ଏଟିଏମ ମେସିନର ଟଙ୍କା ବାକ୍ସରୁ ମୃତ ନାଗ ସାପ ଉଦ୍ଧାର

ବ୍ରଜରାଜନଗର: ଏଟିଏମ ଟଙ୍କା ବାକ୍ସରୁ ଉଦ୍ଧାର ହେଲା ନାଗ ସାପର ମୃତଦେହ | ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ଥିବା ଧଳ କମ୍ପ୍ଲେକ୍ସର ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଏହି ମୃତ ସାପଟିକୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଅପରାହ୍ନ ୪ଟା ବେଳେ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଅଧିକାରୀମାନେ ଆସିଥିଲେ | ଅଧିକାରୀମାନେ ଏଟିଏମର ଟଙ୍କା ବାକ୍ସରେ ଏକ ନାଗ ସାପକୁ ଦେଖିବାକୁ ପାଇଥିଲେ |

ଏଥିରେ ଭୟଭୀତ ହୋଇ ଟଙ୍କା ବାକ୍ସକୁ ବନ୍ଦ କରି ସେମାନେ ପଳାଇଯାଇଥିଲେ | ଆଜି ସକାଳେ ଏଟିଏମକୁ ଖୋଲାଯିବା ପରେ ଟଙ୍କା ବାକ୍ସରୁ ନାଗ ସାପଟି ମୃତ ଅବସ୍ଥାରେ ମିଳିଥିଲା | ଏହା ପରେ ସାପଟିକୁ ବାହାରକୁ କଢ଼ାଯାଇଥିଲା | କୁହାଯାଉଛି ଏହି ସାପଟି ଏଟିଏମର ରିଜେକ୍ଟ କ୍ୟାସ ବକ୍ସରେ ରହିଯାଇଥିଲା |

ଏହି ସାପଟିର ଲମ୍ବା ୪ଫୁଟରୁ ସାଢେ ୪ ଫୁଟ ବୋଲି ଜଣାପଡିଛି | ତେବେ ବଡ କଥା ଯେ ନିବୁଜ ଏଟିଏମର ଟଙ୍କା ବାକ୍ସରେ ଏହି ସାପଟି କେମିତି ପଶିଥିଲା | ଏହାକୁ ନେଇ କେହି ସୂଚନା ଦେଇନଥିବାବେଳେ ଏହାକୁ ନେଇ ବ୍ରଜରାଜନଗର ସହରରେ ଚର୍ଚ୍ଚା ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର