୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତା ୧୨ତାରିଖରେ ରାଜ୍ୟ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ସୋମବାର ଦିନ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ହତ୍ୟା ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆସନ୍ତା ୧୦ଦିନ ଭିତରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ଆଜି ଅପରାଧୀଙ୍କ ଚରାଭୂଇଁ ପାଲଟିଯାଇଛି। ଆଇନ କାନୁନକୁ ଅପରାଧୀ ଭ୍ରୂକ୍ଷେପ କରୁନାହାନ୍ତି। ହତ୍ୟା, ଦୁଷ୍କର୍ମ, ମାନବ ଚାଲାଣ ଓ ନିଶା କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆପାତତଃ ପ୍ରମାଣ ଥାଇ ମଧ୍ୟ ମକଦ୍ଦମା ରୁଜୁ କରାଯାଉନାହିଁ। ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଦାୟର କରାଯିବା ସହିତ ତାଙ୍କୁ ଗିରଫ କରାଯାଉ। ନଚେତ୍ ଆସନ୍ତା ଶୁକ୍ରବାର(୧୨) ଓଡ଼ିଶା ବନ୍ଦ କରାଯିବ ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନାରୀ ସୁରକ୍ଷା ଓ ସମ୍ମାନ ପାଇଁ ଓଡ଼ିଶା ବନ୍ଦ ନିଷ୍ପତ୍ତିକୁ ରାଜ୍ୟବାସୀ ସହଯୋଗ କରିବା ଲାଗି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର