ଖୋଲିଲା ସିନେମା ହଲ୍‌, ପ୍ରଥମ ଦିନରେ ଦର୍ଶକ ମରୁଡ଼ି

ଭଲ ସିନେମା ନାହିଁ, ୧୦ ଜଣ ଦର୍ଶକରେ ସୋ’ ଚାଲିଲା

ଭୁବନେଶ୍ବର: କରୋନା କଟକଣା କୋହଳ ହେବା ପରେ ଗୁରୁବାର ରାଜଧାନୀରେ କିଛି ସିନେମା ହଲ୍‌ ଖୋଲିଛି। ସରକାରଙ୍କ କୋଭିଡ୍‌ ମାର୍ଗଦର୍ଶିକା ଅନୁସରଣ କରି ହଲ୍‌ଗୁଡ଼ିକ ଖୋଲିଛି। ଆଇନକ୍ସ, ଏସ୍‌ପ୍ଲାନେଡ୍‌ ଭଳି ବଡ଼ବଡ଼ ମଲ୍‌ରେ ଥିବା ହଲ୍‌ ସବୁ ଖୋଲିନଥିଲେ ବି କେଶରୀ, ସ୍ବସ୍ତି ଓ ମହାରାଜା ଭଳି କିଛି ସିନେମା ହଲ୍‌ ଖୋଲିଥିଲା। କିନ୍ତୁ ପ୍ରଥମ ଦିନ ସବୁ ହଲ୍‌ରେ ବଡ଼ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ସବୁଠି ଥିଲା ଦର୍ଶକ ମରୁଡ଼ି। ଗୋଟିଏ ଗୋଟିଏ ସୋ’ରେ ମାତ୍ର ୮/୧୦ ଜଣ ଦର୍ଶକ ବସିଥିବା ଦେଖିବାକୁ ମିଳିଥିଲା। ଏମିତିକି ପ୍ରଥମ ଦିନର ମୋଟ୍‌ ତିନି ସୋ’ରେ କେଉଁଠି ବି ୨ ଶହ ଦର୍ଶକ ହୋଇନଥିବା ଜଣାପଡ଼ିଛି। ଭଲ ସିନେମା ନଥିବା ବେଳେ କରୋନା ସଂକ୍ରମଣ ଭୟ ଓ କୋଭିଡ୍‌ ଗାଇଡ୍‌ଲାଇନ୍‌ ଏଭଳି ଦର୍ଶକ ମରୁଡ଼ିର କାରଣ ବୋଲି ହଲ୍‌ କର୍ତ୍ତୃପକ୍ଷମାନେ କହିଛନ୍ତି।

