କେଜ୍ରିୱାଲଙ୍କ ହାଜତ ମିଆଦ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ଇଡି ହାଜତ ମିଆଦକୁ ଆଉ ୪ ଦିନ (ଏପ୍ରିଲ ୧ ପର୍ଯ୍ୟନ୍ତ) ପାଇଁ ବୃଦ୍ଧି କରିଛନ୍ତି ନିମ୍ନ ଅଦାଲତ। ଆଜି କଡ଼ା ସୁରକ୍ଷା ଭିତରେ କେଜ୍ରିୱାଲଙ୍କୁ ଅଦାଲତରେ ହାଜର କରାଯାଇଥିଲା। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ହାଜତ ମିଆଦ ୭ ଦିନ ବୃଦ୍ଧି କରିବାକୁ ଇଡି ଦାବି କରିଥିଲେ ମଧ୍ୟ ଅଦାଲତ କେବଳ ୪ ଦିନ ମଂଜୁର କରିଥିଲେ। କେଜ୍ରିଵାଲ କୋର୍ଟରେ ନିଜ ପକ୍ଷ ରଖି କହିଥିଲେ ଯେ ତଦନ୍ତକାରୀ ଏଜେନ୍ସି ଶାସକ ଦଳର ଇଙ୍ଗିତରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)କୁ ଦମନ କରିବାକୁ ଚେଷ୍ଟା କରୁଛି। କେଜ୍ରିୱାଲ କହିଥିଲେ, ‘ଇଡିର ରିମାଣ୍ଡ ଆବେଦନକୁ ମୁଁ ବିରୋଧ କରୁନାହିଁ । ଇଡି ମୋତେ ଯେତେ ଦିନ ଚାହିବ ହାଜତରେ ରଖିପାରିବ। ଇଡିର ସମଗ୍ର ମାମଲା ଏକ ‘ଷଡ଼୍‌ଯନ୍ତ୍ର’ ଓ ‘ସ୍କାମ୍‌’ ବୋଲି ଦର୍ଶାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଲେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତକାରୀ ଏଜେନ୍ସି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି। ଇଡିର ଦୁଇଟି ଉଦ୍ଦେଶ୍ୟ ଥିଲା ଏବଂ ସେଥିରୁ ଗୋଟିଏ ହେଉଛି ଆପ୍‌କୁ ଦମନ କରିବା ଏବଂ ଦ୍ବିତୀୟଟି ହେଉଛି ଏକ ବାତାବରଣ ତିଆରି କରି ବଳପୂର୍ବକ ଅର୍ଥ ଆଦାୟ କରିବା। ଇଡି ଏବେ ଯେଉଁ ସବୁ ଯୁକ୍ତି ଦେଖାଇ ମୋତେ ଗିରଫ କରିଛି ତାହା କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଆଦୌ ପର୍ଯ୍ୟାପ୍ତ ନୁହେଁ ବୋଲି କେଜ୍ରିୱାଲ କହିଥିଲେ।

ଏହାର ଜବାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ କୋର୍ଟରେ ନିଜର ପକ୍ଷ ରଖି କେଜ୍ରିୱାଲ ତଦନ୍ତରେ ସହଯୋଗ କରୁନଥିବା କହିଥିଲା। ଇଡି ସକିଲ କହିଥିଲେ, କେଜ୍ରିଵାଲ ତାଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନ୍‌ର ପାସୱାର୍ଡ ପ୍ରକାଶ କରୁନାହାନ୍ତି। ଯଦି ସେ ସହଯୋଗ ନ କରନ୍ତି, ତେବେ ଆମେ ଏହାକୁ ବୈଷୟିକ ପ୍ରକ୍ରିୟାରେ ଖୋଲିବାକୁ ବାଧ୍ୟ ହେବୁ। କେଜ୍ରିୱାଲ ସିଧାସଳଖ କୌଣସି ପ୍ରଶ୍ନର ଉତ୍ତର ଦେଉନାହାନ୍ତି ବୋଲି ତଦନ୍ତକାରୀ ସଂସ୍ଥା କୋର୍ଟରେ କହିଛି। ଅରବିନ୍ଦ କେଜ୍ରିୱାଲ ୧୦୦ କୋଟି ଟଙ୍କା ଲାଞ୍ଚ ମାଗିଥିବା ପ୍ରମାଣ ଆମ ପାଖରେ ଅଛି ବୋଲି ଇଡି କହିଛି।

ସମ୍ବନ୍ଧିତ ଖବର