ମେକ୍‌ ଇନ୍‌ ଓଡ଼ିଶା ନାଁରେ ଭଣ୍ଡାଉଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଚାଲିଥିବା ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ୍‌ ଏକ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ରାଜ୍ୟ ପ୍ରଦେଶ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ଶିଳ୍ପାୟନ ନେଇ ରାଜ୍ୟବାସୀଙ୍କ ପାଖରେ ସରକାର ମୁହଁ ଦେଖାଇ ପାରୁ ନ ଥିବା ବେଳେ ଏବେ ରାଜ୍ୟ ବାହାରେ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି। ରାଜ୍ୟରେ କେଉଁ ପ୍ରକାର ଶିଳ୍ପର ଚାହିଦା ଅଛି ଓ ଏଥିପାଇଁ କି ପ୍ରକାର ସର୍ବେକ୍ଷଣ ହୋଇଛି ସରକାରଙ୍କ ପାଖରେ ତାହାର ତଥ୍ୟ ନାହିଁ। ୨୦୧୩/୧୪ରେ ରାଜ୍ୟରେ ଯେତିକି ସଂଖ୍ୟକ ଶିଳ୍ପ ପଞ୍ଜୀକୃତ ହୋଇଥିଲେ ତହିଁରୁ ୧୫ହଜାର ୩୧୫ଟି ଶିଳ୍ପ ବନ୍ଦ ହୋଇଯାଇଛି। ପ୍ରାୟ ୧ଲକ୍ଷ ୩୦ହଜାର ଲୋକ ଛଟେଇ ହୋଇଛନ୍ତି। ୨୦୧୮ ମସିହା ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇଁ ୩ଲକ୍ଷରେ ପହଞ୍ଚିଛି। ଗୋଟିଏ ପଟେ ରାଜ୍ୟରେ ଶିଳ୍ପ ବନ୍ଦ ହେଉଥିବା ବେଳେ ରାଜ୍ୟ ସରକାର ବାହାବା ନେବା ପାଇଁ ରାଜ୍ୟ ବାହାରେ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୦ ମସିହାରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟର ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ପ୍ରଶାସକ ରାଜ୍ୟକୁ ପୁଞ୍ଜି ଆଣିବା ପାଇଁ ବିଦେଶ ଗସ୍ତ କରିଛି। ମନ୍ତ୍ରୀ ଓ ପ୍ରଶାସକଙ୍କୁ ମିଶାଇ ୫୨ଜଣ ଆମେରିକା, ଚୀନ, ୟୁକେ, ୟୁଏଇ, ଥାଇଲାଣ୍ଡ, ଜାପାନ, ସିଙ୍ଗାପୁର ଓ କାନାଡ଼ା ଯାଇଛନ୍ତି। କୋଟି କୋଟି ରାଜ କୋଷରୁ ଖର୍ଚ ହୋଇଛି। ହେଲେ ଫଳ ଶୂନ। ଟଙ୍କାଟିଏ ମଧ୍ୟ ରାଜ୍ୟ ବାହାରୁ ପୁଞ୍ଜି ଆସିନାହିଁ। ୨୦୧୪ ମସିହାରେ ଆମେରିକାର ଆଲକର କମ୍ପାନି ରାଜ୍ୟରେ ହେଲିକପ୍ଟର ଯନ୍ତ୍ରାଂଶ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କମ୍ପାନି ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲା। ଦେଢ଼ ବର୍ଷ ପରେ ସରକାରଙ୍କ ପକ୍ଷରୁ କମ୍ପାନିକୁ ଏକ ଚିଠି ଦେଇଥିଲେ। ପରବର୍ତୀ ସମୟରେ ଏଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ୨୦୧୬ ମସିହାରେ ୩୦ଜଣ ବିଦେଶ ରାଷ୍ଟ୍ରଦୂତଙ୍କୁ ନେଇ ଦିଲ୍ଲୀରେ ରାଜ୍ୟ ସରକାର ବୈଠକ କରିଥିଲେ। ଏଥିରେ ବହୁ ଟଙ୍କା ଖର୍ଚ ହେଲା। ମାତ୍ର ପରବର୍ତୀ ସମୟରେ ଶିଳ୍ପ ବିଭାଗ ପକ୍ଷରୁ ଜଣେ ହେଲେ ରାଷ୍ଟ୍ରଦୂତଙ୍କ ସହିତ ଏ ସଂପର୍କରେ ଆଲୋଚନା ହୋଇନାହିଁ। ୨୦୧୩ ମସିହାରେ ରାଜ୍ୟ ସରକାର ଯୁବ ନୀତି ପ୍ରସ୍ତୁତ କଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ ପାଣ୍ଠି ମଧ୍ୟ ରହିଛି। ଦୀର୍ଘ ୫ବର୍ଷ ପରେ ମଧ୍ୟ ଏହି ପାଣ୍ଠିରୁ ଜଣେ ହେଲେ ଯୁବକ କୌଣସି ସହାୟତା ପାଇ ନାହାନ୍ତି କି ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା ହୋଇନାହିଁ।

ରାଜ୍ୟରେ ଦକ୍ଷତା ଓ ବୈଷୟିକ ଶିକ୍ଷାର ବିକାଶ ପାଇଁ ରାଜ୍ୟରେ ଯେଉଁ ଶିକ୍ଷାନୁଷ୍ଠାନ ରହିଛି ତହିଁରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ସହକାରୀ ପ୍ରଫେସର ୫୦ପ୍ରତିଶତ ପଦବି ଖାଲି ପଡ଼ିଛି। ତେଣୁ ଛାତ୍ରଛାତ୍ରୀଙ୍କ ଉପଯୁକ୍ତ ଶିକ୍ଷା ମଧ୍ୟ ମିଳିପାରୁ ନାହିଁ। ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟ ସରକାର ଏଭଳି କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର