ଉଚ୍ଚଶିକ୍ଷା ବିଭାଗର ନାହିଁ ଶିକ୍ଷା କ୍ୟାଲେଣ୍ଡର୍‌: ପାଠପଢ଼ା ଓ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ବର : ପାଖାପଖି ଦୁଇ ବର୍ଷ ଧରି ଉଚ୍ଚଶିକ୍ଷା ପ୍ରଭାବିତ ହୋଇଛି। ଦ୍ବିତୀୟ ଲହର ପରେ କରୋନା ସ୍ଥିତିରେ ଉନ୍ନତି ଆସିବା ସହ ପାଠପଢ଼ା ଓ ପରୀକ୍ଷା ଟ୍ରାକ୍‌କୁ ଫେରିଥିଲା। ମାତ୍ର ତୃତୀୟ ଲହର ଏବେ ସବୁ କିଛି ବିଗାଡ଼ି ଦେଇଛି। ଜାନୁଆରିରେ କ୍ଲାସରୁମ୍‌ ପାଠପଢ଼ା ବନ୍ଦ ହୋଇଛି। ଅନ୍‌ଲାଇନ୍‌ କ୍ଲାସ ଚାଲିଥିଲେ ମଧ୍ୟ ସେମିଷ୍ଟର ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବିଶେଷକରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର୍‌ ପ୍ରସ୍ତୁତ କରାଯାଇ ନଥିବାରୁ କେଉଁ ସେମିଷ୍ଟର୍‌ର ପାଠପଢ଼ା କେବେ ପର୍ଯ୍ୟନ୍ତ ଚାଲିବ, କେବେ ପରୀକ୍ଷା ହେବ, ସେନେଇ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ତାଳମେଳ ରହୁ ନଥିବା ଦେଖିବାକୁ ମିଳିଛି।

ଶିକ୍ଷାବର୍ଷ ଅନୁଯାୟୀ ବର୍ତ୍ତମାନ ସମୟରେ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ତୃତୀୟ ସେମିଷ୍ଟର୍‌ ପାଠପଢ଼ା ହେବା କଥା। ମାତ୍ର ଏବେ ବି କିଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦ୍ବିତୀୟ ସେମିଷ୍ଟର୍‌ ପାଠପଢ଼ା ଚାଲିଛି। ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବାରୁ ଶିକ୍ଷାବର୍ଷ ନିର୍ଧାରିତ ସମୟରେ ଶେଷ ହେବା ନେଇ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ରହିଛନ୍ତି। କାରଣ ଜୁନ୍‌/ଜୁଲାଇରେ ପାଠପଢ଼ା ଶେଷ ହେବ। ହାତ‌ରେ ଆଉ ମାତ୍ର ୫ମାସ ରହିଥିବା ବେଳେ କିଭଳି ଦୁଇଟି ସେମିଷ୍ଟର୍‌ର ପାଠପଢ଼ା ଶେଷ ହୋଇ ପରୀକ୍ଷା କରାଯିବ, ତାହାକୁ ନେଇ ଚିନ୍ତା ବଢ଼ିଛି। ସେପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ପରି କେତେକ ଶିକ୍ଷାନୁଷ୍ଠାନ ତୃତୀୟ ସେମିଷ୍ଟର୍‌ ପରୀକ୍ଷା ଲାଗି ଇତିମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଫେବ୍ରୁଆରି ମାସରେ କରୋନା ଗାଇଡ୍‌ଲାଇନ୍‌ କ’ଣ ହେବ, ସେନେଇ ଚିତ୍ର ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କର୍ତ୍ତୃପକ୍ଷ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ସେହିପରି ୟୁଜି ତୃ୍ତୀୟ ଓ ୫ମ ସେମିଷ୍ଟର୍‌ରେ ମଧ୍ୟ ସମାନ ଅବ୍ୟବସ୍ଥା ଦେଖାଦେଇଛି।

