୫ ବର୍ଷ ପରେ ବି କାମରେ ଆସୁନି ସେଚ ପ୍ରକଳ୍ପ: ୧୯ କୋଟିର ପ୍ରକଳ୍ପ ଆରମ୍ଭରୁ ଅଚଳ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧୋୟା ଅଞ୍ଚଳରେ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ପାର୍ବତୀ ଗିରି  ବୃହତ ଉଠା ଜଳସେଚନ ପ୍ରକଳ୍ପ। ପ୍ରକଳ୍ପ ନିର୍ମାଣର ୫ ବର୍ଷ ପରେ ବି ଏହା ଚାଷୀଙ୍କ କାମରେ ଲାଗୁ ନାହିଁ କି’ ଚାଷ ସମୟରେ ବୁନ୍ଦାଏ ବି ପାଣି ଚାଷ ଜମିକୁ ଯାଉନାହିଁ। ଆଳି ବ୍ଲକର ସୀମାନ୍ତବର୍ତ୍ତୀ ଅଞ୍ଚଳ ଡିମିରିପାଳ, ଅରଗଳ, ନାରାୟଣପୁର, ମଧୁବନ ଗ୍ରାମ ସମୂହର ୭୫୦. ୩୧ ହେକ୍ଟର ଚାଷଜମିରେ ଖରସ୍ରୋତା ନଦୀର ଜଳକୁ ଉପଯୋଗ କରି ସବୁଦିନିଆ ଜଳସେଚନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଏହି ବୃହତ ଉଠା ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ୧୮.୬୧ କୋଟି ଟଙ୍କା ବ୍ୟୟଅଟକଳରେ ୨୦୧୫ ଡିସେମ୍ବର ୨୧ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୯ ଫେବ୍ରୁଆରି ୧୫ ତାରିଖରେ ଶେଷ ହୋଇଥିଲା। ଏହି ପ୍ରକଳ୍ପରୁ ଅଞ୍ଚଳର ଚାଷଜମିକୁ ଖରିଫ୍, ଡାଳୁଅ ଧାନ ସହିତ ପନିପରିବା ଚାଷ ସମୟରେ ଜଳସେଚନ କରିବା ଯୋଜନା ଥିଲା। ମାତ୍ର ନିର୍ମାଣ ହେବା ଦିନଠାରୁ ଏହି ପ୍ରକଳ୍ପରୁ ବୁନ୍ଦାଏ ବି ଜଳ ଚାଷଜମିକୁ ଯାଇନାହିଁ ବୋଲି ସ୍ଥାନୀୟ ଚାଷୀମାନେ କ୍ଷୋଭର ସହିତ କହିଛନ୍ତି। ଅପରପକ୍ଷରେ ସୁଦୃଶ୍ୟ କୋଠା, ବିଦ୍ୟୁତ ଯନ୍ତ୍ରାଂଶକୁ ନେଇ ଖରସ୍ରୋତା ନଦୀ କୂଳରେ ଏହି ପ୍ରକଳ୍ପ ଚକମକ କରୁଥିବା ବେଳେ ପ୍ରକଳ୍ପକୁ ଲାଗି ରହିଥିବା ଶହଶହ ଏକର ଚାଷଜମି ବର୍ଷବର୍ଷ ଧରି ପଡିଆ ପଡ଼ି ବେଣାଜଙ୍ଗଲ ପାଲଟିଛି। ଏହାକୁ ନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଅର୍ଗଳ ଅଞ୍ଚଳର ଚାଷୀ ମନୋଜ କୁମାର ଦାସ କହିବା ଅନୁଯାୟୀ ଏଠି ଦୁଇଜଣ ସିକ୍ୟୁରିଟି ଗାର୍ଡ କାଁଭାଁ କେତେବେଳେ ଦେଖା ଯାଉଛନ୍ତି। ଅନ୍ୟ କାହାରି ଦେଖାଦର୍ଶନ ନାହିଁ। ପ୍ରକଳ୍ପ ଏକପ୍ରକାର ଅଚଳ ହୋଇ ରହିଛି। ଚାଷୀ ଶ୍ରୀଧର ସ୍ବାଇଁ କହିବା ଅନୁଯାୟୀ ତାଙ୍କ ଘର ଆଗରେ ଏହି ପ୍ରକଳ୍ପ ତିଆରି ହୋଇଛି। କୋଠା, ଯନ୍ତ୍ରପାତି ସବୁ ପଡି ଖତ ଖାଉଛି। ଚୋରି ହୋଇଯାଉଛି। ଏପଟେ ଆମ ଜମି ପଡିଆ ପଡିଛି। ଚାଷୀ ଅକ୍ଷୟ ମଲିକ କହିବା ଅନୁଯାୟୀ ଜମିକୁ ଜଳସେଚନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କଲେ। ଜମିରେ କିନ୍ତୁ ପାଣି ମାଡି ପାରୁନାହିଁ। ପ୍ରକଳ୍ପ ନିର୍ମାଣ ବେଳେ ଆବଶ୍ୟକୀୟ ତଦାରଖ ଅଭାବରୁ ଖାଲୁଆ ଜମିରୁ ଉଚ୍ଚ ଜମିକୁ ପାଇପ୍ ବିଛା ଯାଇଛି। ପାଣି ଚାଲିଲେ ବି ତାହା ଉପରକୁ ଉଠିବ ନାହିଁ। ପୂର୍ବରୁ ବର୍ଷା ଦିନେ ପାଣି ଚଳାଇବାକୁ ଆମ ଫସଲ ନଷ୍ଟ ହେଲା। ଏହାକୁ ନେଇ ଉତ୍ତେଜିତ ଚାଷୀ କର୍ମଚାରୀଙ୍କୁ ଘେରିବା ପରେ ମେସିନ୍ ଖରାପ ନହେବା ପାଇଁ ପାଣି ଚଲା ଯାଉଛି ବୋଲି ସେତେବେଳେ କୁହାଯାଇଥିଲା। କିନ୍ତୁ ତା’ ପରଠାରୁ ପ୍ରକଳ୍ପ ଅଚଳ ‌ଅବସ୍ଥାରେ ପଡି ରହିଛି।

ସମ୍ବନ୍ଧିତ ଖବର