।

‘ଆମ ଝିଅକୁ ଫେରାଇ ଦିଅ’

କୋରାପୁଟ : ପୀଡିତାଙ୍କୁ ଦୁଷ୍କର୍ମ କରାଯାଇଥିବାର କିଛି ପ୍ରମାଣ ମିଳିନି ବୋଲି ପୁଲିସ କହିବା ପରେ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାର ନୂଆ ମୋଡ ଆସିଛି। ଆଗରୁ ପୀଡିତାଙ୍କୁ ଘରକୁ ନେବା ପାଇଁ ରାଜି ହେଉ ନ ଥିବା ଘର ଲୋକେ ଏବେ ପୀଡିତାଙ୍କୁ ଘରକୁ ନେବା ପାଇଁ ଜିଦ୍‌ ଧରି ବସିଛନ୍ତି। ଏପରିକି ଏହାକୁ ନେଇ ସେମାନେ ଆଜି ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ପରିବାର ଲୋକେ ସ୍ପଷ୍ଟ କହି ଦେଇଛନ୍ତି ଯେ, ପୀଡିତାଙ୍କୁ ଆଉ ନ୍ୟାୟ ମିଳିବାର ଆଶା ନାହିଁ। ତେଣୁ ସେମାନେ ତାଙ୍କୁ ଘରକୁ ନେଇଯିବାକୁ ଚାହୁଁଛନ୍ତି। ଅପରପକ୍ଷରେ ଏହି ମାମଲାରେ କଡା ଆଭିମୁଖ୍ୟ ପୋଷଣ କରିଛି କଂଗ୍ରେସ। ଆବଶ୍ୟକ ହେଲେ ପୀଡିତାଙ୍କୁ ବିଧାନସଭା ନେଇ ପ୍ରତିବାଦ କରିବୁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

ଅପରପକ୍ଷରେ ଆଜି ପୀଡିତା ରହୁଥିବା ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ତାଙ୍କ ପରିବାର ଲୋକେ ପହଞ୍ଚିଥିଲେ। ସେମାନେ ଝିଅ ସହ ଭେଟିବାକୁ ଚାହୁଁଥିଲେ। କିନ୍ତୁ ପୁଲିସ ସମସ୍ତଙ୍କୁ ଅନୁମତି ଦେଇ ନ ଥିଲା। କେବଳ ପୀଡିତାଙ୍କ ମାଆ ଓ ଭାଇ ତାଙ୍କୁ ଭେଟିବାକୁ ଯାଇଥିଲେ। ଏହାକୁ ନେଇ ତାଙ୍କ ପରିବାରର କିଛି ଲୋକ ଶିଶୁ ପରିଚର୍ଯ୍ୟା କେନ୍ଦ୍ର ଆଗରେ ପାଟିତୁଣ୍ଡ କରିଥିଲେ। ସେମାନେ ପୁଲିସ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ। ପରେ ପୀଡିତାଙ୍କ ମା’ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝିଅଙ୍କ ସହ କଥା ହେବାକୁ ବି ସମୟ ଦେଲେନି। ଦୁଃଖସୁଖ କଥା ହେବା ଆଗରୁ ଭିଡି ଭିଡି ନେଇଗଲେ। ଝିଅ ପରିବାର ଲୋକଙ୍କୁ ଭେଟିବାକୁ ଚାହୁଁଥିଲା ବେଳେ ତାଙ୍କୁ ଛଡାଯାଉନାହିଁ। ଏ ସରକାରଙ୍କ ପାଖରୁ ନ୍ୟାୟ ମିଳିବାର ଆଶା ନାହିଁ। ତେଣୁ ଝିଅଙ୍କୁ ଘରକୁ ଫେରାଇ ନେବାକୁ ସେମାନେ ଚାହୁଁଛନ୍ତି ବୋଲି କହିଛନ୍ତି। ଏପଟେ ପୀଡିତାଙ୍କ ଭାଇ କହିଛନ୍ତି ଯେ, ବିଚାର ବିଭାଗୀୟ ତଦନ୍ତ ହେଉ କି ଯେଉଁ ପ୍ରକାର ତଦନ୍ତ ହେଉ ସତ ବାହାରକୁ ଆସିବା ଦରକାର। ଏହି ଘଟଣାରେ ଯିଏ ବି ଦୋଷୀ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସତକୁ ଦବେଇ ଦେବାକୁ ଚେଷ୍ଟା ନ କରନ୍ତୁ। ଦୁଷ୍କର୍ମ କରିଥିବା ୪ଜଣଙ୍କୁ ଦଣ୍ଡ ଦିଆ ଯାଉ ନ ହେଲେ ଯଦି ଝିଅ ମିଛ କହୁଛି ତାହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ତାଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି।

ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇ ନ ଥିବା ଖବରକୁ ବି ସହଜରେ ଗ୍ରହଣ କରିନି ବିରୋଧୀ କଂଗ୍ରେସ। ଆଜି ଦଳ ପକ୍ଷରୁ ଏହାକୁ କଡା ସମାଲୋଚନା କରାଯାଇଛି। ସରକାର ଦୋଷୀଙ୍କୁ ଘୋଡାଇବା ପାଇଁ ଏପରି ଡ୍ରାମା କରୁଛି ବୋଲି ଦଳ ଅଭିଯୋଗ କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଡିଜି ଓ ଏସପିଙ୍କୁ କହି ମେଡିକାଲ ରିପୋର୍ଟ ପ୍ରକାଶ କରିଦେଲେ। ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଦେଲେ। ଏଥିରୁ କିଛି ଫଳାଫଳ ମିଳିବନି ବୋଲି ଏବେଠାରୁ ସ୍ପଷ୍ଟ ହୋଇଗଲାଣି।

ସମ୍ବନ୍ଧିତ ଖବର