ପିଜି ଓ ୟୁଜି ଶିକ୍ଷାବର୍ଷ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇ ନଥିବାରୁ ବିଶ୍ବବିଦ୍ୟାଳୟଗୁଡ଼ିକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଜାନୁଆରି ପାଇଁ ଏସ୍‌ଆରସିଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଉଚ୍ଚଶିକ୍ଷା ବିଭାଗ ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷାକୁ ସ୍ଥଗିତ ରଖିଛି। ଅନ୍‌ଲାଇନ୍‌ କ୍ଲାସକୁ ଅନୁମତି ଦେଇଛି। ମାତ୍ର କେ‌େବ‌ ସୁଦ୍ଧା ସେମିଷ୍ଟର୍‌ ପାଠପଢ଼ା ଶେଷ କରିବେ? କିଭଳି ପରୀକ୍ଷା କରାଇବେ? ଅଫ୍‌ଲାଇନ୍‌ ପରୀକ୍ଷା କେବେ ହେବ? ସେନେଇ ବିଭାଗ କିଛି ବି କହିନି। ଏମିତିକି ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ବି ଅନୁମତି ଦେଇନାହିଁ। କାରଣ ଫେବ୍ରୁଆରିରେ କରୋନା ସ୍ଥିତିରେ ଉନ୍ନତି ଆସିବ ବୋଲି ମାନେ କିଛି ନାହିଁ। ସେଭଳି ସମୟରେ ପିଲାଙ୍କ ଜୀବନକୁ ବାଜିରେ ଲଗାଇ କ୍ଲାସରୁମ୍‌ ପାଠପଢ଼ା ଓ ପରୀକ୍ଷା କରାଇବା ସମ୍ଭବପର ହୋଇ ନପାରେ। ଯଦି ସ୍ଥିତି ସ୍ବାଭାବିକ ନ ହୁଏ, ତେବେ କ’ଣ ବିକଳ୍ପ ପନ୍ଥା ଆପଣାଯିବ, ସେନେଇ ବି ବିଭାଗୀୟ ସଚିବ ଶାଶ୍ବତ ମିଶ୍ର କୌଣସି ସମୀକ୍ଷା କରିନାହାନ୍ତି।

utkal university.ac.in

ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର୍‌ କହିଛନ୍ତି ଯେ କରୋନା ପ୍ରଥମ ଓ ଦ୍ବିତୀୟ ଲହରରେ ଉଚ୍ଚଶିକ୍ଷା ବିଭାଗ ଯେଉଁଭଳି ତତ୍ପରତା ପ୍ରକାଶ କରୁଥିଲା, ଏଥର ସେମିତି କିଛି ଦେଖିବାକୁ ମିଳୁନି। ପ୍ରତି କଥାରେ ଦିଗ୍‌ଦର୍ଶନ ଦେଇ ଚିଠି ଲେଖୁଥିବା ବିଭାଗୀୟ ସଚିବ ବି ଏବେ ନିରବ। ଶିକ୍ଷାବର୍ଷ କେମିତି ଆଗେଇବ, ଶିକ୍ଷା କ୍ୟାଲେଣ୍ଡର୍‌ କାର୍ଯ୍ୟକାରୀ ହେବ କି ନାହିଁ, କିଛି ବି କୁହାଯାଉନାହିଁ। ଡିସେମ୍ବରରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ସେ କହିଥିଲେ। ଏବେ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରଖିବାକୁ କହିଛନ୍ତି। ପାଠପଢ଼ା ଶେଷ ହୋଇଥିବାରୁ ଏବେ ଯଦି ପରୀକ୍ଷା ନ କରିବୁ, ତେବେ କେବେ କରିବୁ। ଅନ୍ୟ ସେମିଷ୍ଟର୍‌ ପାଠ ପଢ଼ାଇବୁ କି ନାହିଁ। ଏ ବିଷୟରେ ସ୍ପଷ୍ଟ ଚିତ୍ର ମିଳିବା ଆବଶ୍ୟକ।

ସମ୍ବନ୍ଧିତ ଖବର