ରାଜଧାନୀର ହଲ୍‌ ମାଲିକମାନଙ୍କ ନିଷ୍ପତ୍ତି ଅନୁସାରେ ଆଜିଠାରୁ କିଛି ହଲ୍‌ ଖୋଲିଥିଲା। ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ହଲ୍‌କୁ ନୂଆ ରୂପରେ ସଜା ଯାଇଥିଲା। ଖୋଲିଥିବା ସବୁ ହଲ୍‌ରେ ସାନିଟାଇଜ୍ ବ୍ୟବସ୍ଥା ହୋଇଥିଲା। ଦୁଇ ଡୋଜ୍ ଟିକା ନେଇଥିବା ଦର୍ଶକଙ୍କୁ ଭିତରକୁ ଛଡ଼ା ଯାଉଥିଲା। ହଲ୍‌ର ମୋଟ୍‌ ସିଟ୍‌ ସଂଖ୍ୟାର ୫୦ ପ୍ରତିଶତ ସିଟ୍‌ ପାଇଁ ବୁକିଂ ବ୍ୟବସ୍ଥା କରାଯାଇଥିଲା। ତେଣୁ ପ୍ରତି ଦର୍ଶକଙ୍କୁ ଗୋଟିଏ ସିଟ୍‌ ଛାଡ଼ି ବସିବାକୁ ଦିଆଯାଇଥିଲା। ମାତ୍ର କୌଣସି ହଲ୍‌ରେ ଆଖିଦୃଶିଆ ଦର୍ଶକ ନଥିଲେ। ବଡ଼ କଥା ହେଉଛି ସବୁଠାରେ ଗୋଟିଏ ଫିଲ୍ମ ‘ଦ ସୁଇସାଇଡ୍‌ ସ୍କ୍ବାର୍ଡ’ ହିଁ ପଡ଼ିଥିଲା। ହିନ୍ଦୀରେ ଡବ୍‌ ହୋଇଥିବା ଏହି ଇଂରାଜୀ ଚଳଚ୍ଚିତ୍ରକୁ ବାଦ୍‌ ଦେଲେ ଅନ୍ୟ କିଛି ଫିଲ୍ମ ନଥିଲା। ତେଣୁ ଦର୍ଶକମାନେ ଆଗ୍ରହ କରିନଥିଲେ ବୋଲି କୁହାଯାଇଛି। ସ୍ବସ୍ତି ସିନେମା ହଲ୍‌ରେ ଆଜି ତିନିଟି ସୋ’ ହୋଇଥିଲା। ପ୍ରଥମ ସୋ’(ପୂର୍ବାହ୍ନ ୧୧.୧୫ରେ ଆରମ୍ଭ)ରେ ମାତ୍ର ୮ଜଣ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଅପରାହ୍ଣ୨ ଟା ୧୫ମିନିଟ୍‌ରେ ଆରମ୍ଭ ହୋଇଥିବା ସୋ’ରେ ମାତ୍ର ୧୫ଜଣ ଦର୍ଶକ ଓ ସଂଧ୍ୟା ୫ ଟା‌୧୫ ମିନିଟ୍‌‌ରେ ଆରମ୍ଭ ହୋଇଥିବା ଶେଷ ସୋ’ରେ ମାତ୍ର ୧୨ଜଣ ଦର୍ଶକ ଥିଲେ। ଅନୁରୂପ ଅବସ୍ଥା ବି ଦେଖା ଯାଇଥିଲା କେଶରୀ ଟକିଜ୍‌ରେ। ପ୍ରଥମ ସୋ’ରେ ମାତ୍ର ୨୫ ଜଣ ଓ ପରବର୍ତ୍ତୀ ଦୁଇ ସୋ’ରେ ୩୦ରୁ ୩୫ ଜଣ ଦର୍ଶକ ଥିଲେ। ସମାନ ଅବସ୍ଥା‌ ଥିଲା ମହାରାଜା ସିନେମା ହଲ୍‌ରେ। ଏଠାରେ ଅବଶ୍ୟ କିଛି ଅଧିକ ଦର୍ଶକ ହୋଇଥିଲେ। ସମସ୍ତ ସୋ’ରେ ପ୍ରାୟ ୨ ଶହ ଦର୍ଶକ ଥିଲେ ବୋଲି ସୂଚନା ମିଳିଛି।

ସ୍ବସ୍ତି ହଲ୍‌ ମ୍ୟାନେଜର ଅନିର୍ବାଣ ନାୟକଙ୍କ କହିବା କଥା ପ୍ରଥମ ଦିନ ହେତୁ କମ୍‌ ଦର୍ଶକ ଆସିଛନ୍ତି। ଏଥିସହିତ ନୂଆ ଓଡ଼ିଆ କି ହିନ୍ଦୀ ସିନେମା ନଥିବାରୁ ଦର୍ଶକଙ୍କ ଭିତରେ ଆଗ୍ରହ ନାହିଁ। ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ନୂଆ ହିନ୍ଦୀ ଚଳଚ୍ଚିତ୍ର ‘ବେଲ୍‌ବଟମ୍’ ପାଇଁ କିଛି ଆଶା ରହିଛି ବୋଲି ସେ କହିଛନ୍ତି। ମହାରାଜା ହଲ୍‌ର ପରିଚାଳକ ଲିଙ୍ଗରାଜ ପଣ୍ଡାଙ୍କ କହିବା କଥା ପ୍ରଥମ ଦିନ ୧୫ ଶତକଡ଼ାରୁ କମ୍ ବେପାର ହୋଇଛି। ଶନିବାର, ରବିବାର ହଲ୍‌ ଖୋଲିବାକୁ ଅନୁମତି ଥିଲେ, ହୁଏତ ୫୦ ପ୍ରତିଶତ ସିଟ୍‌ ପୂରଣ ହୋଇପାରନ୍ତା। ତେଣୁ ସରକାର ଏ ଦିଗରେ ବିଚାର କରିବାକୁ ଅନୁରୋଧ କରାଯିବ।

ସମ୍ବନ୍ଧିତ ଖବର