ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହ ବିଭାଗ ଛାଡ଼ନ୍ତୁ: ବିଜେପି

ଭୁବନେଶ୍ବର : ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା ଏବେ ସର୍ବଭାରତୀୟ ସ୍ତରରେ ସାଇବର ଅପରାଧ, ଚୋରୀ, ଡକାୟତି, ନିଶାଦ୍ରବ୍ୟ କାରବାର, ଶିଶୁ ଅପହରଣରେ ଅଗ୍ରଣୀ ରାଜ୍ୟ ପାଲଟିଛି। ରାଜ୍ୟରେ ପ୍ରତି ଅଢ଼େଇ ଘଣ୍ଟାରେ ଗୋଟିଏ ହତ୍ୟା ଓ ଧର୍ଷଣ ହେଉଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ଜଣେ ପୁଲିସ ଅଧିକାରୀ ଗୁଳି କରି ହତ୍ୟା କଲେ। କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଛନ୍ତି। ବଲାଙ୍ଗୀରରେ ବିଚ୍‌ ରାସ୍ତାରେ ହତ୍ୟା, ରେମୁଣା ଓ ଜୟପୁରରେ ହତ୍ୟା ଓ ଅନ୍ୟ ପ୍ରଦେଶରୁ ଆସିଥିବା ଲୋକଙ୍କୁ ମୁଣ୍ଡଳି ଟୋଲ ଗେଟ୍‌ରେ ଆକ୍ରମଣ ପ୍ରସଙ୍ଗ ଦେଖିଲେ ଜଣାପଡ଼ୁଛି ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ। ୨୩ବର୍ଷର ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଅପାରଗତାରେ ନମ୍ବର ୱାନ୍। ତେଣୁ ମୁଖ୍ୟମନ୍ତ୍ରୀ ନିଜ ଅପାରଗତାକୁ ଦାୟୀ କରି ତୁରନ୍ତ ନିଜ ଅଧୀନରେ ଥିବା ଗୃହ ବିଭାଗ ଛାଡ଼ନ୍ତୁ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଦାବି କରିଛନ୍ତି।

ଶୁକ୍ରବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଅ‌ାୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଥିଲେ, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୧୧୮ଦିନ ପୂରିଛି। କିନ୍ତୁ କ୍ରାଇମବ୍ରାଞ୍ଚ କେବଳ ଧର୍ମକୁ ଆଖିଠାର ସଦୃଶ ତଦନ୍ତ କରୁଛି। ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯାହାଙ୍କ ବିରୋଧରେ ଷଡଯନ୍ତ୍ରର ଅଭିଯୋଗ କରାଯାଇଥିଲା ସେମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରୁନାହିଁ କାହିଁକି? ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଏଫ୍‌ବିଆଇ ତଦନ୍ତର ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ରାଜ୍ୟବାସୀଙ୍କୁ ନିସର୍ତ କ୍ଷମା ମାଗନ୍ତୁ। ରାଜ୍ୟର ଅନ୍ୟ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ରିପୋର୍ଟ ସମୀକ୍ଷା କରାଯାଉଛି କିନ୍ତୁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା କରୁଛି କିଏ?

ସେହିପରି ଏହି ଅବସରରେ ଶ୍ରୀ ମହାପାତ୍ର ୟୁନିଟ-୧ରେ ଘଟିଥିବା ହତ୍ୟାକାଣ୍ଡ ପ୍ରସଙ୍ଗରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ, ଯାଜପୁର ଜିଲ୍ଲା ବିଛାଖଣ୍ଡ ପାହାଡ଼ରୁ ପଥର ଲୁଟ୍‌ ଘଟଣାରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଲିଗାଲ୍‌ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର