ବିରଞ୍ଚିଙ୍କ ପୁରୀ ଲିଙ୍କ୍‌ ନେଇ ଭିଜିଲାନ୍ସରେ ଅଭିଯୋଗ: ଟଙ୍କା ନେଇ ଚାକିରି ଦେଇଛନ୍ତି, ରହିଛି ଏକାଧିକ ପ୍ଲଟ୍‌

ପୁରୀ: ଭିଜିଲାନ୍ସ ବିଭାଗର ଅନୁମାନ ସତ ପ୍ରମାଣିତ ହୋଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିସନ୍‌ଙ୍କ ପିଏସ୍ ବିରଞ୍ଚି ସାହୁଙ୍କର ରହିଛି ପୁରୀ ଲିଙ୍କ୍। ପୁରୀରେ ରହିଛି ତାଙ୍କର ବହୁ କେଳେଙ୍କାରୀ। ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି‌ ନେଇଛନ୍ତି ବିରଞ୍ଚି। ଏପରିକି ବିରଞ୍ଚି ପୁରୀରେ ଏକାଧିକ ପ୍ଲଟ୍ ହାତେଇଥିବା ସାଂଘାତିକ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଆଜି ପୁରୀ ସହର ଓ ଆଖପାଖ ଅଞ୍ଚଳର କିଛି ଯୁବକଯୁବତୀ ପୁରୀ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୁରୀର ବସନ୍ତ କୁମାର ମିଶ୍ର, ସରୋଜ କୁମାର ଜେନା, ପ୍ରତାପ କୁମାର ପ୍ରଧାନ, ଶ୍ରୀତିରାଣୀ ଭଞ୍ଜ ପ୍ରମୁଖ ଆଜି ପୁରୀ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍‌ କମିସନ୍‌(ଓଏସ୍‌ଏସ୍‌ସି)ରେ ଚାକିରି କରାଇ ଦେବାକୁ କହି ବିରଞ୍ଚି ୨୦୧୦ ମସିହାରୁ ଏଯାଏଁ ଲକ୍ଷ ଲକ୍ଷ ଟଙ୍କା ନେଇ ଅନେକଙ୍କୁ ଚାକିରି ଦେଇଛନ୍ତି। କନ୍‌ଷ୍ଟେବଳରୁ ଲୋକାଲ୍‌ ଫଣ୍ଡ୍‌ ଅଡିଟର ଚାକିରି କରିଥିବା ପୁରୀର ଜଣେ ଜଣେ ବ୍ୟକ୍ତି ଏଥିରେ ମଧ୍ୟସ୍ଥି ସାଜିଛନ୍ତି। ବିରଞ୍ଚିଙ୍କ ଅନୁକମ୍ପା ପାଇ ୨୦୧୩ ମସିହାରେ ଏହି ବ୍ୟକ୍ତି ଲୋକାଲ୍‌ ଫଣ୍ଡ୍‌ ଅଡିଟର୍‌ ଚାକିରି ପାଇଥିଲେ। ଏବେ ସେ ବ୍ରହ୍ମପୁରରେ ଲୋକାଲ୍‌ ଫଣ୍ଡ୍‌ ଅଡିଟର ଭାବେ ଚାକିରି କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରିକି ଏହି ବ୍ୟକ୍ତି ଜଣକ ବିରଞ୍ଚିଙ୍କ ପାଇଁ ମଧ୍ୟସ୍ଥି ସାଜି ପିଲା ଯୋଗାଡ଼ କରୁଥିବା ଅଭିଯୋଗ ହୋଇଛି। ମଧ୍ୟସ୍ଥି ସାଜିଥିବା ବ୍ୟକ୍ତି ବିରଞ୍ଚିଙ୍କୁ ହାତ କରି ଛତ୍ରପୁରରେ ଯୋଗାଣ ନିରୀକ୍ଷକ ଭାବେ ଜଣେ ବ୍ୟକ୍ତିଙ୍କୁ ଚାକିରି ଦେଇଥିବା ଅଭିଯୋଗ ହୋଇଛି। ଏ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇଛି। ଏପରିକି ଯେଉଁମାନେ ଚାକିରି କରିଛନ୍ତି, ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ବୀମା କମ୍ପାନିରେ ଜୋରଜବରଦସ୍ତ ବୀମାଭୁକ୍ତ ହେବାକୁ କୁହାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସେହିଭଳି ବିରଞ୍ଚିଙ୍କୁ ପୁରୀରେ ଏକ ପ୍ଲଟ୍‌ ଦେଇ ଜଣେକ ବ୍ୟକ୍ତି ବ୍ରହ୍ମପୁରରେ ଜିପିଇଓ ଚାକିରି ପାଇଥିବା ଅଭିଯୋଗ ହୋଇଛି। ସେ ବେଗୁନିଆପଡ଼ାରେ ଚାକିରି କରିଥିବା ଅଭିଯୋଗ ହୋଇଛି। ସେହିଭଳି ବିରଞ୍ଚିଙ୍କୁ ଟଙ୍କା ଦେବା ପରେ ଜଣେ ବ୍ୟକ୍ତିଙ୍କୁ ଡାଟା ଏଣ୍ଟ୍ରି ଅପରେଟରରୁ କମନ୍‌ କ୍ୟାଡର ଅଡିଟର ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି। ପୁରୀ ମାର୍କେଟ୍‌ ଛକର ଦୁଇ ଭାଇଙ୍କୁ ଅସାଧୁ ଉପାୟରେ ବି ଚାକିରି ଦିଆଯାଇଥିବା ଅଭିଯୋଗ ହୋଇଛି। ୨୦୧୦ ମସିହାରେ ଜଣେ ଯୁବତୀଙ୍କୁ ପୁଲିସ ଏସ୍‌ଆଇ ଚାକିରି ମିଳିଥିବା ବି ଅଭିଯୋଗ ହୋଇଛି। ତଦନ୍ତ ହେଲେ ଏହି ଦୁର୍ନୀତିର ଖିଅ ତଥା ଗୁମର ଖୋଲିବ ବୋଲି ଯୁବକଯୁବତୀମାନେ କହିଛନ୍ତି। ଏ ଦିଗରେ ଭିଜିଲାନ୍ସର ହସ୍ତକ୍ଷେପ ଦାବି କରିଛନ୍ତି ଯୁବକଯୁବତୀ।

ସମ୍ବନ୍ଧିତ ଖବର