ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ବିବାଦ: ଚୟନ କମିଟିର ସଦସ୍ୟ ନିଜେ ପ୍ରାର୍ଥୀ!

ବୟସ ଓ ଯୋଗ୍ୟତା ମାନଦଣ୍ଡକୁ ନେଇ ସନ୍ଦେହ

କଟକ: ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। କୁଳପତି ନିଯୁକ୍ତି ପାଇଁ ଧାର୍ଯ୍ୟ କରାଯାଇଥିବା ବୟସ, ଯୋଗ୍ୟତା ଓ ଅଭିଜ୍ଞତାକୁ ନେଇ ଦ୍ବନ୍ଦ୍ବ ବଢିବାରେ ଲାଗିଛି। ଅନ୍ୟପଟେ କୁଳପତି ଚୟନ ପାଇଁ ଯେଉଁ କମିଟି ଗଠନ କରାଯାଇଛି, ତାହାର ବୈଧତାକୁ ନେଇ ବି ପ୍ରଶ୍ନ ଉଠୁଛି। ନିର୍ଦ୍ଦିଷ୍ଟ ଭାବେ କୌଣସି ବ୍ୟକ୍ତିବିଶେଷଙ୍କୁ ସୁହାଇଲା ଭଳି ଏଭଳି ପ୍ରକ୍ରିୟା ଚାଲିଥିବା ଅଭିଯୋଗ ହେଉଛି। ୨୦୨୪ ଫେବ୍ରୁଆରି ୧୫ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ୨୦୨୪ ମାର୍ଚ୍ଚ ୪ ତାରିଖ ଆବେଦନ କରିବାର ଶେଷ ତାରିଖ ଥିଲା। ଏବେ କୁଳପତି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ନାମ ଚୟନ ପାଇଁ ଯେଉଁ କମିଟି ଗଠନ କରାଯାଇଛି, ସେଥିରେ ଥିବା ସଦସ୍ୟ ମାନଙ୍କ ଭିତରୁ ବି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ କୁଳପତି ପଦ ପାଇଁ ନିଜେ ଆବେଦନ କରିଥିବା ସୂଚନା ମିଳିଛି। ଏମିତିକି ଚୟନ କମିଟିର ସଦସ୍ୟମାନେ ଆବେଦନକାରୀଙ୍କର ବିଭିନ୍ନ ସମୟରେ ଘନିଷ୍ଠ ସହଯୋଗୀ ଥିବା ବି କୁହାଯାଉଛି। ଏଭଳି ସ୍ଥିତିରେ କମିଟି କିଭଳି ନିରପେକ୍ଷ ଭାବେ ପ୍ରାର୍ଥୀଙ୍କୁ ଚୟନ କରିବ ତାହା ହିଁ ବିବାଦର କାରଣ ହୋଇଛି।

କୁଳପତି ନିଯୁକ୍ତି ପାଇଁ ବୟସକୁ ନେଇ ଯେଉଁ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି, ତାହା ବିଭିନ୍ନ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କ୍ଷେତ୍ରରେ ରହି ଆସିଥିବା ନିୟମର ଖୋଲା ଉଲ୍ଲଘଂନ କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ସେଥିରେ ସର୍ବାଧିକ କାର୍ଯ୍ୟକାଳ ୩ ବର୍ଷ ଓ ଆବେଦନ କରିବାର ସର୍ବାଧିକ ବୟସ ୬୨ ରହିଥିଲା। ଅର୍ଥାତ ଉତ୍କଳ ବିଶ୍ବବିଦ୍ୟାଳୟରେ ଜଣେ କୁଳପତି ଭାବେ ସର୍ବାଧିକ ୬୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରି ପାରିବେ। ଦେଶର ଅନ୍ୟ ବିଶ୍ବବିଦ୍ୟାଳୟରେ ବି କୁଳପତି ପଦ ପାଇଁ ଆବେଦନ କରିବାର ସର୍ବାଧିକ ବୟସ ସୀମା ୬୫ ଧାର୍ଯ୍ୟ କରାଯାଇଥିବାର ନଜିର ରହିଛି। କିନ୍ତୁ ନବ ଗଠିତ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟରେ ଆବେଦନକାରୀଙ୍କ ବୟସ ସୀମା ସଂପୂର୍ଣ୍ଣ ବିଚିତ୍ର ଢଙ୍ଗରେ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀଙ୍କର ଆବେଦନ କରିବାର ସର୍ବାଧିକ ବୟସ ସୀମା ସ୍ପଷ୍ଟ କରା ନଯାଇ ବ୍ୟକ୍ତି ୪ ବର୍ଷ ଅଥବା ସର୍ବାଧିକ ୭୦ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ଭାବେ କାର୍ଯ୍ୟ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅର୍ଥାତ ଜଣେ ୬୯ ବର୍ଷର ବ୍ୟକ୍ତି ବି ଏହି ପଦବି ପାଇଁ ଆବେଦନ କରି ପାରିବେ। ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ଏଭଳି ଢଙ୍ଗରେ ବୟସ ସୀମା ଧାର୍ଯ୍ୟ କରାଯିବା ଏବେ ସଂପୂର୍ଣ୍ଣ ଭାବେ ସନ୍ଦେହର କାରଣ ହୋଇଛି। ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତିଙ୍କୁ ନଜରରେ ରଖି ଏଭଳି ନିୟମ କରାଯାଇଥିବା ଅଭିଯୋଗ ମୁଣ୍ଡ ଟେକିଛି। ଅନ୍ୟପଟେ ପ୍ରାର୍ଥୀଙ୍କର ଯଦିଓ ପ୍ରଫେସର ଭାବେ ୧୦ ବର୍ଷ କାର୍ଯ୍ୟ କରିଥିବା ଯୋଗ୍ୟତା ଥିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। କିନ୍ତୁ ୟୁଜିସି ନିୟମ ଅନୁଯାୟୀ ସ୍ନାତ‌କୋତ୍ତର ପାଠ୍ୟକ୍ରମରେ ଶିକ୍ଷାଦାନ ଯୋଗ୍ୟତାକୁ ସଂପୂର୍ଣ୍ଣ ନଜରଅନ୍ଦାଜ କରାଯାଇଛି। ଯୋଗ୍ୟତା ନିର୍ଦ୍ଧାରଣରେ ଏଭଳି ଦ୍ବନ୍ଦ୍ବାତ୍ମକ ଓ କୋହଳ ମାନଦଣ୍ଡ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ରଖିବାରେ ବିଫଳ ହେବ ବୋଲି ଅଭ‌ିଯୋଗ ହେଉଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ପ୍ରକ୍ରିୟାର ତର୍ଜମା କରି ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ଭଳି ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ ଆଉ ନିରପେକ୍ଷ କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର