କେଏମ୍‌ବିବି ବିଜ୍ଞାନ ମହାବିଦ୍ୟାଳୟରେ ଜ୍ଞାନଦୀକ୍ଷା ସମାରୋହ

ଭୁବନେଶ୍ବର : ନରଣପୁରସ୍ଥିତ କେଏମ୍‌ବିବି କ୍ୟାମ୍ପସ୍-୨ରେ ଆଜି ସିଏଚ୍‌ଏସ୍‌ଇ ଓ ସିବିଏସ୍‌ଇ +୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ‘ଜ୍ଞାନଦୀକ୍ଷା ସମାରୋହ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର ସମାରୋହରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ +୨ ଦ୍ୱିତୀୟ ବର୍ଷର ପାଠପଢ଼ା ଓ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ଜ୍ଞାନଦୀକ୍ଷା ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଯୋଗାଚାର୍ଯ୍ୟ ଅଖିଳ ବିଶ୍ବ ଗାୟତ୍ରୀ ପରିବାର, ଓଡ଼ିଶା ରାଜ୍ୟ ଯୋଗ ସଂଯୋଜକ ଡ. ବିଶ୍ବରଂଜନ ରଥ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ବଳନ ସହ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନଦୀକ୍ଷା କରାଇଥିଲେ। ଡ. ରଥ ଏହି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିର ବିଭିନ୍ନ ସଂସ୍କାର ପଦ୍ଧତିର ବୈଜ୍ଞାନିକ ବ୍ୟାଖ୍ୟା ସହିତ ଛାତ୍ର ଜୀବନରେ କିଭଳି ସଂସ୍କାରିତ ତଥା ସଂକଳ୍ପବାନ୍ ହେବେ, ମାତୃପିତୃଭକ୍ତ, ଗୁରୁଭକ୍ତ, ଆଦର୍ଶ ବିଦ୍ୟାର୍ଥୀ, ଦେଶ ପ୍ରେମର ଗୁଣ ସହିତ ଶ୍ରୀ ଜଗନ୍ନାଥ ସଂସ୍କୃତି, ଉତ୍କଳ ସଂସ୍କୃତିର ମହାପୁରୁଷଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ଉକ୍ତ ‘ଜ୍ଞାନଦୀକ୍ଷା ସମାରୋହ’ରେ +୨ ଦ୍ବିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ +୨ କୋର୍ସ କୋଅଡିନେଟର୍ (+୨ ବିଜ୍ଞାନର ସଂଯୋଜକ) ତଥା ପଦାର୍ଥବିଜ୍ଞାନର ଅଧ୍ୟାପକ ସନ୍ତୋଷ କୁମାର ସାହୁ ଓ ପ୍ରବେଶିକା ପରୀକ୍ଷା ସଂଯୋଜିକା ତଥା ଉଦ୍ଭିଦବିଜ୍ଞାନ ଅଧ୍ୟାପିକା ରୋମାଲି ସୋନମ୍ ସମର୍ପିତା ସଂଯୋଜନା କରିଥିଲେ। ଶେଷରେ ବିଦ୍ୟାଳୟର ଡିନ୍ ଆଡ଼ମିନିଷ୍ଟ୍ରେସନ୍ ମିନତିପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର